Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆପଣ ଜାଣିଛନ୍ତି କି? ଯଦି ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ମିଳିବ ଟଙ୍କା

ଭୁବନେଶ୍ବର: ଅନେକ ସମୟରେ ରାସ୍ତାରେ କାହାକୁ ଗାଡି ଧକ୍କା କରି ଦ୍ରୁତ ଗତିରେ ଚାଲିଯାଏ। ଲୋକେ ଜାଣିବା ପୂର୍ବରୁ ସେ ଗାଡି କେଉଁ ଆଡେ ଉଭାନ ହୋଇଯାଏ। ଫଳରେ ଏହି ଧକ୍କାରେ ମୃତ୍ୟୁ ବରଣ କିମ୍ବା ଅକ୍ଷମ ହେଲା ସେମାନଙ୍କୁ ବୀମା ମିଳିବା କଷ୍ଟକର ବ୍ୟାପାର।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 2018 ମସିହାରେ ପ୍ରଣୟନ କରିଛନ୍ତି ସୋଲାସିୟମ ଫଣ୍ଡ। ଏହା ପରିବାହନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଛି। ଏଥିରେ ଅଜଣା ଗାଡିରେ ମୃତ୍ୟୁବରଣ କଲେ 2 ଲକ୍ଷ ଏବଂ ଗୁରୁତର ଆହତ ହେଲେ 50 ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି। ହେଲେ ଏହି ଫଣ୍ଡର ଉପଯୁକ୍ତ ବିନିଯୋଗ ହୋଇପାରୁ ନାହିଁ। କାରଣ ଏ ନେଇ ନା ଡାକ୍ତରଖାନା ନା ପୋଲିସ ନା ପରିବହନ ବିଭାଗ କେହି ହିତାଧିକାରୀଙ୍କୁ ଜଣାଉ ନାହାଁନ୍ତି।

ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ଯୋଜନାରେ କେତେକ ନିୟମ କୋହଳ କରାଯାଇଛି। ପୂର୍ବରୁ ଏହି ଫଣ୍ଡ ପାଇଁ ଯେଉଁମାନେ ଉପଯୁକ୍ତ ସେମାନେ 6 ମାସ ମଧ୍ୟରେ ଆବେଦନ କରିବାକୁ କୁହାଯାଇଥିଲା। ହେଲେ ବର୍ତ୍ତମାନ ତାହାକୁ ଏକ ବର୍ଷକୁ ବୃଦ୍ଧି କରାଯାଇଛି। ଯେଉଁମାନେ ଆବେଦନ କରିବେ ସେମାନେ ନିକଟସ୍ଥ ପରିବହନ ବିଭାଗ କିମ୍ବା ଜିଲ୍ଲାପାଳ ଅଫିସରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ମଇଁଷି ଚରାଳିଙ୍କ ମୃତ୍ୟୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗାଁ ନିକଟରେ ଏଚ୍ ଜଗନ୍ନାଥ ପାତ୍ର ନାମକ ଜଣେ ମଇଁଷି ଚରାଳି କିଛି ମଇଁଷି ଧରି ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଗଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି।

ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସୂଚନା ମୁତାବକ ଗତକାଲି ରାତିରେ ଖଡ଼ିକାପଲ୍ଲି ଗ୍ରାମର ରବୀନ୍ଦ୍ର ସ୍ୱାଇଁ (୬୨) ନିଜ ସାଇକେଲ ଯୋଗେ ଖଡ଼ିକାପଲ୍ଲି ଛକରୁ ସୁବୁଦ୍ଧିପାଟଣା ଯିବା ପାଇଁ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ହଠାତ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାରଟି ରବୀନ୍ଦ୍ରଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ହେଲେ ମେଡିକାଲରେ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବାଲୁଗାଁ ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ, ତଦନ୍ତ କରୁଛି ଚାନ୍ଦପୁର ପୋଲିସ

ରଣପୁର: ରଣପୁର ବ୍ଲକ ଚାନ୍ଦପୁର ଥାନା ଅଧିନସ୍ଥ କଟକ ସହର ନିକଟରେ ଆଜି ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଗୌରି ବାରିକ (୬୦) ନାମକ ଜଣେ ବ୍ୟକ୍ତି କଟକ ସହର ନିକଟରେ ରାସ୍ତା ପାରି ହେବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଗୌରିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି।

ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଂଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରଣପୁର ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ମୃତ ଗୌରି ବାରିକଙ୍କ ଘର ରଣପୁର ସୁଆଁସିଆ ସାହିର ହୋଇଥିବା ବେଳେ ସେ ବେଣ୍ଟ ଗ୍ରାମରେ ଭଡା ରହୁଥିଲେ ବୋଲି ଜଣା ପଡିଛି। ତେବେ ଏହି ମାମଲାରେ ଚାନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଖବର ମିଳିଛି।  ସୂଚନା ମୁତାବକ ଆଜି ସକାଳେ ବଡପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରିବା ବେଳକୁ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଠାବ କରିବା ପାଇଁ ପୋଲିସ ତାହାର ପ୍ରୟାସ ଆରମ୍ଭ କରିଦେଇଥିବାର ଆଇଆଇସି କହିଛନ୍ତି।

