ଦେଓରିଆରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଏବଂ ଜିପ୍ ମଧ୍ୟରେ ଧକ୍କା, ୬ ମୃତ

Published: Apr 19, 2022, 11:16 am IST

ଦେଓରିଆ: ଦେଓରିଆ ଜିଲ୍ଲାର ଗୌରୀବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବସ୍ ଏବଂ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଆଜି ଗୌରୀବଜାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ଗୌରୀବଜାର-ରୁଦ୍ରପୁର ରାସ୍ତାରେ ଥିବା ଇନ୍ଦୁପୁର ଗ୍ରାମ ନିକଟରେ ଏକ ବସ୍ ଏବଂ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଥିରେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଏହି ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଯୋଗୀ ଟ୍ୱିଟ୍ କରି ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ପୋଲିସ ଅଧୀକ୍ଷକ ରାଜେଶ ସୋନକର କହିଛନ୍ତି ଯେ, କୁଶୀନଗର ଜିଲ୍ଲାର କୋହଡା ଗାଁର ବାସିନ୍ଦାମାନେ ବିବାହ ପୂର୍ବରୁ ତିଲକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ରାତିରେ ରୁଦ୍ରପୁରର ରାଇଶ୍ରୀ ଗ୍ରାମରୁ ଫେରୁଥିଲେ। ହେଲେ ରାସ୍ତାରେ ସେମାନଙ୍କର ଜିପ୍ ଏବଂ ବସ୍ ମଧ୍ୟରେ ଧକ୍କା ହୋଇଥିଲା। ବସ୍ ଗୋରଖପୁରରୁ ରୁଦ୍ରପୁରକୁ ଯାଉଥିଲା।

ଏହି ଦୁର୍ଘଟଣାରେ ରାମପ୍ରକାଶ ସିଂ, ବଶିଷ୍ଠ ସିଂ, ଜୋଖନ ସିଂ, ଅଙ୍କୁର ପାଣ୍ଡେ ଏବଂ ରମାନନ୍ଦ ମୌର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ମୃତକଙ୍କ ମଧ୍ୟରୁ ଜଣଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ୬ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ ଜିତେନ୍ଦ୍ର ପ୍ରତାପ ସିଂ ଏବଂ ପୋଲିସ ଅଧୀକ୍ଷକ ଶ୍ରୀପତି ମିଶ୍ର ବିଳମ୍ବିତ ରାତିରେ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାରେ ଦୁଃଖ ପ୍ରକାଶ କରି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ମୃତ ତଥା ଆହତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

Related posts