Categories
ଆଜିର ଖବର ଜାତୀୟ ଖବର

ଜଙ୍ଗଲର ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍‌ ପ୍ରକାଶିତ

ନୂଆଦିଲ୍ଲୀ: ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍‌-୨୦୨୩ ପ୍ରକାଶ ପାଇଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକାରୀ ଯୋଜନାକୁ ପ୍ରକାଶ କରାଯାଇଛି।

ଆଜି ଜୁନ ୧୭ ତାରିଖଟି ମଧ୍ୟ ବିଶ୍ୱ ମରୁଭୂମି ବିସ୍ତାର ନିରୋଧ ଓ ମରୁଡି ପ୍ରତିରୋଧ ଦିବସ ଭାବେ ପାଳିତ ହୋଇଛି। ଏହି ଅବସରରେ ଡେରାଡୁନସ୍ଥିତ ଭାରତୀୟ ଜଙ୍ଗଲ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍‌ଆର୍‌ଇ) ସଦର କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସମୂହର ମହାନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଚନ୍ଦ୍ରପ୍ରକାଶ ଗୋୟଲ (ଆଇଏଫ୍‌ଏସ୍‌) ଏହି ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ ୨୦୨୩କୁ ଉନ୍ମୋଚନ କରିଥିଲେ।

ବିଶ୍ୱର ଯେଉଁ ଅଳ୍ପ କେତେକ ଦେଶରେ ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ହେଉଛି ସେଥିମଧ୍ୟରୁ ଭାରତ ଅନ୍ୟତମ। ଏହି କାମ କରିବା ପାଇଁ କାର୍ଯ୍ୟକାରୀ ଯୋଜନାର ବିଶେଷ ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ୨୦୦୪ରେ ଭାରତ ପ୍ରଥମେ ଏହି କୋଡ୍ ପ୍ରସ୍ତୁ୍‌ତ କରି ଜାତୀୟସ୍ତରରେ ଜଙ୍ଗଲ ପରିଚାଳନା ବ୍ୟବସ୍ଥା ବିଜ୍ଞାନଭିତ୍ତିକ ଉପାୟରେ ଆରମ୍ଭ କରିଥିଲା। ୨୦୧୪ରେ ଏହି ନୀତିରେ ସଂଶୋଧନ କରାଯାଇ ଏହାକୁ ଅଧିକ କ୍ରିୟାଶୀଳ କରିବାର ଉଦ୍ୟମ ହୋଇଥିଲା। ୨୦୧୪ର କୋଡ୍ ଜାତୀୟ କାର୍ଯ୍ୟକାରୀ ଯୋଜନାରେ ସମାନତା ଆଣିବା ସହ ଦେଶର ବିଭିନ୍ନ ଜଙ୍ଗଲ ଡିଭିଜନରେ ବିଜ୍ଞାନଭିତ୍ତିକ ଜଙ୍ଗଲ ପରିଚାଳନାକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରାଇବାରେ ଏକ ଦିଗ୍‌ଦର୍ଶନକାରୀ ନିର୍ଦ୍ଦେଶାବଳୀ ଭାବେ କାମ କରିଥିଲା।

ବିଭିନ୍ନ କାରଣରୁ ଭାରତରେ ଜଙ୍ଗଲର ସୁପରିଚାଳନା ଦରକାର ହୋଇଥାଏ। ପ୍ରାକୃତିକ ଐତିହ୍ୟର ସଂରକ୍ଷଣ, ପରିବେଶଗତ ସ୍ଥିରତା ରକ୍ଷା, ମୃତ୍ତିକାକ୍ଷୟ ରୋକିବା, ଜଳାଗମ ଅଞ୍ଚଳରେ ବୃକ୍ଷରାଜିର ସୁରକ୍ଷା, ପାହାଡ ପର୍ବତ ଘେରା ସମତଳ ଅଞ୍ଚଳ ବା ଡୁନ୍‌ଗୁଡିକର ଆକାର ବୃଦ୍ଧିକୁ ରୋକିବା, ଲୋକଙ୍କ ସହଯୋଗରେ ଗଛ ଓ ଜଙ୍ଗଲ ଆଚ୍ଛାଦନ ବଢାଇବା ଏବଂ ଜଙ୍ଗଲର ଉତ୍ପାଦକତା ବୃଦ୍ଧି କରିବା ଏସବୁ କାରଣ ମଧ୍ୟରୁ ଅନ୍ୟତମ। ଏହାର ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ  ନ ହେଲେ ଜଙ୍ଗଲ କ୍ଷୟ ହେବାର ସମ୍ଭାବନା ଅଧିକ ରହିଛି।

ଭାରତ ସହିତ ସମଗ୍ର ବିଶ୍ୱରେ ଯେଉଁ ବିଜ୍ଞାନ ଭିତ୍ତିକ ଜଙ୍ଗଲ ପରିଚାଳନା କାମ ଚାଲିଛି। ସେଥିରେ ନୂଆ ଉପାୟ, ଦୃଷ୍ଟିକୋଣ, ନୂତନ ଟେକ୍‌ନୋଲୋଜି ତଥା ନୂଆ ନୂଆ କଥା ସବୁ କରାଯାଇଛି। ତେଣୁ ଜଙ୍ଗଲର ସୁରକ୍ଷା ସହିତ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଆମକୁ ଜଙ୍ଗଲର ସୁପରିଚାଳନା କରିବାକୁ ପଡିବ।

ଜାତୀୟ କାର୍ଯ୍ୟକାରୀ ଯୋଜନା (ନେଶନାଲ ୱାର୍କ ପ୍ଳାନ) କୋଡ୍‌-୨୦୨୩ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ପାଇଁ ଏକ ପ୍ରମୁଖ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ। ଏହି ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ସବୁ ବନଖଣ୍ଡ ବା ଫରେଷ୍ଟ ଡିଭିଜନରେ ଜଙ୍ଗଲ ପରିଚାଳନା କାମ କାର୍ଯ୍ୟକାରୀ ହେବ। ଏହି ବିଜ୍ଞାନଭିତ୍ତିକ ପରିଚାଳନା କାର୍ଯ୍ୟ କିପରି କରାଯିବ ତାହା କୋଡ୍ -୨୦୨୩ରେ ସବିଶେଷ  ଉଲ୍ଲେଖ କରାଯାଇଛି। ଏଥିରେ ଜଙ୍ଗଲର ଆକାର ବୃଦ୍ଧି, ନୂଆ ଜଙ୍ଗଲ ସୃଷ୍ଟି ସହିତ ବୃକ୍ଷରୋପଣ, ଜଙ୍ଗଲର ରକ୍ଷଣାବେକ୍ଷଣ, ଏହାର ଜୈବ ବିବିଧତାର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳ ସମ୍ପଦର ସୁରକ୍ଷା ଏବଂ ଜଙ୍ଗଲର ଉତ୍ପାଦକତା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ ଜଙ୍ଗଲ ପରିଚାଳନାରେ ବନ୍ୟ ସମ୍ପଦର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଲାଭକୁ ଅତୁଟ ରଖି ଏଥିପାଇଁ ଉପଯୁକ୍ତ ନୀତି, ଆଇନଗତ ଓ ଆନୁଷ୍ଠାନିକ ଢାଞ୍ଚା ପ୍ରସ୍ତୁତ କରିବାକୁ ମଧ୍ୟ ଏହି ବିଜ୍ଞାନଭିତ୍ତିକ ପରିଚାଳନାରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଥର ପାଇଁ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ -୨୦୨୩ ଆବଶ୍ୟକ ତଥ୍ୟାବଳୀ ବା ଡାଟା ନିରନ୍ତର ସଂଗ୍ରହ କରିବାକୁ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ସବୁକୁ ନିର୍ଦ୍ଦେଶ ଦେଇଛି। ଫଳରେ ପ୍ରାଦେଶିକ ଜଙ୍ଗଲ ବିଭାଗ ସବୁ  ନିୟମିତ ଡାଟା ସଂଗ୍ରହ କରି ଏହାକୁ ଅଧୁନାତନ କରିବେ। ଏସବୁ ଡାଟାକୁ ଏକାଠି କରାଯାଇ ଏକ କେନ୍ଦ୍ରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯିବ।

ଭାରତୀୟ ଜଙ୍ଗଲ ପରିଚାଳନାର ମାନ ବା ଇଣ୍ଡିଆନ ଫରେଷ୍ଟ ମ୍ୟାନେଜମେଣ୍ଟ ଷ୍ଟାଣ୍ଡାର୍ଡ ଏହି କୋଡ୍‌ର ଅଂଶ ବିଶେଷ। ଏଥିରେ ଆମ ଦେଶର ବିବିଧ ଜଙ୍ଗଲ ପରିବେଶ ଓ ପରିତନ୍ତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ବଡ କଥା ହେଲା ଜଙ୍ଗଲ ପରିଚାଳନାରେ ସମତା ଆଣିବାକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ନିରନ୍ତର ତଥା ପୋଷଣୀୟ ଜଙ୍ଗଲ ପରିଚାଳନା ପାଇଁ କି କି ପ୍ରକାର ପଦକ୍ଷେପର ଆବଶ୍ୟକତା ରହିଛି ତାହାଏହି କୋଡ୍‌ରେ ସ୍ଥାନିତ ହୋଇଛି। ସେହିଭଳି ବିଜ୍ଞାନଭିତ୍ତିକ ପରିଚାଳନା ମାନ କିପରି ହେବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

ଆନ୍ତର୍ଜାତିକ ଓ ଜାତୀୟ ଅଭିଜ୍ଞତାକୁ ଭିତ୍ତି କରି ଜଙ୍ଗଲର ବିଜ୍ଞାନଭିତ୍ତିକ ପରିବେଶ ନୀତି ଓ ମାନ ନିର୍ଦ୍ଧାରିତ ହୋଇଛି। ଏହି କାର୍ଯ୍ୟକାରୀ ଯୋଜନା ଓ ଜଙ୍ଗଲ ପରିଚାଳନା ମାନ ଭାରତୀୟ ଜଙ୍ଗଲ ସମୂହର ସୁପରିଚାଳନା ତଥା ରକ୍ଷଣା ବେକ୍ଷଣରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ଲୋକମାନେ ଘର ପରିବର୍ତ୍ତେ ଜଙ୍ଗଲରେ ରହିବା ଉଚିତ୍, ଜାଣନ୍ତୁ କାହିଁକି ଏଭଳି କହିଲେ ଚାଣକ୍ୟ

ଚାଣକ୍ୟ ନୀତି: କିଛି ସମ୍ପର୍କ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଜଟିଳ, ସେଥିମଧ୍ୟରୁ ଗୋଟିଏ ହେଉଛି ପୁରୁଷର ମା ଏବଂ ସ୍ତ୍ରୀ ସହିତ ସମ୍ପର୍କ। ପ୍ରାୟତଃ ପୁରୁଷମାନେ ବିବାହ ପୂର୍ବରୁ ନିଜ ମା’ଙ୍କ ସହିତ ଅତି ନିକଟତର ହୁଅନ୍ତି। ମା’ର କୋଳ ହେଉଛି ତାଙ୍କର ସବୁଠାରୁ ବଡ ଖୁସି। ସେ ପ୍ରତ୍ୟେକ ଛୋଟ ଏବଂ ବଡ ଜିନିଷକୁ ନିଜ ମା ସହିତ ଅଂଶୀଦାର କରନ୍ତି। ଅନ୍ୟପକ୍ଷରେ ଯେତେବେଳେ ପତ୍ନୀ ବିବାହ ପରେ ଦାମ୍ପତ୍ୟ ଜୀବନରେ ପ୍ରବେଶ କରନ୍ତି, ଜୀବନରେ ଅନେକ ପରିବର୍ତ୍ତନ ଘଟେ। ଚାଣକ୍ୟ କହିଛନ୍ତି ଯେ, ଯିଏ ଏହି ଦୁଇଜଣଙ୍କର ସମ୍ମାନ ଏବଂ ପ୍ରେମ ବଜାୟ ରଖେ ସେ ସୁଖମୟ ଜୀବନ ବିତାଇଥାଏ। ଏଥି ସହିତ ଚାଣକ୍ୟ ଏକ ଶ୍ଳୋକରେ କହିଛନ୍ତି ଯେ, କେଉଁ ପୁରୁଷମାନେ ଘରୁ ଜଙ୍ଗଲକୁ ଯିବା ଉଚିତ୍। ଆସନ୍ତୁ ଜାଣିବା ଚାଣକ୍ୟ କାହିଁକି ମହିଳାଙ୍କ ଦୃଷ୍ଟିରୁ ପୁରୁଷଙ୍କ ପାଇଁ ଏପରି କଥା କହିଛନ୍ତି?

ମାତା ସତ୍ୟ ଗୃହେ ନାସ୍ତି ଭାର୍ଯ୍ୟା ଚାପ୍ରିୟବାଦିନୀ।

ଅରଣ୍ୟମ୍ ତେନ ଗନ୍ତବ୍ୟମ୍ ୟଥାରଣ୍ୟମ୍ ତଥା ଗ୍ରିହମ୍।।

ଏହି ଶ୍ଳୋକରେ ଚାଣକ୍ୟ ଘରେ ମହିଳା ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଘରେ ଜଣେ ମହିଳା ରହିବା ଅତ୍ୟନ୍ତ ଜରୁରୀ, କାରଣ ପିଲାଦିନରୁ ଯୌବନ ପର୍ଯ୍ୟନ୍ତ ମାତା ସେହି ବ୍ୟକ୍ତିଙ୍କୁ ମାର୍ଗଦର୍ଶନ କରନ୍ତି। ତାଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଇଥାନ୍ତି। ମମତାର ଛାୟା ଘରକୁ ଏକ ମନ୍ଦିର କରିଥାଏ। ମା ବିନା ଘରଟି ଶୂନ୍ୟ ହୋଇଯାଏ। ତେଣୁ ଚାଣକ୍ୟ କହିଛନ୍ତି ଯେ, ଏପରି ଘରେ ରହିବା ଅପେକ୍ଷା ଜଙ୍ଗଲକୁ ଯିବା ଭଲ, ଯେଉଁଠାରେ ଆପଣ ମାତା ପ୍ରକୃତିର କୋଳରେ ଶାନ୍ତି ଅନୁଭବ କରିପାରିବେ।

