ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Published: Aug 5, 2022, 6:56 pm IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ରାଜ୍ୟର ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ର ବକେୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଟ୍ୱିଟରରେ ଦୁହିଁଙ୍କ ସାକ୍ଷାତ ସମ୍ପର୍କିତ ଏକ ଚିତ୍ର ସେୟାର କରିଛି।

ମୁଖ୍ୟମନ୍ତ୍ରୀ ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟି ପାରନ୍ତି। ଏହାପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ବାନାର୍ଜୀ ଦିଲ୍ଲୀରେ ଦଳର ସାଂସଦଙ୍କୁ ଭେଟିଥିଲେ। ଏହି ସମୟରେ ସେ ସଂସଦର ବର୍ତ୍ତମାନର ଅଧିବେଶନ ଏବଂ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଗଷ୍ଟ ୭ ତାରିଖରେ NITI ଆୟୋଗର ବୈଠକରେ ଯୋଗଦେବେ। ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ NITI ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ଯେଉଁଥିରେ କୃଷି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା ହେବ।

ସୂତ୍ରରୁ ପ୍ରକାଶ ଯେ ଶନିବାର ଦିନ ଟିଏମସି, ଟିଆରଏସ ଏବଂ ଏଏପି ଭଳି ଅଣ କଂଗ୍ରେସ ବିରୋଧୀ ଦଳର ନେତାଙ୍କ ସହ ଏକ ବୈଠକ ମଧ୍ୟ ଧାର୍ଯ୍ୟ କରାଯାଇଛି। ମମତା ବାନାର୍ଜୀ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟି ପାରନ୍ତି। ସଂସଦର ବର୍ତ୍ତମାନର ମୌସୁମୀ ଅଧିବେଶନରେ ଏପରି ଅନେକ ଘଟଣା ଘଟିଛି, ଯେତେବେଳେ କଂଗ୍ରେସ ଏବଂ ଟିଏମସି ବିଭାଜିତ ହୋଇଥିବାର ଦେଖାଯାଇଛି।

Related posts