ନାଚୁଣୀ: ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

Published: Oct 16, 2022, 8:48 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଖବର ମିଳିଛି।  ସୂଚନା ମୁତାବକ ଆଜି ସକାଳେ ବଡପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରିବା ବେଳକୁ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଠାବ କରିବା ପାଇଁ ପୋଲିସ ତାହାର ପ୍ରୟାସ ଆରମ୍ଭ କରିଦେଇଥିବାର ଆଇଆଇସି କହିଛନ୍ତି।

ସୂଚନାଥାଉ କି ନାଚୁଣୀ କଉଡ଼ିଖଣି ଛକରେ ଅଣ୍ଡରପାସ ନଥିବାରୁ ବହୁ ଧନଜୀବନ ବାରମ୍ବାର ଦୁର୍ଘଟଣା ଦ୍ୱାରା ନଷ୍ଟ ହେଉଛି। ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ସତ୍ତ୍ୱେ ଏଠାରେ ଅଣ୍ଡରପାସ ନିର୍ମାଣ କରାଯାଉନାହିଁ।

Related posts