ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୭ ହଜାରରୁ ଅଧିକ ଆକ୍ରାନ୍ତ, ୨୯ ମୃତ

Published: Jul 2, 2022, 1:00 pm IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ହଜାର ୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସକ୍ରିୟ ମାମଲା ୧ ଲକ୍ଷ ୯ ହଜାର ୫୬୮ ରେ ପହଞ୍ଚିଛି।

ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସଂକ୍ରମିତ ରୋଗୀ ଅଛନ୍ତି:

ଏହି ରାଜ୍ୟଗୁଡିକ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ରହିଛି। କାରଣ ଏଠାରେ ୩ ହଜାର ୯୦୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ୩ ହଜାର ୨୪୯ ଟି କରୋନା ମାମଲା ରୁଜୁ ହୋଇଛି। ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ହଜାର ୩୮୫ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୧ ହଜାର ୭୩୯ ଏବଂ କର୍ଣ୍ଣାଟକର ୧ ହଜାର ୭୩ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ କରୋନା ମାମଲାରେ ଏହି ପାଞ୍ଚଟି ରାଜ୍ୟର ଅଂଶ ୭୨.୨୫ ପ୍ରତିଶତ ଅଟେ। କେବଳ କେରଳରୁ ୨୨.୮୪ ପ୍ରତିଶତ ମାମଲା ରୁଜୁ ହୋଇଛି।

Related posts