Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ସୁଦକ୍ଷ” କୋଚିଂ କେନ୍ଦ୍ର ଉଦଘାଟିତ, ଶିକ୍ଷିତ ଯୁବକ ଯୁବତୀଙ୍କ ସ୍ୱପ୍ନ ପୂରଣ ପାଇଁ ମାଗଣାରେ କୋଚିଂ
ଆଜିର ଖବର

“ସୁଦକ୍ଷ” କୋଚିଂ କେନ୍ଦ୍ର ଉଦଘାଟିତ, ଶିକ୍ଷିତ ଯୁବକ ଯୁବତୀଙ୍କ ସ୍ୱପ୍ନ ପୂରଣ ପାଇଁ ମାଗଣାରେ କୋଚିଂ

April 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଖୋଲିଲା “ସୁଦକ୍ଷ” କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି କେନ୍ଦ୍ର ଉଦଘାଟିତ ହୋଇଛି। ଅତିଥିମାନେ “ସୁଦକ୍ଷ” କେନ୍ଦ୍ରର ଜଣେ ଛାତ୍ରୀଙ୍କ ହାତରେ ଏହି କେନ୍ଦ୍ରର ରିବନ୍ କାଟିଥିଲେ।

ପୂର୍ବରୁ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି “ସୁଦକ୍ଷ” କେନ୍ଦ୍ର ରହିଛି। ଏବେ କୋଇଡ଼ାରେ ଆଉ ଗୋଟିଏ କେନ୍ଦ୍ର ଖୋଲିବା ଫଳରେ ଜିଲ୍ଲାରେ “ସୁଦକ୍ଷ” କୋଚିଂ କେନ୍ଦ୍ର ସଂଖ୍ୟା ୪ରେ ପହଞ୍ଚିଛି। କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ରହିଛି।

କୋଇଡ଼ାଠାରେ “ସୁଦକ୍ଷ” କେନ୍ଦ୍ର ଖୋଲାଯାଇଥିବାରୁ ଏଥିପାଇଁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଖଣି ପ୍ରଭାବିତ କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ଏହି କେନ୍ଦ୍ର ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାରେ ଆଗରୁ ୩ଟି “ସୁଦକ୍ଷ” କେନ୍ଦ୍ର ଚାଲିଛି। ଏହି କେନ୍ଦ୍ରଗୁଡ଼ିକରୁ ଅନେକ ପିଲା ମାଗଣାରେ କୋଚିଂ ନେଇ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏହା ହେଉଛି ଆମ ପାଇଁ ବଡ଼ ସଫଳତା। ତେଣୁ କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କୋଚିଂର ସୁବିଧା ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନ ପୂରଣ କରିବା ଲାଗି ସୁଦକ୍ଷ କେନ୍ଦ୍ର ଖୋଲାଯାଇଛି”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

କୋଇଡ଼ାଠାରେ “ସୁଦକ୍ଷ” କେନ୍ଦ୍ର ଉଦଘାଟନ ବେଳେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଥିବା ଯୁଧିଷ୍ଠିର ମୁଣ୍ଡାଙ୍କ ମା’ ସୀତା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁଧିଷ୍ଠିର ହେଉଛନ୍ତି କୋଇଡ଼ା ବ୍ଲକର ଜଣେ ଶିକ୍ଷିତ ଯୁବକ। ସେ ବଣାଇଁ “ସୁଦକ୍ଷ” କେନ୍ଦ୍ରରେ ମାଗଣା କୋଚିଂ ନେଇ ନିକଟରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର +୨ ବା +୩ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ “ସୁଦକ୍ଷ” କାର୍ଯ୍ୟକ୍ରମ ଚାଲିଛି। ବର୍ତ୍ତମାନ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ କେନ୍ଦ୍ରରେ ୫ମ ବ୍ୟାଚ ଛାତ୍ରଛାତ୍ରୀମାନଙ୍କୁ କୋଚିଂ ଦିଆଯାଉଛିୟ ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା ସହ ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି “ସୁଦକ୍ଷ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।

ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍‌, ଷ୍ଟାଫ୍ ସିଲେକ୍ସନ୍‌, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍‌, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି।

ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି। ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ପ୍ରଶିକ୍ଷଣ ଦିଆଯାଉଛି।

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯାଉଛି। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଉଛି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ସୁଶିଳା ମୁଣ୍ଡା ଏବଂ ଅଶୋକ କୁମାର ନାଏକ, କୋଇଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ହୃଷିକେଶ ଦେହୁରୀ, କୋଇଡ଼ା ତହସିଲଦାର ଡି ଏସ୍ ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ୍‌, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡାଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026
Latest News

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.