ସୂଚନାଥାଉ କି ନାଚୁଣୀ କଉଡ଼ିଖଣି ଛକରେ ଅଣ୍ଡରପାସ ନଥିବାରୁ ବହୁ ଧନଜୀବନ ବାରମ୍ବାର ଦୁର୍ଘଟଣା ଦ୍ୱାରା ନଷ୍ଟ ହେଉଛି। ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ସତ୍ତ୍ୱେ ଏଠାରେ ଅଣ୍ଡରପାସ ନିର୍ମାଣ କରାଯାଉନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କାମ ସାରି ବାଣପୁର ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କଲେ ବ୍ୟାଙ୍କ ମ୍ୟାନେଜର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଜଣା ଗାଡି ଧକ୍କା ଯୋଗୁଁ ଜଣେ ବ୍ୟାଙ୍କ ପରିଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ ପରିଚାଳକ ଜଣଙ୍କ ବାଣପୁରର ପ୍ରଫୁଲ୍ଲ ବାରିକ (୫୫) ବୋଲି ଜଣାପଡିଛି। ସେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ।

ଗତ କାଲି ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ପ୍ରଫୁଲ୍ଲ ନିଜ ସ୍କୁଟି ଯୋଗେ ବାଣପୁର ଫେରୁଥିଲେ। ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। କ୍ରମେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତ ଦେହ ଟାଙ୍ଗୀ ମେଡିକାଲକୁ ପରିବାର ଲୋକେ ଫେରାଇ ଆଣିଥିଲେ। ବର୍ତ୍ତମାନ ଟାଙ୍ଗୀ ମେଡିକାଲରେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରୁଥିବା ଜଣା ପଡିଛି। ତେବେ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବାରୁ ଶବକୁ ଖୋର୍ଦ୍ଧା ନପଠାଇ ବାଣପୁର ମେଡିକାଲ ପଠେଇବା ପାଇଁ ପରିବାର ପକ୍ଷରୁ ଟାଙ୍ଗୀ ପୋଲିସକୁ ଅନୁରୋଧ କରାଯାଉଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଂକିଆ: ଅଜଣା ଗାଡି ଧକ୍କାରେ ୬ ଗୋରୁ ମୃତ

ଜଂକିଆ: ୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଥାନା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୬ଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗୋରୁଗୁଡିକ ଜାତୀୟ ରାଜପଥ ଉପରେ ଶୋଇଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାରେ ୬ଟି ଗୋରୁ ମୃତ୍ୟୁ ବରଣ କରିଥିବା ସନ୍ଦେଶ କରାଯାଉଛି। ଦୁର୍ଘଟଣା ଘଟାଇବା ପରେ ଗାଡିଟି ପଳାଇଯାଇଥିବା ଜଣାପଡିଛି। ସ୍ଥାନୀୟ ଅଂଚଳ ଲୋକେ ଓ ଜାତୀୟ ରାଜପଥ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗୁଡିକକୁ ରାସ୍ତା ଉପରୁ ଉଦ୍ଧାର କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢାଖୋଲ ରାସ୍ତାର ପଣ୍ଡକିମାଲ ଚ‌ଉରା ଛକରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ଜଣଙ୍କ ହେଲେ ରେଢାଖୋଲ ଥାନା ପଣ୍ଡକିମାଳଗ୍ରାମ ମୁଣ୍ଡାସାହିର ମହେନ୍ଦ୍ର ମୁଣ୍ଡା। ସେ ରାତିରେ ପଣ୍ଡକିମାଳକୁ କୌଣସି ଏକ କାମରେ ଆସି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ତାକୁ ଧକ୍କା ଦେଇ ଫେରାର୍ ହୋଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଆଜି ଭୋରରୁ ଗ୍ରାମର କିଛି ଲୋକ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ, ଦୁର୍ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାକୁ ଶବଟିକୁ ଆଣି ବ୍ୟବଚ୍ଛେଦ କରାଯାଇଥିଲା। ରେଢ଼ାଖୋଲ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଅଜଣା ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ, ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ଏହାର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ।

ମୃତ ବ୍ୟକ୍ତି ଜଣେ ପୁରୁଷ ହୋଇଥିବା ବେଳେ ରାତି ପ୍ରାୟ ୩ ଘଟିକାଟାରେ ଉକ୍ତ ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି। ଟାଙ୍ଗୀରୁ ବାଲୁଗାଁ ଯିବା ରାସ୍ତାରେ ଏହି ଦୁର୍ଘଟଣାଟି ହୋଇଛି।

