Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ “ସୋପାନ” ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ
ଆଜିର ଖବର

ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ “ସୋପାନ” ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ

April 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ବ୍ଲକରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ତ୍ୱରାନ୍ୱିତ ପୋଷଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି “ସୋପାନ” କାର୍ଯ୍ୟକ୍ରମ। ତେବେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳକୁ ଏହି କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକକୁ “ସୋପାନ” କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମିଲ କରିଛନ୍ତି। ତେବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଉପଯୋଗ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ଏବଂ ୪ଟି ପୌରାଞ୍ଚଳକୁ ସମ୍ପ୍ରସାରିତ କରିଛି। ଫଳରେ ସୁନ୍ଦରଗଡ଼ ଭଳି ଖଣି ପ୍ରଭାବିତ ଓ ଆଦିବାସୀ ବହୁଳ ଜିଲ୍ଲାରେ ଏବେ ପୋଷଣ କାର୍ଯ୍ୟକ୍ରମ ଅଧିକ ସୁଦୃଢ଼ ହୋଇପାରିବ।

ଗୁରୁବାର ଦିନ ସୁନ୍ଦରଗଡ଼ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ “ସୋପାନ”ର ଏହି ସମ୍ପ୍ରସାରଣ ଘୋଷଣା କରାଯାଇଛି। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସହ ବିଭିନ୍ନ ପ୍ରମୁଖ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ଶିଶୁ ଓ ମା’ମାନଙ୍କ ପୁଷ୍ଟି ଆବଶ୍ୟକତାକୁ ସୁନିଶ୍ଚିତ କରିବା ଲାଗି “ସୋପାନ” କାର୍ଯ୍ୟକ୍ରମକୁ ସାରା ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି। ଫଳରେ କୌଣସି ସ୍ଥାନରେ କାହାର ପୋଷଣଜନିତ ସମସ୍ୟା ଥିଲେ ତାହାର ସମାଧାନ ହୋଇପାରିବ। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ବର୍ତ୍ତମାନ ଚାଲିଥିବା ବିଭିନ୍ନ ଯୋଜନା ସହିତ “ସୋପାନ” ଯୋଡ଼ି ହେବା ଫଳରେ ପୋଷଣ କାର୍ଯ୍ୟକ୍ରମ ଏବେ ଅଧିକ ବଳିଷ୍ଠ ହୋଇପାରିବ, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

“ସୋପାନ” ଅଧୀନରେ ଏବେ ଅତି କମ୍ ଓଜନ ବିଶିଷ୍ଟ ପିଲାମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଛତୁଆ ଦିଆଯିବ। ଏହି ଶିଶୁମାନଙ୍କୁ ଚିହ୍ନଟକରି ସେମାନଙ୍କୁ ୭୫ ଦିନ ଲାଗି ଛତୁଆ ଦିଆଯିବ। ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାମାନଙ୍କୁ ସପ୍ତାହରେ ୩ଟି ଲେଖାଏଁ ଅଣ୍ଡା ଦିଆଯିବ। ଯେଉଁମାନେ ଅଣ୍ଡା ଖାଉନାହାନ୍ତି ସେମାନଙ୍କୁ ରାଶି କିମ୍ବା ବାଦାମଯୁକ୍ତ ଲଡ଼ୁ ସହିତ ସ୍ଥାନୀୟ ଅଂଚଳରେ ମିଳୁଥିବା ବିଭିନ୍ନ ଋତୁକାଳୀନ ଫଳ ଦିଆଯିବ।

