
ଭୁବନେଶ୍ଵର: ଆଜି ଚିଟଫଣ୍ଡ ଦୁର୍ନୀତି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରାଜ୍ୟସରକାର ଏବଂ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ମିଳିନଥିବାରୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେପ୍ରସଙ୍ଗରେ ଜାଣିବା ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନ୍ୟାୟାଧୀଶ ଏମଆର ଶାହା ଏବଂ ନ୍ୟାୟାଧୀଶ କ୍ରୀଷ୍ଣା ମୁରାଲିଙ୍କ ଖଣ୍ଡପୀଠ ଶୁଣାଣି କରି ଏହା ଉପରେ ଜବାବ ରଖିବାକୁ ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଚିଠଫଣ୍ଡ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରୁଥିଲା। ଏହାସହିତ ରାଜ୍ୟସରାକର ମଧ୍ୟ ତଦନ୍ତ କମିଟି ଗଠନ କରିଥିଲେ। ଏହାପରେ ବହୁ ଠକ ସଂସ୍ଥା ପକ୍ଷରୁ ମଧ୍ୟ କୋଟି କୋଟି ଟଙ୍କା ଆଦାୟ କରାଯାଇଥିଲା। ଏସବୁ ସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇନଥିବାରୁ ସୁପ୍ରିମକୋର୍ଟ ସଜ୍ଞାନକୁ ନେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖ ଦିନ ହେବ ବୋଲି ଧାର୍ଯ୍ୟ କରାଯାଇଛି।