ସ୍ୱଧାର ଗୃହ କାର୍ଯ୍ୟକ୍ରମ ପାଇଁ ବଜେଟ ଅନୁଦାନ ବୃଦ୍ଧି, ଉପକୃତ ହୋଇଛନ୍ତି ଓଡ଼ିଶାର ମହିଳା: କେନ୍ଦ୍ର

Published: Jul 21, 2022, 11:32 am IST
ministry of women and child

ଭୁବନେଶ୍ୱର: ୨ଠ୨୧-୨ଠ୨୨ରୁ ୨ଠ୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନର ଅନୁମୋଦନ କ୍ରମେ ସମାଜରେ ମହିଳାମାନଙ୍କ ନିରାପତ୍ତା ଏବଂ ସଶକ୍ତିକରଣ ଦିଗରେ ‘ମିଶନ ଶକ୍ତି’ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ‘ସମ୍ବଳ’ ଓ ‘ସାମର୍ଥ୍ୟ’ ନାମରେ ଏହି ଯୋଜନାରେ ଦୁଇଟି ଉପଯୋଜନା ରହିଛି। ‘ସମ୍ବଳ’ର ଏକ କାର୍ଯ୍ୟକ୍ରମ ଭାବରେ ‘ୱାନ ଷ୍ଟପ ସେଣ୍ଟର’ କାର୍ଯ୍ୟ କରୁଛି। ‘ସାମର୍ଥ୍ୟ’ ଅଧିନରେ ‘ସ୍ୱଧାର ଗୃହ’ କାର୍ଯ୍ୟ କରୁଛି। ଏସବୁ ‘ମିଶନ ଶକ୍ତି’ ଅନ୍ତର୍ଗତ କାର୍ଯ୍ୟକ୍ରମ। ପଞ୍ଚଦଶ ଅର୍ଥ କମିଶନ ଅବଧିରେ ମିଶନ ଶକ୍ତି ଅଧିନରେ ଥିବା ‘ସମ୍ବଳ’ କାର୍ଯ୍ୟକ୍ରମ ପାଇଁ ୨୯୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହି ପରିମାଣ ୧୦୦୨ କୋଟି ଟଙ୍କା ଥିଲା।

ସେହିପରି ମିଶନ ଶକ୍ତି ଅଧିନରେ ଥିବା ‘ସାମର୍ଥ୍ୟ’ ଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଚତୁର୍ଦ୍ଦଶ ଅର୍ଥ କମିଶନ ଅବଧିରେ ଏହି ପରିମାଣ ୬୬୩୪ କୋଟି ଟଙ୍କା ଥିଲା- ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ୨୦୨୧-୨୨ ଅବଧି ମଧ୍ୟରେ ୱାନ ଷ୍ଟପ ସେଣ୍ଟରଗୁଡ଼ିକରେ ୫୩୬୬ ଜଣ ମହିଳା ଉପକୃତ ହୋଇଛନ୍ତି। ୨୦୧୫ରୁ ୨୦୨୧ ଆର୍ଥିକ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯୩୩୭ ଥିଲା। ଠିକ୍ ସେହିପରି ସ୍ୱଧାର ଗୃହ ଯୋଜନାରେ ୨ଠ୨ଠ-୨୧ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୬୬୭ ମହିଳା ଉପକୃତ ହୋଇଛନ୍ତି। ୨ଠ୧୮-୧୯ ଏବଂ ୨ଠ୧୯-୨ଠ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨୩୪ଠ ଲେଖାଏଁ ଥିଲା।

ଏହି ଯୋଜନାରେ ଜିଲ୍ଲା ଏବଂ ରାଜ୍ୟସ୍ତରରେ ମହିଳା ସଶକ୍ତିକରଣ ହବ୍ ପ୍ରତିଷ୍ଠା ତଥା ମହିଳାମାନଙ୍କ ଉନ୍ନତି ନିମିତ୍ତ ଖର୍ଚ୍ଚ କରାଯିବ। ଏଥିରେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି, ଧନ୍ଦାମୂଳକ ତାଲିମ, ଆର୍ଥିକ ଅନ୍ତର୍ଭୁକ୍ତି ତାଲିମ, ବିଭିନ୍ନ ସଂସା ସହ ସମ୍ପର୍କ ସ୍ଥାପନ, ମହିଳା କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ଡିଜିଟାଲ ସାକ୍ଷରତା ଆଦି ଦିଗରେ ମଧ୍ୟ ଅର୍ଥ ବ୍ୟୟ ହେବ।

ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଉପଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ହିତାଧିକାରୀ, ଯୋଜନା କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷ, ନାଗରିକ ସମାଜ ଓ ସମ୍ପୃକ୍ତ ଅନୁଷ୍ଠାନମାନଙ୍କୁ ନେଇ ଗତ ଅପ୍ରେଲ ମାସରେ ଭୁବନେଶ୍ୱର ସମେତ ଚଣ୍ଡୀଗଡ଼, ବେଙ୍ଗାଲୁରୁ, ଗୁଆହାଟୀ ଏବଂ ମୁମ୍ବାଇ ଠାରେ ସମ୍ମିଳନୀ, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଯାଇଛି। (ପିଆଇବି)

Related posts