
ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଏମଏସ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଚାଳିଷ ଦିନ ଧରି ଆଇସିୟୁରେ ଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ଫଳରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହିତ ରାଜୁ ଶ୍ରୀବାସ୍ତବଙ୍କ ଏକ ଫଟୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। ସେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବ ହାସ୍ୟ ଏବଂ ସକାରାତ୍ମକତା ସହିତ ଆମ ଜୀବନକୁ ଉଜ୍ଜ୍ୱଳିତ କରିଥିଲେ। ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଯାଇଛନ୍ତି। ହେଲେ ବର୍ଷ ବର୍ଷ ଧରି କରିଥିବା ତାଙ୍କର ଉଚ୍ଚକୋଟିର ଅଭିନୟ ଯୋଗୁଁ ସେ ଅଗଣିତ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ଦେହାନ୍ତ ବଡ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ‘