ବାଲୁଗାଁ: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

Published: Dec 18, 2021, 5:47 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଢ଼ାବା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ବାଲୁଗାଁ ଥାନା ବାଙ୍କିଆପଲି ଗ୍ରାମର ରୀନା ବେହେରା (୭୨) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ମାଛ ବିକ୍ରି କରିବା ଉଦ୍ଦେଶ୍ୟରେ ପାରିକଂସାରୀ ଯିବା ପାଇଁ ଉଦ୍ୟତ ହେଉଥିଲେ। ସେହିସମୟରେ ବୃଦ୍ଧା ଜଣଙ୍କ ତାରିଣୀ ଢ଼ାବା ନିକଟରେ ସଡ଼କ ପାର କରୁଥିବା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ଅଜଣା ଗାଡ଼ି ରୀନାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ତେବେ ଗୁରୁତର ଅବସ୍ଥାରେ ରୀନାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ଏହାପରେ ଦୁର୍ଘଟଣା ସମ୍ପର୍କରେ ବାଲୁଗାଁ ଥାନାକୁ ସୂଚନା ଦେଇଥିଲେ। କିନ୍ତୁ ମେଡିକାଲରେ ରୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ବେଳେ କେସ ନମ୍ବର ୨୨୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ତଦନ୍ତକାରୀ ଅଧିକାରୀ ଏଏସଆଇ ଶରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ରୀନାଙ୍କ ପରିବାର ବର୍ଗ କେହି ନଥିବା ବେଳେ କେବଳ ଜଣେ ବିବାହିତା ଝିଅ ଥିବା ସୂଚନା ମିଳିଛି।

Related posts