Cyclone Update: ଉପକୂଳ ନିକଟତର ହେଉଛି ‘ଅସାନି’, ୧୦ରୁ ୧୨ ଯାଏଁ ପ୍ରବଳ ବର୍ଷିବ

Published: May 9, 2022, 11:48 am IST

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଏବେ ଉପକୂଳର ନିକଟତର ହେଉଛି। ବର୍ତ୍ତମାନ ‘ଅସାନି’ପୁରୀ ଠାରୁ ୬୮୦ କିମି ଦୂରରେ ରହିଛି। ପୁରୀ ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୨୫ କିମି ବେଗରେ ଉପକୂଳ ମୁହାଁ ହେଉଛି। ଯଦିବା ବାତ୍ୟା ‘ଅସାନି’ ର ଲ୍ୟାଣ୍ଡଫଲ ହେବାର ସମ୍ଭାବନା ନାହିଁ, ହେଲେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଓଡିଶାର ସବୁ ସାମୁଦ୍ରିକ ବନ୍ଦର ପାଇଁ ବିପଦ ସଂକେତ-୨ ଜାରି କରାଯାଇଛି।

ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ବାତ୍ୟାର ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ ତାରିଖରୁ ୧୨ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷା ହେବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର ବର୍ଷା ସମ୍ଭାବନା ରହିଛି। ଶେଷରେ ୧୨ ତାରିଖ ଦିନ ପାରାଦୀପ ନିକଟରେ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି।

Related posts