Categories
ଆଜିର ଖବର ରାଜ୍ୟ ଖବର

ବାଂଲାଦେଶ ଉପରେ ମୋକାର ପଡ଼ିବ ପ୍ରଭାବ, ଓଡ଼ିଶାରେ ବଢ଼ିବ ତାତି

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ମୋକା’ ଯାହାକି ଶନିବାର ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୯୦ କିମି ଦୂରରେ ରହିଥିଲା ତାହା ଉତର ପୂର୍ବ ଦିଗରେ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ଅପରାହ୍ଣରେ ଏହା ବାଂଲାଦେଶ ଉପକୂଳରେ ସ୍ଥଳଭାଗରେ ଛୁଇଁବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୨୦୦ କିଲୋମିଟର ରହିବାର ସମ୍ଭାବନା ରହିଛି ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି।

ଏହି ବାତ୍ୟା ସମୁଦ୍ରର ଜଳୀୟ ବାଷ୍ପକୁ ସାଂଗରେ ଟାଣି ନେଇଯିବାର ସମ୍ଭାବନା ରହିଛି ଏବଂ ଉତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ମେ ୧୫ ତାରିଖରୁ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହୋଇପାରେ। ଏଭଳି ଅବସ୍ଥା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ।
ତେବେ ବାତ୍ୟାର ପ୍ରଭାବରେ ରବିବାର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଂଟା ପ୍ରତି ୩୫ ରୁ ୪୦ କିମି ରହିବାର ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବୁଲେଟିନ୍‌ରେ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking : ହେଲା ବାତ୍ୟା, ଆସନ୍ତାକାଲି ଦେଖାଇବ ଭୀଷଣ ରୂପ

ଭୁବନେଶ୍ବର: ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା ରୂପକୁ ପରିବର୍ତ୍ତନ ହୋଇଛି। ଏହି ବାତ୍ୟାର ନାମ ରହିଛି ସି-ତ୍ରାଙ୍ଗ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ବର୍ତ୍ତମାନ ଏହି ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଆସନ୍ତା କାଲି ଏକ ଭୀଷଣ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ପୂର୍ବରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଗଭୀର ଅବପାତ ସକ୍ରିୟ ହେବା ପରେ ବାତ୍ୟା ରୂପ ଧାରଣ କରିଛି। ଏହା ଦ୍ବାରା ଆଜି ରାତିରୁ ଉପକୂଳ ଓଡିଶାର ବର୍ଷା ଆରମ୍ଭ ହେବ ବୋଲି କୁହାଯାଇଛି। ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Exclusive : ସମୁଦ୍ରରେ ବୁଡିଲା ଡଙ୍ଗା, ଏହି ଭିଡିଓ ଦେଖିଲେ ଥରିଯିବ ଛାତି

ବ୍ରହ୍ମପୁର: ଭୀଷଣ ବାତ୍ୟା ଅସାନିର ପ୍ରଭାବ ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ସମୁଦ୍ରର ଅଶାନ୍ତ ଯୋଗୁଁ ଦୁଇଟି ଛାତି ଥରା ଦୃଶ୍ୟ ପଦାକୁ ଆସିଛି। ଗୋଟିଏ ପଟେ ପାତି ସୋନପୁର ନିକଟସ୍ଥ ଗହୀର ସମୁଦ୍ରରେ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡିଯିବା ଯୋଗୁଁ ୧୧ ଜଣ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରେ ଫସିଯାଇଥିଲେ। ଖବର ପାଇ ରାଜ୍ୟ ସରକାରଙ୍କ ସହାୟତାରେ ଏୟାରଲିଫ୍ଟ ମାଧ୍ୟମରେ ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ସମାନ ଦୃଶ୍ୟ  ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଯ୍ୟାପାଲି ବେଳାଭୂମି ନିକଟରେ ସନର୍ଯ୍ୟାପାଲି, ବଡ ଅର୍ଯ୍ୟାପାଲି ଓ ଗୋଲାବନ୍ଧ ଭଳି ଅଂଚଳର ଦେଖିବାକୁ ମିଳିଛି। ୬୦ ଜଣ ମତ୍ସ୍ୟଜୀବୀ ୬ ଗୋଟି ଡଙ୍ଗା ମାଧ୍ୟମରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଫେରୁଥିବା ବେଳେ, ସମୁଦ୍ର ଅଶାନ୍ତ ଯୋଗୁଁ ଡଙ୍ଗା ଓଲଟି ପଡିଥିବା ସୂଚନା ମିଳିଛି।

ଯାହାଫଳରେ ଗହୀର ସମୁଦ୍ର ଭିତର ସମସ୍ତ ୬୦ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସମସ୍ତ ମତ୍ସ୍ୟଜୀବୀ ଦୀର୍ଘ ଏକ ଘଣ୍ଟାର ସଂଘର୍ଷ ପରେ ପହଁରି ପହଁରି କୂଳରେ ଆସିଥିବା ଜଣାପଡିଛି। ତେବେ ସମୁଦ୍ରରେ ସେମାନଙ୍କର ଡଙ୍ଗା ଜାଲ ଓ ମୋଟର ଭାଙ୍ଗି ଯାଇଛି।

ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ହେଲେ ପ୍ରଶାସନର ସଚେତନତା ଅଭାବରୁ ସେ କଥାକୁ ମତ୍ସ୍ୟଜୀବୀ ଧ୍ୟାନ ଦେଉ ନାହାଁନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାକୁ ଲାଗିଛି। ତେବେ ବର୍ତ୍ତମାନ ସମୁଦ୍ରରେ ଆଉ କେହି ମତ୍ସ୍ୟଜୀବୀ ଅଛନ୍ତି କି ନାହିଁ ପ୍ରଶାସନ ଖୋଳଡାଡ ଅରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

Cyclone Update: ଉପକୂଳ ନିକଟତର ହେଉଛି ‘ଅସାନି’, ୧୦ରୁ ୧୨ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଏବେ ଉପକୂଳର ନିକଟତର ହେଉଛି। ବର୍ତ୍ତମାନ ‘ଅସାନି’ପୁରୀ ଠାରୁ ୬୮୦ କିମି ଦୂରରେ ରହିଛି। ପୁରୀ ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୨୫ କିମି ବେଗରେ ଉପକୂଳ ମୁହାଁ ହେଉଛି। ଯଦିବା ବାତ୍ୟା ‘ଅସାନି’ ର ଲ୍ୟାଣ୍ଡଫଲ ହେବାର ସମ୍ଭାବନା ନାହିଁ, ହେଲେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଓଡିଶାର ସବୁ ସାମୁଦ୍ରିକ ବନ୍ଦର ପାଇଁ ବିପଦ ସଂକେତ-୨ ଜାରି କରାଯାଇଛି।

ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ବାତ୍ୟାର ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ ତାରିଖରୁ ୧୨ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷା ହେବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର ବର୍ଷା ସମ୍ଭାବନା ରହିଛି। ଶେଷରେ ୧୨ ତାରିଖ ଦିନ ପାରାଦୀପ ନିକଟରେ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି।