Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନ କରାଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ, ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଭାରତର ଏକତା ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରହିଛି। ବିଧାୟକ ଶ୍ରୀ ସୁରେଶ ରାଉତରାୟ ଏବଂ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ସମ୍ପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଓ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବରଗଡ ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ୫-‘ଟି’ ସ୍କୁଲ ରୂପାନ୍ତରୀକରଣ ପ୍ରକ୍ରିୟାର ଶୁଭାରମ୍ଭ

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୫-‘ଟି’ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ରାଜ୍ୟରେ ସମ୍ଭବ ହୋଇନାହିଁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ମନ୍ତ୍ରୀ ଶ୍ରୀ ଅମାତ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ର ଛେତଗାଁ, ଭୁବନେଶ୍ୱରପୁର, ଝିଟିକି ଗସ୍ତ କରି ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମପଞ୍ଚାୟତ ହାଇସ୍କୁଲ ଛେତ୍‌ଗାଁ, ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଭୁବନେଶ୍ୱରପୁର ଏବଂ ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ୫-‘ଟି’ ଅନ୍ତର୍ଗତ ରୂପାନ୍ତରୀକରଣରେ ଅନ୍ତର୍ଭୁକ୍ତ ହୋଇଥିବାରୁ ରୂପାନ୍ତରୀକରଣ ପ୍ରକ୍ରିୟାର ଶୁଭାରମ୍ଭ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ପିଲାମାନେ ସ୍ମାର୍ଟ କ୍ଲାସ ରୁମ୍‌ରେ ପାଠ ପଢ଼ିବେ, ସମସ୍ତ ବିଦ୍ୟାଳୟରେ ଇଣ୍ଟରନେଟ୍‌ର ବ୍ୟବସ୍ଥା, ବିଜ୍ଞାନଗାର ଓ ଇ-ଲାଇବ୍ରେରୀ ହେବ। ବ୍ଲାକ୍‌ବୋର୍ଡ ବଦଳରେ ପିଲାମାନେ ସ୍ମାର୍ଟ ଇଣ୍ଟରଆକଫିଭ୍‌ ଫ୍ଲାଟ୍‌ ପାନେଲ୍‌ ବୋର୍ଡରେ ପଢ଼ିବେ। ଛାତ୍ରଛାତ୍ରୀମାନେ ଉନ୍ନତ ବୈଷୟିକ କୌଶଳଯୁକ୍ତ ଜ୍ଞାନ ଲାଭ କରି ରାଜ୍ୟ ତଥା ଦେଶର ପ୍ରଗତିରେ କର୍ଣ୍ଣଧାର ସାଜିବେ। ଶିକ୍ଷାର ଉନ୍ନତି ସହ ସମଗ୍ର ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିସଂପନ୍ନ ଚିନ୍ତାଧାରା ନିଶ୍ଚିତ ରୂପେ ପ୍ରଭାବଶାଳୀ ରୂପାନ୍ତରଣ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହି ଅବସରରେ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍‌ ଉପାଧ୍ୟକ୍ଷ ସଂଜୀବ ବରିହା, ପାଇକମାଳର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଅଭିଭାବକ, ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ରାଜ୍ୟରେ ଉନ୍ମୋଚିତ ହେଲା ବନବାହିନୀ ଶହୀଦ ସ୍ମାରକ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍‌ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବନବାହିନୀ ଶହୀଦ ସ୍ମାରକର ଉନ୍ମୋଚନ କରିବା ସହିତ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ଶହୀଦ ହୋଇଥିବା ଆମ ରାଜ୍ୟର ୨୧ ଜଣ ଜଙ୍ଗଲ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ନାମ ଏହି ସ୍ମାରକରେ ଉଲ୍ଲେଖ ହୋଇଛି।
ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବାବେଳେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ମାନବ-ବନ୍ୟଜନ୍ତୁ ବିବାଦ ଓ ଜଙ୍ଗଲରେ ଅଗ୍ନି ସଂଯୋଗ ଭଳି ପ୍ରତିକୂଳ ପରିସ୍ଥିିିତିରେ ବିଭାଗୀୟ କ୍ଷେତ୍ର କର୍ମଚାରୀମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଅନେକ ମାତ୍ରାରେ ସୁରକ୍ଷିତ କରି ରଖିବାରେ ସମର୍ଥ ହୋଇଛନ୍ତି ବୋଲି ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କୁ ଅଧିକରୁ ଅଧିକ ସଚେତନ କରିବା ସହିତ ଜଙ୍ଗଲ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ। କାରଣ ପ୍ରକୃତିର ସନ୍ତୁଳନ ବଜାୟ ରଖିବାକୁ ହେଲେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ଯେ ପ୍ରାକୃତିକ ସଂପଦ ହେଉଛି ସବୁଠାରୁ ଶ୍ରେଷ୍ଠ ସଂପଦ। ଏଗୁଡ଼ିିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ। ପୃଥିବୀକୁ ସୁନ୍ଦର କରି ରଖିବାକୁ ହେଲେ ପ୍ରକୃତିକୁ ସବୁଜମୟ କରି ରଖିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ସୁଶ୍ରୀ ପୁସା ଜେଡ୍‌. ମେକ୍ରୋ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପଲି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀ ଏମ୍‌. ମୁରୁଗେସାନ୍‌, ଏବଂ ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେଲା ଭାରତର ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଭାରତର ୭୫୦୦ କିଲୋମିଟର ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନୈତିକ ଓ ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ବିଶ୍ୱର ଏହି ସପ୍ତମ ବୃହତ୍ତମ ଉପକୂଳରେ ଦେଶର ପାଖାପାଖି ୨୦ ପ୍ରତିଶତ ଜନସଂଖ୍ୟା ଏବଂ ୧୭ ହଜାରରୁ ଊଦ୍ଧ୍ୱର୍ ପ୍ରାଣୀ ଓ ଉଦ୍ଭିଦ ବସବାସ କରୁଛନ୍ତି। ସମୁଦ୍ର ଉପକୂଳରେ ଅବସ୍ଥାନ କରୁଥିବା ମଣିଷମାନଙ୍କୁ ଅଧିକ ସହନଶୀଳ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ଉପକୂଳ ସାମୁଦି୍ରକ ସମ୍ବଳର ସ୍ଥାୟୀ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଶ୍ୱ ବ୍ୟାଙ୍କର ମିଳିତ ସହଯୋଗରେ ଏକ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ଓଡ଼ିଶାରେ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି।

ସେପ୍ଟେମ୍ବର ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ୧୯୬ କିଲୋମିଟର ପରିବ୍ୟାପ୍ତ ପ୍ରକଳ୍ପ ଓଡ଼ିଶାର ଦୁଇଟି ଉପକୂଳବର୍ତ୍ତୀ (ପାରାଦ୍ୱୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା) ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ପାଖାପାଖି ୨୯୩.୧୫ କୋଟି ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିରୋଧ କରିବାରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଦେଶର ଉପକୂଳ ଅଞ୍ଚଳରେ ସହନଶୀଳତା ଓ ଦୀର୍ଘସ୍ଥାୟିତ୍ୱ ବଢ଼ାଇବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ନିମନ୍ତେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଉଲ୍ଲେଖ କରିଛନ୍ତି।

ଉପକୂଳ ଓ ସାମୁଦି୍ରକ ଜୈବବିବିଧତା, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିରୋଧ ଏବଂ ଉପକୂଳ ପ୍ରଦୂଷଣ ରୋକିବା ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରି ଏ ସଂପର୍କିତ ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ଦେଶର ୧୩ଟି ଉପକୂଳ ରାଜ୍ୟର ବରିଷ୍ଠ ଅଧିକାରୀ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ଏକତି୍ରତ କରିବା ସମ୍ମିଳନୀର ଉଦ୍ଦେଶ୍ୟ।

ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୟୁଏନ୍‌ଡିପି ସହାୟତାରେ ଉପକୂଳ ଅଞ୍ଚଳବାସୀଙ୍କ ସହଭାଗିତା ଓ ସହନଶୀଳତା ବଢ଼ାଇବା ଏହି କାର୍ଯ୍ୟକ୍ରମର ଅନ୍ୟ ପ୍ରମୁଖ ଆଭିମୁଖ୍ୟ। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରିଚା ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬ ଜଣ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୁଚାରୁ ରୂପେ ସଂପାଦନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ନିଷ୍ଠାପର ଭାବରେ ନିୟୋଜିତ ହେବେ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଆଶାପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଅମାତ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନୂଆ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ହେବା ପରେ ସେ ରଥଯାତ୍ରା ସମୀକ୍ଷାରୁ କାର୍ଯ୍ୟ ଆରମ୍ଭ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଓ ସରସସୁନ୍ଦର କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱଗୁଡ଼ିକ ବାବଦରେ ସଚେତନ ହୋଇ ସଫଳ ସଂପାଦନରେ ଅଧିକାରୀ ତଥା କର୍ମଚାରୀମାନେ ପ୍ରତିବଦ୍ଧ ହେବାକୁ ମନ୍ତ୍ରୀ ଅମାତ ପରାମର୍ଶ ଦେଇଥିଲେ। ରଥଯାତ୍ରାର ବିଶ୍ୱପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ପ୍ରଚାର, ବିଜ୍ଞାପନ ଓ ପ୍ରଦର୍ଶନୀ ଇତ୍ୟାଦି ନେଇ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମୀକ୍ଷା ବୈଠକରେ ଯୋଗଦେଇ ସାମାଜିକ ଗଣମାଧ୍ୟମରେ ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରସାର ପାଇଁ ପରାମର୍ଶ ଦେବା ସହିତ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ବଳିତ ବିିଭିନ୍ନ କିମ୍ବଦନ୍ତୀ, ଲୋକକଥା, ତଥ୍ୟର ପ୍ରଚାର ଉପରେ ବିଭାଗ ଗୁରୁତ୍ୱ ଦେବ ବୋଲି ଉଲ୍ଲେଖ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ବିଭାଗ ତରଫରୁ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଉପରେ ସୂଚନା ଦେଇଥିଲେ। ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ, ଅନ୍ୟାନ୍ୟ  ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ସାମ୍ବାଦିକମାନଙ୍କ ଗସ୍ତ, ସମ୍ମାନନୀୟ ଅତିଥିମାନଙ୍କ ପରିଚର୍ଯ୍ୟା, ବିଭିନ୍ନ ପ୍ରକାଶନର ରଥଯାତ୍ରା ବିଶେଷାଙ୍କ ବିକ୍ରୟ, ଫଟୋଚିତ୍ର ପ୍ରଦର୍ଶନୀ, ବିଜ୍ଞାପନ ପ୍ରସାରଣ ସହିତ ହୋଡ଼ିଙ୍ଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ଉପରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅବଗତ କରାଇଥିବା ବେଳେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ରଥଯାତ୍ରା ଦିନ ଉଭୟ ପତି୍ରକାର ବିଶେଷାଙ୍କ ସଂଖ୍ୟା ଲୋକାର୍ପିତ ହେବ ବୋଲି ଉଲ୍ଲେଖ କରିଥିଲେ ।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।