ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଖୁବ୍ ନିକଟତର । ଆସନ୍ତା ମେ ୨୩ ତାରିଖରେ ଆସିବ ଫଳାଫଳ । ଏବେଠୁ ସରକାର ଗଢିବା ନେଇ କଳ୍ପନା ଜଳ୍ପନା ଲାଗି ଗଲାଣି । କେନ୍ଦ୍ରରେ ଝୁଲା ସରକାର ଆସୁଥିବାର ଅନୁମାନ କରାଯାଉଛି । ତେବେ ବିଜେପି ପୁଣି ଥରେ ବହୁ ସଂଖ୍ୟାରେ ବାଜିମାତ କରିବ ବୋଲି ପ୍ରଚାର କରୁଥିବାବେଳେ ବିଜେପି ବିରୋଧୀ ମେଣ୍ଟଗୁଡ଼ିକ ଏବେ ବେଶ୍ ଶକ୍ତ ହେବାରେ ଲାଗିଛନ୍ତି । ମେ ୨୩ ତାରିଖରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏନ୍ଡିଏ ବିରୋଧୀ ତଥା ୟୁପିଏ ସମର୍ଥିତ ଦଳଗୁଡ଼ିକ ସହ ବୈଠକ କରିବେ ବୋଲି ଆମନ୍ତ୍ରଣ ଜଣାଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ବେଶ ନିର୍ଣ୍ଣାୟକ ଭୂମିକା ନିଭାଇବ ବୋଲି ଜଣାପଡିଛି । ତେବେ କେନ୍ଦ୍ରରେ ସରକାର ଗଠନ ନେଇ ସପା-ବିଏସ୍ପି, ବିଜେପି ଓ କଂଗ୍ରେସ ଉଭୟ ଆଶାବାଦୀ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଚାଲିଛି । ମମତା ବାନାର୍ଜୀ, ଚନ୍ଦ୍ର ବାବୁ ନାଇଡୁ, ମାୟାବତୀ, ରାହୁଲ୍ ଗାନ୍ଧି ପ୍ରମୁଖ ପ୍ରଧାନମନ୍ତ୍ରୀ ରେସ୍ରେ ଥିବାବେଳେ ଏବେ ବିଜେଡ଼ି ପ୍ରମୁଖ ନବୀନ ମଧ୍ୟ ଏହି ରେସ୍ରେ ରହିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ମତ ଦେଇଛନ୍ତି । ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ରହିଥିବା ଶ୍ରୀ ପାତ୍ର କହିଛନ୍ତି, ଚଳିତ ବର୍ଷ ବିଜେଡି ସମଦୂରତ୍ବ ପନ୍ଥା ଅବଲମ୍ବନ କରିବ ନାହିଁ । ଯେଉଁ ଦଳ ଓଡିଶାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବ ଦଳ ତାକୁ ସମର୍ଥନ ଜଣାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି । ପୂର୍ବରୁ ବିଜୁବାବୁ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଦେଶ ତଥା ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଆଶା କରୁଛନ୍ତି । ଏହା ସହିତ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀତ୍ବର ସମ୍ଭାବନାକୁ ଖଣ୍ଡନ କରିଛନ୍ତି ସୂର୍ଯ୍ୟ ପାତ୍ର । ବହୁ ସମୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦବୀରେ ବସାଇ ପଛରୁ ଗୋଡ ଟାଣିଥାଏ ତେଣୁ ନବୀନ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଶାୟୀ ତାଲିକାରେ ନ ରହିବା ଉଚିତ୍ । ଏହି ମନ୍ତବ୍ୟ ସହିତ ପ୍ରକାଶ୍ୟରେ ତୃତୀୟ ସାମ୍ମୁଖ୍ୟ ପ୍ରତି ନିଜର ସମର୍ଥନ ବିଷୟ ଘୋଷଣା କରିଛି ବିଜେଡି ।
ନବୀନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯୋଗ୍ୟ : ସୂର୍ଯ୍ୟ ପାତ୍ର
Published:
May 17, 2019, 3:12 pm IST
Tags: