ପୁଣି ଆମ୍ବୁଲାନ୍ସ ସମସ୍ୟା: ଖୋଲା ଆକାଶ ତଳେ ପୁତ୍ର ସନ୍ତାନ ଜନ୍ମ କଲେ ମହିଳା

Published: Jun 11, 2022, 8:12 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ଜନୈକା ମହିଳା କିସିଣ୍ଡା ହାଟପଦା ଠାରେ ଖୋଲା ଆକାଶ ତଳେ ପ୍ରସବ କରିଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ପିଣ୍ଟୁ ବେହେରାଙ୍କ ସ୍ତ୍ରୀ ଅଞ୍ଜଳୀ ବେହେରା ଆଜି ସକାଳ ସମୟରେ ପ୍ରସବ ପାଇଁ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ତାଙ୍କୁ ଆମ୍ବଲାନ୍ସ ମିଳିପାରିନଥିଲା। ବାଧ୍ୟ ହୋଇ ଅଞ୍ଜଳୀକୁ ତାଙ୍କ ସ୍ୱାମୀ ଏକ ବସ୍ ରେ ସମ୍ବଲପୁର ମେଡିକାଲକୁ ନେଉଥିବା ସମୟରେ କିସିଣ୍ଡା ଠାରେ ଅଞ୍ଜଳୀ ପ୍ରସବ ପାଇଁ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ବାଧ୍ୟ ହୋଇ ସ୍ବାମୀ ତାଙ୍କୁ ପାଖରେ ଥିବା ସାପ୍ତାହିକ ହାଟ ପଦାକୁ ବସ୍ ରୁ ଓହ୍ଲାଇ ନେଇଯାଇଥିଲେ।

ସେଠାରେ ମହିଳାଜଣଙ୍କ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ପ୍ରସବ ସମୟରେ ଆଶାକର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଏ ଖବର କିସିଣ୍ଡାର ଫ୍ରେଣ୍ଡସ କ୍ଲବର ସଦସ୍ୟ ମାନେ ଜଣିବାପରେ ଘଟଣା ସ୍ଥଳକୁ ଯାଇ ଏକ ଆମ୍ବଲାନ୍ସ ଗାଡିକୁ ଯୋଗାଯୋଗ କରି ନାକଟିଦେଉଳ ମେଡିକାଲକୁ ପଠେଇଥିଲେ। ବର୍ତ୍ତମାନ ମା’ ଅଞ୍ଜଳୀ ଏବଂ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି।

Related posts