ଜଣେ ୩୦ ରୁ ୩୫ ବର୍ଷ ବୟସ୍କ ଯୁବକ ଏକ ସ୍କୁଟିରେ ଟାଙ୍ଗୀରୁ ବାଲୁଗାଁ ଯାଉଥିବା ରାସ୍ତାରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିବାର ଖବର ହସ୍ତଗତ ହୋଇଛି। ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ହୋଇଛି ଯେ, ସ୍କୁଟିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଏହା ସହ ସ୍କୁଟି ଚାଳକଙ୍କ ମୃତ ଶରୀର ସଂପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ତେଣୁ ମୃତ ବ୍ୟକ୍ତିଙ୍କୁ ଚିହ୍ନିବା ସମ୍ଭବ ହୋଇପାରି ନାହିଁ। ସ୍କୁଟି ନମ୍ବରରୁ ପୋଲିସ୍ ତାଙ୍କର ଅନୁସନ୍ଧାନ ଜରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଢ଼ାବା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ବାଲୁଗାଁ ଥାନା ବାଙ୍କିଆପଲି ଗ୍ରାମର ରୀନା ବେହେରା (୭୨) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ମାଛ ବିକ୍ରି କରିବା ଉଦ୍ଦେଶ୍ୟରେ ପାରିକଂସାରୀ ଯିବା ପାଇଁ ଉଦ୍ୟତ ହେଉଥିଲେ। ସେହିସମୟରେ ବୃଦ୍ଧା ଜଣଙ୍କ ତାରିଣୀ ଢ଼ାବା ନିକଟରେ ସଡ଼କ ପାର କରୁଥିବା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ଅଜଣା ଗାଡ଼ି ରୀନାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ତେବେ ଗୁରୁତର ଅବସ୍ଥାରେ ରୀନାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ଏହାପରେ ଦୁର୍ଘଟଣା ସମ୍ପର୍କରେ ବାଲୁଗାଁ ଥାନାକୁ ସୂଚନା ଦେଇଥିଲେ। କିନ୍ତୁ ମେଡିକାଲରେ ରୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ବେଳେ କେସ ନମ୍ବର ୨୨୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ତଦନ୍ତକାରୀ ଅଧିକାରୀ ଏଏସଆଇ ଶରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ରୀନାଙ୍କ ପରିବାର ବର୍ଗ କେହି ନଥିବା ବେଳେ କେବଳ ଜଣେ ବିବାହିତା ଝିଅ ଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତି ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଅଜଣା ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନିମାଇଁମଲ ଗ୍ରାମର ମାଧବ ସ୍ୱାଇଁ (୫୫) ପେସାରେ ଜଣେ ମେକାନିକ। ମାଧବ ଆଜି ସନ୍ଧ୍ୟା ୭ ଘଟିକାରେ ମେକାନିକ କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଆଇଏନଏସ ଚିଲିକା ଛକ ନିକଟରେ ଏକ ଅଜଣା ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ଦୁର୍ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ମାଧବଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନାଭଲ ଫାଣ୍ଡି ପୋଲିସ ଫେରାର ଗାଡିକୁ ଖୋଜିବାରେ ଲାଗିପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣି ଓଭର ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏନେଇ ନାଚୁଣି ଫାଣ୍ଡି ପୋଲିସ ସୂଚନା ଦେଇଛି।

ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସୂଚନା ମୁତାବକ ଆଜି ସକାଳେ ନାଚୁଣି ଓଭର ବ୍ରିଜ ନିକଟରେ ଜଣେ ମୃତ ବ୍ୟକ୍ତି ପଡିଥିବାର ଖବର ପାଇଥିଲା ପୋଲିସ। ଦୁର୍ଘଟଣା କାରଣରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଗୋପୀନାଥ ମୁଦୁଲି (୩୫)। ତାଙ୍କ ନିଜଘର ସୁନଖଳା ଗ୍ରାମ ହୋଇଥିବାବେଳେ ସେ କିନ୍ତୁ ନାଚୁଣିରେ ରହୁଥିଲେ।

ସବୁଦିନ ପରି ଆଜି ସକାଳେ ଗୋପୀନାଥ ଶୌଚ ହେବା ନିମନ୍ତେ ନାଚୁଣି ଓଭର ବ୍ରିଜ ନିକଟକୁ ଯାଇଥିବାବେଳେ କୌଣସି କାରଣ ବଶତଃ ଏକ ଯାନ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଗୋପୀନାଥ ଙ୍କର ମୃତ୍ୟୁ ହୋଇଛି।

ପୋଲିସ ଠାରୁ ସୂଚନା ପାଇ ଗଙ୍ଗାଧରପୁର ଅଗ୍ନିଶମ ବହିନୀ ଉକ୍ତ ମୃତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ନାଚୁଣି ଫାଣ୍ଡି ପୋଲିସ ଏ ସଂକ୍ରାନ୍ତରେ ବାଣପୁର ଥାନାରେ ୨୯୧/୨୧ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବାଣପୁର ପଠେଇଦେଇଛି। ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ବୋଲି ନାଚୁଣି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।