୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା: ଦୁଇ ମୃତ, ୯ ଆହତ

Published: Jul 11, 2022, 4:02 pm IST

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକର ପରିଚୟ ମିଳିନାହିଁ। ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣାରୁ ଜଣାପଡିଛି ଗୋଟିଏ ବୋଲୋରୋ ଖୋର୍ଦ୍ଧା ପଟୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଇଣ୍ଡିକା କାରକୁ ଧକ୍କା ଦେଇଥିଲା। ଏହାପରେ ଇଣ୍ଡିକା କାରଟି ଆଗରେ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତିନୋଟି ଗାଡି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡି ଯାଇଥିଲା।

ଗାଡିରେ ଥିବା ଯାତ୍ରୀମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ପଠାଇଛନ୍ତି। ଦୁର୍ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ନେବା ବ୍ୟବସ୍ଥା କରିଛନ୍ତି।

ଜାତୀୟ ରାଜପଥ କାର୍ଯ୍ୟରେ ନିୟୋଜିତ ଏଆଇପିଏଲ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରାଯାଉଛି। ଆଜିର ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related posts