ବିଜେପି ସଭାପତିଙ୍କୁ ଭେଟିବା ନେଇ ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା

Published: Jul 8, 2022, 12:49 pm IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଗୁରୁବାର ଦିନ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି। ଆନନ୍ଦ ଶର୍ମାଙ୍କ ଏହି ସାକ୍ଷାତକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି। ହେଲେ ଏହାର କାରଣ କ’ଣ, ନିଜେ ଆନନ୍ଦ ଶର୍ମା ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଙ୍କୁ ଏହା କରିବାକୁ ପଡିବ ତେବେ ସେ ଖୋଲାଖୋଲି କରିବେ। କାରଣ ସେମାନେ ଦୁହେଁ ହହିମାଚଳ ପ୍ରଦେଶରୁ ଆସିଛନ୍ତି ଏବଂ ଦୁହେଁ ଗୋଟିଏ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଶର୍ମା କହିଛନ୍ତି ଯେ, ନଡ୍ଡାଙ୍କ ସହ ତାଙ୍କର ପୁରୁଣା ସାମାଜିକ ଏବଂ ପାରିବାରିକ ସମ୍ପର୍କ ରହିଛି ଏବଂ ମୁଁ ଖୁସି ଯେ ମୋ ରାଜ୍ୟ ତଥା ବିଶ୍ୱବିଦ୍ୟାଳୟରୁ କେହି ଜଣେ ଶାସକ ଦଳର ସଭାପତି ଅଟନ୍ତି।

ଯେତେବେଳେ ସେମାନଙ୍କର ବୈଠକ ବିଷୟରେ ପଚରାଗଲା, ସେ କହିଥିଲେ ଯେ, ଆଦର୍ଶଗତ ପାର୍ଥକ୍ୟର ଅର୍ଥ ବ୍ୟକ୍ତିଗତ ଶତ୍ରୁତା ନୁହେଁ, … ଯଦି ମୋତେ ଜେପି ନଡ୍ଡାଙ୍କୁ ଭେଟିବାକୁ ପଡିବ, ତେବେ ମୁଁ ଖୋଲାଖୋଲି ଭାବେ ସାକ୍ଷାତ କରିବି। ଏହା ମୋର ଅଧିକାର। ମୁଁ କୌଣସି କଳ୍ପନାଜଳ୍ପନାକୁ ଇନ୍ଧନ ଦେବି ନାହିଁ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶର୍ମା କହିଛନ୍ତି ଯେ, ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ଆଲୁମିନି ଆସୋସିଏସନ ତାଙ୍କୁ ଏବଂ ନଡ୍ଡାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସେ ନଡ୍ଡାଙ୍କ ସହ ଫୋନରେ କଥା ହୋଇଥିଲେ।

ଶର୍ମା ଜି-୨୩ ଗୋଷ୍ଠୀର ଜଣେ ପ୍ରମୁଖ ସଦସ୍ୟ, ଯିଏକି କଂଗ୍ରେସ ସଂଗଠନରେ ପରିବର୍ତ୍ତନ ଆଣିବାକୁ ଆହ୍ଵାନନ ଦେଇଥିଲେ ଏବଂ ଦଳର ନେତୃତ୍ୱର କିଛି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ।

Related posts