ଜୀବନରେ ପତ୍ନୀଙ୍କ ଭୂମିକା ବିଷୟରେ ଚାଣକ୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ମାତା ଏବଂ ନମ୍ର ପ୍ରକୃତିର ପତ୍ନୀ ମଧ୍ୟ ଘରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା କରିପାରିବେ। କିନ୍ତୁ ଯଦି ପତ୍ନୀ ପ୍ରତ୍ୟେକ ଜିନିଷ ଉପରେ ଅଭିଯୋଗ କରନ୍ତି, ଯେଉଁଥିରେ ପରିବାରକୁ ଏକାଠି ରଖିବାର କୌଣସି ଅର୍ଥ ନାହିଁ। ଏପରି ଘରେ ରହିବା ପରିବର୍ତ୍ତେ ଜଙ୍ଗଲକୁ ଚାଲିଯିବା ଭଲ। ଜଣେ ବ୍ୟକ୍ତି ସେହି ସ୍ଥାନରେ ରହିବା ଉଚିତ, ଯେଉଁଠାରେ ସେ ମାନସିକ ଶାନ୍ତି ଏବଂ ସୁଖ ପାଆନ୍ତି। ଚାଣକ୍ୟ କହିଛନ୍ତି ଘର ସେପର୍ଯ୍ୟନ୍ତ ରହିବା ଯୋଗ୍ୟ, ଯେପର୍ଯ୍ୟନ୍ତ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରହିଥାଏ। ଯଦି ଆମେ ଘରେ ଏକାଠି ରହି ପଶୁମାନଙ୍କ ପରି ଯୁଦ୍ଧ ଜାରି ରଖୁ, ତେବେ ଜଙ୍ଗଲରେ ରହିବାରେ କ’ଣ ଭୁଲ୍?

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ରାଜ୍ୟରେ ଉନ୍ମୋଚିତ ହେଲା ବନବାହିନୀ ଶହୀଦ ସ୍ମାରକ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍‌ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବନବାହିନୀ ଶହୀଦ ସ୍ମାରକର ଉନ୍ମୋଚନ କରିବା ସହିତ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ଶହୀଦ ହୋଇଥିବା ଆମ ରାଜ୍ୟର ୨୧ ଜଣ ଜଙ୍ଗଲ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ନାମ ଏହି ସ୍ମାରକରେ ଉଲ୍ଲେଖ ହୋଇଛି।
ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବାବେଳେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ମାନବ-ବନ୍ୟଜନ୍ତୁ ବିବାଦ ଓ ଜଙ୍ଗଲରେ ଅଗ୍ନି ସଂଯୋଗ ଭଳି ପ୍ରତିକୂଳ ପରିସ୍ଥିିିତିରେ ବିଭାଗୀୟ କ୍ଷେତ୍ର କର୍ମଚାରୀମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଅନେକ ମାତ୍ରାରେ ସୁରକ୍ଷିତ କରି ରଖିବାରେ ସମର୍ଥ ହୋଇଛନ୍ତି ବୋଲି ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କୁ ଅଧିକରୁ ଅଧିକ ସଚେତନ କରିବା ସହିତ ଜଙ୍ଗଲ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ। କାରଣ ପ୍ରକୃତିର ସନ୍ତୁଳନ ବଜାୟ ରଖିବାକୁ ହେଲେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ଯେ ପ୍ରାକୃତିକ ସଂପଦ ହେଉଛି ସବୁଠାରୁ ଶ୍ରେଷ୍ଠ ସଂପଦ। ଏଗୁଡ଼ିିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ। ପୃଥିବୀକୁ ସୁନ୍ଦର କରି ରଖିବାକୁ ହେଲେ ପ୍ରକୃତିକୁ ସବୁଜମୟ କରି ରଖିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ସୁଶ୍ରୀ ପୁସା ଜେଡ୍‌. ମେକ୍ରୋ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପଲି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀ ଏମ୍‌. ମୁରୁଗେସାନ୍‌, ଏବଂ ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।