ବିକ୍ଷୋଭକାରୀଙ୍କ ମୃତ୍ୟୁ ପାଇଁ କେନ୍ଦ୍ରକୁ ଦାୟୀ କଲେ କେସିଆର, ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା

Published: Jun 18, 2022, 11:25 am IST

ହାଇଦ୍ରାବାଦ: ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦରେ ଗତକାଲି ୧୯ ବର୍ଷିୟ ରାକେଶଙ୍କର ମୃତ୍ୟୁ ଘଟିଛି। ନୂତନ ସ୍ୱଳ୍ପକାଳୀନ ସାମରିକ ନିଯୁକ୍ତି ଅର୍ଥାତ୍ ଅଗ୍ନିପଥ ଯୋଜନାକୁ ବିରୋଧ କରି ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦୁର୍ବୃତ୍ତଙ୍କ ଉପରକୁ ପୋଲିସ ଗୁଳି ଚଳାଇବା ବେଳେ ଏହି ଘଟଣା ଘଟିଛି। ଏହି ସମୟରେ ପ୍ରାୟ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କେସିଆର କାର୍ଯ୍ୟାଳୟ ଦ୍ଵାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ରେଳବାଇ ପୋଲିସର ଗୁଳି ବିନିମୟରେ ୱାରଙ୍ଗାଲର ବାସିନ୍ଦା ରାକେଶଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘୋଷଣା କରିଛି ଯେ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ଏବଂ ତାଙ୍କ ପରିବାରର ଜଣେ ସଦସ୍ୟ ସରକାରୀ ଚାକିରି ପାଇବେ।

ଏହି ପ୍ରତିବାଦରେ ନିହତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ କେନ୍ଦ୍ରର “ଭୁଲ ନୀତି” କୁ ମୁଖ୍ୟମନ୍ତ୍ରୀ କେସିଆର ଦାୟୀ କରିଛନ୍ତି ଏବଂ ତେଲେଙ୍ଗାନାର ପିଲାମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବେ ବୋଲି କହିଛନ୍ତି। ତେଲେଙ୍ଗାନା ମଧ୍ୟ ଦେଶର ଏକ ପ୍ରମୁଖ ରାଜ୍ୟ ଯେଉଁଠାରେ ପ୍ରତିରକ୍ଷା ସେବାରେ ନିଯୁକ୍ତି ପାଇଁ କେନ୍ଦ୍ର ଅଗ୍ନିପଥ ଯୋଜନା ଘୋଷଣା କରିବା ପରେ ଗତ କିଛି ଦିନ ମଧ୍ୟରେ ବିରୋଧ ତୀବ୍ର ହୋଇଛି।

Related posts