ବରଗଡ ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ୫-‘ଟି’ ସ୍କୁଲ ରୂପାନ୍ତରୀକରଣ ପ୍ରକ୍ରିୟାର ଶୁଭାରମ୍ଭ

Published: Oct 26, 2022, 10:54 pm IST

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୫-‘ଟି’ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ରାଜ୍ୟରେ ସମ୍ଭବ ହୋଇନାହିଁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ମନ୍ତ୍ରୀ ଶ୍ରୀ ଅମାତ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ର ଛେତଗାଁ, ଭୁବନେଶ୍ୱରପୁର, ଝିଟିକି ଗସ୍ତ କରି ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମପଞ୍ଚାୟତ ହାଇସ୍କୁଲ ଛେତ୍‌ଗାଁ, ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଭୁବନେଶ୍ୱରପୁର ଏବଂ ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ୫-‘ଟି’ ଅନ୍ତର୍ଗତ ରୂପାନ୍ତରୀକରଣରେ ଅନ୍ତର୍ଭୁକ୍ତ ହୋଇଥିବାରୁ ରୂପାନ୍ତରୀକରଣ ପ୍ରକ୍ରିୟାର ଶୁଭାରମ୍ଭ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ପିଲାମାନେ ସ୍ମାର୍ଟ କ୍ଲାସ ରୁମ୍‌ରେ ପାଠ ପଢ଼ିବେ, ସମସ୍ତ ବିଦ୍ୟାଳୟରେ ଇଣ୍ଟରନେଟ୍‌ର ବ୍ୟବସ୍ଥା, ବିଜ୍ଞାନଗାର ଓ ଇ-ଲାଇବ୍ରେରୀ ହେବ। ବ୍ଲାକ୍‌ବୋର୍ଡ ବଦଳରେ ପିଲାମାନେ ସ୍ମାର୍ଟ ଇଣ୍ଟରଆକଫିଭ୍‌ ଫ୍ଲାଟ୍‌ ପାନେଲ୍‌ ବୋର୍ଡରେ ପଢ଼ିବେ। ଛାତ୍ରଛାତ୍ରୀମାନେ ଉନ୍ନତ ବୈଷୟିକ କୌଶଳଯୁକ୍ତ ଜ୍ଞାନ ଲାଭ କରି ରାଜ୍ୟ ତଥା ଦେଶର ପ୍ରଗତିରେ କର୍ଣ୍ଣଧାର ସାଜିବେ। ଶିକ୍ଷାର ଉନ୍ନତି ସହ ସମଗ୍ର ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିସଂପନ୍ନ ଚିନ୍ତାଧାରା ନିଶ୍ଚିତ ରୂପେ ପ୍ରଭାବଶାଳୀ ରୂପାନ୍ତରଣ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହି ଅବସରରେ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍‌ ଉପାଧ୍ୟକ୍ଷ ସଂଜୀବ ବରିହା, ପାଇକମାଳର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଅଭିଭାବକ, ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।

Related posts