ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତରଙ୍କ ସଫଳ ଟ୍ୟୁମର ଅସ୍ତ୍ରୋପଚାର: ବିରଳ ବ୍ୟାଧିରୁ ସୁସ୍ଥ ହେଲେ ବାଳିକା

Published: Jun 1, 2022, 5:41 pm IST

ଭୁବନେଶ୍ୱର: ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ବାଳିକାଟି ଫିଓକ୍ରୋମୋସାଇଟୋମା ନାମକ ଏକ ବିରଳ ଟ୍ୟୁମର ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଦିନ ଧରି କଷ୍ଟ ପାଉଥିଲା।

ଶ୍ରୀୟା ଠେମରିଆ ନାମକ ଝିଅର ଶରୀରରେ ଥିବା ଆଡ୍ରେନାଲ ଗ୍ଲାଣ୍ଡରେ ଏହି ବିରଳ ଟ୍ୟୁମରଟି ବୃଦ୍ଧି ପାଇଥିବା ବେଳେ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଏହାକୁ କଢ଼ାଯାଇଛି। ପ୍ରଥମେ ହସ୍ପିଟାଲକୁ ଆସିବା ସମୟରେ ବାଳିକାଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାର ଶରୀରରୁ ଅନେକ ମାତ୍ରାରେ ଝାଳ ବୋହୁଥିଲା। ଉଚ୍ଚ ରକ୍ତଚାପ ସହ ହୃଦ ସମସ୍ୟା ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା। ଦୀର୍ଘ ଏକ ବର୍ଷ ଧରି ତାର ମୁଣ୍ଡ ବିନ୍ଧା ହେଉଥିବାର ମଧ୍ୟ ଜଣାପଡ଼ିଥିଲା।

ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଝିଅଟିର ଷ୍ଟେଜ -୨ ରକ୍ତ ଚାପ ସମସ୍ୟା ଥିବା ଜାଣି ତାକୁ ଔଷଧ ପ୍ରଦାନ କରିଥିଲେ। “ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ବାଳିକାଟିର ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଥିଲୁ ଯେ ସେ ଫିଓକ୍ରୋମୋସାଇଟୋମା ସହିତ ହାଇପରଟେନସିଭ ହୃଦରୋଗରେ ପୀଡିତ ଅଛି। ଏଥି ସହିତ ତାର ଆଡ୍ରେନାଲ ଗ୍ଲାଣ୍ଡରେ ୭୦ ଗ୍ରାମର ଟ୍ୟୁମର ମଧ୍ୟ ଥିବାର ଜଣାପଡ଼ିଥିଲା’ ବୋଲି ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି।

ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟାରେ ଟ୍ୟୁମରରୁ ନିର୍ଗତ ହର୍ମୋନ ଦ୍ୱାରା ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧା, ଝାଳ ବୋହିବା ସହ ମନରେ ଅତ୍ୟଧିକ ମାତ୍ରାରେ ଭୟ ସୃଷ୍ଟି ହୋଇଥାଏ। ଏହା ଏକ ବିରଳ ଟ୍ୟୁମର ଏବଂ ପ୍ରତି ୫ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହା ଦେଖାଦେଇଥାଏ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ୦.୫ ପ୍ରତିଶତ ଶିଶୁଙ୍କ ଠାରେ ଏହା ଦେଖାଯାଏ।

ଫିଓକ୍ରୋମୋସାଇଟୋମା ବିରଳ କିନ୍ତୁ ଉପଯୁକ୍ତ ଭାବରେ ପରୀକ୍ଷଣ ଓ ଚିକିତ୍ସା ନହେଲେ ଏହା ମାରାତ୍ମକ ହୋଇ ରୋଗୀର ମୃତ୍ୟୁ ଘଟାଏ ବୋଲି ଡାକ୍ତର ଦେ କହିଛନ୍ତି।

ଶ୍ରୀୟାର ରକ୍ତଚାପ ଏବଂ ହାର୍ଟ ଫେଲିୟୋରକୁ ଚିକିତ୍ସା ଏବଂ ଔଷଧ ଦ୍ୱାରା ଡାକ୍ତର ଦେ ଏବଂ
ତାଙ୍କର ଶିଶୁରୋଗ ବିଭାଗର ଟିମରେ ସାମିଲ ଥିବା ଡାକ୍ତର ଶୁଭ୍ରଜିତ ପରିଡ଼ା ଓ ଡାକ୍ତର ହିମାଂଶୁ ଶେଖର ସାହୁ ନିୟନ୍ତ୍ରଣ କରିପାରିଥିଲେ।

ବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବାପରେ ଶିଶୁରୋଗ ବିଭାଗର କନସଲଟାଂଟ୍ ପେଡିଆଟ୍ରିକ୍‌ ସର୍ଜନ, ଡ଼ାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଟ୍ୟୁମରଟିକୁ କାଢ଼ିବାରେ ସଫଳ ହୋଇଥିଲେ। ଏହି ଅସ୍ତ୍ରୋପଚାରଟି କଷ୍ଟକର ଓ ଆହ୍ୱାନପୂର୍ଣ୍ଣ ଥିଲା। କାରଣ ଟ୍ୟୁମର ଯୋଗୁ ରକ୍ତଚାପ ନିୟନ୍ତ୍ରଣରେ ରହୁ ନଥିଲା ଏବଂ ରୋଗୀର ଜୀବନପ୍ରତି ବିପଦ ଥିଲା ବୋଲି ଡାକ୍ତର ପ୍ରଧାନ କହିଛନ୍ତି।

ଅସ୍ତ୍ରୋପଚାର ପରେ ଶ୍ରୀୟାର ରକ୍ତଚାପ ଏବେ ଠିକ୍ ଭାବେ ନିୟନ୍ତ୍ରିତ ହେଉଛି ଏବଂ ତାର କୌଣସି ସମସ୍ୟା ଦେଖା ଦେଇନାହିଁ ବୋଲି ଡାକ୍ତର ପ୍ରଧାନ କହିଛନ୍ତି। ଡାକ୍ତର ପ୍ରଧାନଙ୍କ ସର୍ଜରୀ ଟିମ୍‌ରେ ଆନେସ୍ଥେସିଷ୍ଟ ଡାକ୍ତର ରଞ୍ଜିତ ପତି, ଡାକ୍ତର ଦିପଙ୍କର ପଢ଼ିହାରୀ, ଡାକ୍ତର ସୋନମ ପଣ୍ଡା ଓ ନର୍ସିଂ ବିଭାଗର ସ୍ନିଗ୍ଧା, ରୀତା, ପୂର୍ଣ୍ଣେନ୍ଦୁ ଓ ଫାର୍ମାସିଷ୍ଟ ପ୍ରକାଶ ସାମିଲ୍ ଥିଲେ।

ଶ୍ରୀୟା ଏବଂ ତାଙ୍କର ପରିବାର ଚିକିତ୍ସାରେ ସନ୍ତୋଷ ପ୍ରକାଶ କରିବା ସହ ସମମ୍‌ର ସୁସ୍ଥ ଏବଂ
ସୁରକ୍ଷିତ ପରିବେଶକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Related posts