ସେହିପରି ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ପୁଷ୍ଟି ଆବଶ୍ୟକତାର ପୂରଣ ଲାଗି ଅଙ୍ଗନବାଡ଼ି ମାଧ୍ୟମରେ ଏଣିକି ରନ୍ଧା ଖାଦ୍ୟ ଦିଆଯିବ। ଗର୍ଭାବସ୍ଥାରେ ୧୫୦ ଦିନ ଏବଂ ପ୍ରସବ ପରେ ଆଉ ୧୫୦ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସପ୍ତାହର ୬ ଦିନ ପାଇଁ ସୁଷମ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ସୂଚୀ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ଜିଲ୍ଲାରେ ଚାଲିଥିବା ମାତୃଜ୍ୟୋତି ଓ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି। ମାତୃଜ୍ୟୋତି ଅଧୀନରେ ସମସ୍ତ ଶିଶୁଙ୍କ ଘରୋଇ ଯତ୍ନର ତଦାରଖ, ୧୭ଟି ପ୍ରସବ କେନ୍ଦ୍ରରେ କଙ୍ଗାରୁ ମାତୃ ଯତ୍ନ ପ୍ରକୋଷ୍ଠ ସ୍ଥାପନ ଏବଂ ସ୍‌ୱତନ୍ତ୍ର କଙ୍ଗାରୁ ମାତୃ ଯତ୍ନ କିଟ୍ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ନବଜାତ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁଦୃ କରିବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସେହିପରି କୌଣସି ଜଟିଳ ରୋଗରେ ପୀଡ଼ିତ ନବଜାତ ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଆସ୍ଥା ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ ସହ ସୁନ୍ଦରଗଡ଼ ପ୍ରଶାସନ ବୁଝାମଣା ସ୍ୱାକ୍ଷର କରିଛି।

ଶ୍ରମଜୀବୀ ମହିଳାଙ୍କ ପିଲାଙ୍କ ଯତ୍ନ ପାଇଁ ଖୋଲିଲା “କଳିକା” ଗୃହ:

ସୁନ୍ଦରଗଡ଼ ଜିଲ୍ଲାର ଶ୍ରମଜୀବୀ ମହିଳାମାନଙ୍କ ସୁବିଧା ପାଇଁ, ବିଶେଷକରି ସେମାନଙ୍କ କୁନି କୁନି ପିଲାଙ୍କୁ ସେବା ଯତ୍ନ ଯୋଗାଇଦେବା ଲାଗି “କଳିକା” ଗୃହର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ରେ ୯୦ଟି “କଳିକା” ଗୃହ ପ୍ରତିଷ୍ଠା କରାଯାଉଛି।

ମା’ମାନେ ପ୍ରତିଦିନ କାମକୁ ଗଲା ବେଳେ ଏଠାରେ ସାନ ସାନ ପିଲାଙ୍କୁ ଛାଡ଼ି ଯାଇପାରିବେ। “କଳିକା’ ଗୃହରେ ପିଲାମାନଙ୍କ ପାଇଁ ସୁରକ୍ଷା ଓ ପୋଷଣ ସହ ଆନନ୍ଦମୟ ଶିକ୍ଷା ପରିବେଶ ସୃଷ୍ଟି କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ହଷ୍ଟେଲ ରୂପାନ୍ତରଣ କାର୍ଯ୍ୟକ୍ରମ:

ଆଉ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସରକାରୀ ହାଇସ୍କୁଲର ଛାତ୍ରୀନିବାସ ଓ ଛାତ୍ରାବାସର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୩୫ଟି ହଷ୍ଟେଲର ରୂପାନ୍ତରଣ କରାଯାଉଛି।

ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ବିଭିନ୍ନ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କ ଭିତରେ ଉଦଭାବନଶୀଳ ଓ ସର୍ଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ବିଶେଷ ଧ୍ୟାନ ଦିଆଯାଉଛି। ତେଣୁ ହଷ୍ଟେଲ ଭିତ୍ତିଭୂମିରେ ଆଧୁନିକ ପାଠାଗାର ଓ ରିଡିଙ୍ଗ ରୁମ୍‌, ବିଜ୍ଞାନ ଓ ପ୍ରୟୋଗଶାଳା, ବ୍ୟାୟାମ ତଥା ବିଭିନ୍ନ ଇନଡୋର କ୍ରୀଡ଼ା ବ୍ୟବସ୍ଥା ସହ ଅନ୍ତେବାସୀଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ନୂତନ ୱେବସାଇଟକୁ ଙ୍ଗଙ୍ଗଙ୍ଗ.ୟଜ୍ଞଲଗ୍ଦଙ୍କଦ୍ଭୟବକ୍ସଶବକ୍ସଷ.ସଦ୍ଭ ଉନ୍ମୋଚନ କରାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ବିକାଶ ଲାଗି ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଜି ଶୁଭାରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ସାଂସଦଙ୍କ ପ୍ରତିନିଧି ସୁକେଶୀ ଓରାମ ଯୋଗ ଦେଇଥିଲେ।

ସେହିପରି ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଏଡିପିଏଚଓ ଡାକ୍ତର କାହ୍ନୁଚରଣ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏନଏଚଏମ ଡିପିଏମ୍ ଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ପୋଷଣ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲା ସୋପାନ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.