
ସୀତାରାମ ଅଗ୍ରୱାଲ
ବାଣପୁର: ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇଛନ୍ତି। ରାତାରାତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।
ଏସପିଙ୍କ ସୂଚନା ମୁତାବକ ବିଧାୟକ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବଜେଲ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ। ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇ ହେବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ସମସ୍ତ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ଏବଂ ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା।
ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି କହିଛନ୍ତି। ଅନୁରୂପ ଭାବେ ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ସବଜେଲ ଆସିବେ ବୋଲି କହିଛନ୍ତି ଏସପି।
ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତକାଲି ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ମଧ୍ୟ ସଂନ୍ଧ୍ୟାରେ ବାଣପୁର ସବ ଜେଲକୁ ପଠାଇଦିଆଯାଇଥିଲା। ତେଣୁ ଜେଲ ଭିତରେ ଉଭୟ ବିଧାୟକ ଓ ଆକ୍ରମଣକାରି ମୁହାଁମୁହିଁ ହେବା ଆଶଙ୍କାରେ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।