Cyclone Exclusive : ସମୁଦ୍ରରେ ବୁଡିଲା ଡଙ୍ଗା, ଏହି ଭିଡିଓ ଦେଖିଲେ ଥରିଯିବ ଛାତି

Published: May 10, 2022, 1:20 pm IST

ବ୍ରହ୍ମପୁର: ଭୀଷଣ ବାତ୍ୟା ଅସାନିର ପ୍ରଭାବ ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ସମୁଦ୍ରର ଅଶାନ୍ତ ଯୋଗୁଁ ଦୁଇଟି ଛାତି ଥରା ଦୃଶ୍ୟ ପଦାକୁ ଆସିଛି। ଗୋଟିଏ ପଟେ ପାତି ସୋନପୁର ନିକଟସ୍ଥ ଗହୀର ସମୁଦ୍ରରେ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡିଯିବା ଯୋଗୁଁ ୧୧ ଜଣ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରେ ଫସିଯାଇଥିଲେ। ଖବର ପାଇ ରାଜ୍ୟ ସରକାରଙ୍କ ସହାୟତାରେ ଏୟାରଲିଫ୍ଟ ମାଧ୍ୟମରେ ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ସମାନ ଦୃଶ୍ୟ  ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଯ୍ୟାପାଲି ବେଳାଭୂମି ନିକଟରେ ସନର୍ଯ୍ୟାପାଲି, ବଡ ଅର୍ଯ୍ୟାପାଲି ଓ ଗୋଲାବନ୍ଧ ଭଳି ଅଂଚଳର ଦେଖିବାକୁ ମିଳିଛି। ୬୦ ଜଣ ମତ୍ସ୍ୟଜୀବୀ ୬ ଗୋଟି ଡଙ୍ଗା ମାଧ୍ୟମରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଫେରୁଥିବା ବେଳେ, ସମୁଦ୍ର ଅଶାନ୍ତ ଯୋଗୁଁ ଡଙ୍ଗା ଓଲଟି ପଡିଥିବା ସୂଚନା ମିଳିଛି।

ଯାହାଫଳରେ ଗହୀର ସମୁଦ୍ର ଭିତର ସମସ୍ତ ୬୦ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସମସ୍ତ ମତ୍ସ୍ୟଜୀବୀ ଦୀର୍ଘ ଏକ ଘଣ୍ଟାର ସଂଘର୍ଷ ପରେ ପହଁରି ପହଁରି କୂଳରେ ଆସିଥିବା ଜଣାପଡିଛି। ତେବେ ସମୁଦ୍ରରେ ସେମାନଙ୍କର ଡଙ୍ଗା ଜାଲ ଓ ମୋଟର ଭାଙ୍ଗି ଯାଇଛି।

ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ହେଲେ ପ୍ରଶାସନର ସଚେତନତା ଅଭାବରୁ ସେ କଥାକୁ ମତ୍ସ୍ୟଜୀବୀ ଧ୍ୟାନ ଦେଉ ନାହାଁନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାକୁ ଲାଗିଛି। ତେବେ ବର୍ତ୍ତମାନ ସମୁଦ୍ରରେ ଆଉ କେହି ମତ୍ସ୍ୟଜୀବୀ ଅଛନ୍ତି କି ନାହିଁ ପ୍ରଶାସନ ଖୋଳଡାଡ ଅରମ୍ଭ କରିଛି।

Related posts