ଭାଲୁ ଆକ୍ରମଣରେ ଜଣେ ଗୁରୁତର, ବୁର୍ଲା ସ୍ଥାନାନ୍ତର

Published: May 22, 2022, 4:57 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜ ଅଂଚଳରେ ଦିନକୁ ଦିନ ବନ୍ୟଜନ୍ତୁମାନଙ୍କର ପ୍ରାର୍ଦୁଭାବରେ ଲୋକମାନେ ନାହିଁ  ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ରେଢାଖୋଲ ବନଖଣ୍ଡ ଡଇଁଚା ପଂଚାୟତ ଗୋପାଳପୁର ଗ୍ରାମରେ ଜଣେ ବୃଦ୍ଧା କେନ୍ଦୁପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଆଜି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ସେକସନର ଚଡଚଡି ଗ୍ରାମରେ ଜନୈକ ବ୍ୟକ୍ତି ଦିନ ଦି ପହରରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ବନବିଭାଗ ସୂତ୍ରରୁ ଜଣା ପଡିଛି। ଗୁରୁତର ଆହତ ଜଣଙ୍କ ଚଡଚଡି ଗ୍ରାମର ରମେଶ ପ୍ରଧାନ ବୋଲି ଜଣା ପଡିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ସେକସନ୍ ଅନ୍ତର୍ଗତ ଚଡଚଡି ଗ୍ରାମର ରମେଶ ପ୍ରଧାନ (୫୦) ବନବିଭାଗର କାମ କରିବାକୁ ବନବିଭାଗର କର୍ମଚାରୀମାନଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କାମ ସାରି ଦିନ ୧୨.୨୦ ମିନିଟରେ ନିଜ ଘରକୁ ଫେରୁଥିବା ସମୟରେ ଜଙ୍ଗଲରେ ଏକ ଭାଲୁ ଅଚାନକ ତାଙ୍କୁ ଆକ୍ରମଣ କରିଥିଲା। ଅନ୍ୟ କର୍ମଚାରୀମାନେ ଦୂରରେ ଥିବାରୁ ସେମାନେ କିଛି ଜାଣି ପାରି ନ ଥିଲେ। କିଛି ସମୟ ପରେ ଆସି ଦେଖିଲା ବେଳକୁ ରମେଶକୁ ଭାଲୁ ଆକ୍ରମଣ କରୁଥିଲା। ଭାଲୁ କର୍ମଚାରୀମାନଙ୍କୁ ଦେଖିପାରି ପଳାଇଯାଇଥିଲା।

ଗରୁତର ଆହତ ରମେଶକୁ ତୁରନ୍ତ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ ବନବିଭାଗର କର୍ମଚାରୀମାନେ । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖ।।ନକୁ ପଠାଇଥିବା ଜଣା ପଡିଛି । ମୁହଁ ରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି ।

Related posts