Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ ପରିଚାଳନାରେ ସଫଳତାର ତଥ୍ୟ ସଂରକ୍ଷଣ ହେଉ: ନୀତି ଆୟୋଗ ପ୍ରତିନିଧି
ଆଜିର ଖବର

କୋଭିଡ ପରିଚାଳନାରେ ସଫଳତାର ତଥ୍ୟ ସଂରକ୍ଷଣ ହେଉ: ନୀତି ଆୟୋଗ ପ୍ରତିନିଧି

October 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହିତ କରିବା ସହ ମୁକାବିଲା କରିବାରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟଗୁଡ଼ିକର ଭୂମିକା ବେଶ ଉଲ୍ଲେଖନୀୟ। ଏହି ରାଜ୍ୟଗୁଡ଼ିକ ଯେଉଁଭଳି ଢ଼ଙ୍ଗରେ ପରିଚାଳନା କରିଛନ୍ତି ସେ ବିଷୟରେ ବିସ୍ତୃତ ତଥ୍ୟ ସଂରକ୍ଷିତ କରି ରଖାଯିବା ଜରୁରୀ ଯାହା ଦ୍ୱାରା କି ଭବିଷ୍ୟତରେ ଏଭଳି କୌଣସି ବିପର୍ଯ୍ୟୟ ଆସିଲେ ପ୍ରଶାସନ ଠିକ୍ ଭାବେ ପରିଚାଳନା କରିପାରିବ ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କୀୟ ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର କେ. ମଦନ ଗୋପାଲ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ କକ୍ରେନ୍ ଇଣ୍ଡିଆନ୍ ନେଟୱାର୍କର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଗୋପାଲ। କକ୍ରେନ୍ ସମ୍ପର୍କିତ ସୂଚନା ଦେଇ ଡାକ୍ତର ଗୋପାଲ କହିଛନ୍ତି ଯେ ଗବେଷଣା ଏବଂ ପ୍ରମାଣକୁ ଆଧାର କରି ଏହି ସଂସ୍ଥାର ନେଟୱାର୍କିଂ କାର୍ଯ୍ୟ ବେଶ ପ୍ରଶଂସନୀୟ। ଏହାକୁ ସବୁ ସ୍ତରରେ ଗ୍ରହଣ କରିବା ଉଚିତ୍ ଏବଂ ଏଥି ନେଇ ଏକ ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଦନ୍ତ ଚିକିତ୍ସା ନିମନ୍ତେ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟକ୍ରମ ଏବଂ ଖସଡ଼ା ସମ୍ପର୍କରେ ସୂଚନା ଦେଇଥିଲେ। ଡାକ୍ତର ଦିବ୍ୟେନ୍ଦୁ କହିଥିଲେ ଯେ ନୂତନ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ସାଢ଼େ ଚାରି ବର୍ଷ ଶିକ୍ଷା ଗ୍ରହଣ କରିବେ ଏବଂ ଗୋଟିଏ ବର୍ଷ ଇନ୍‌ଟର୍ଣ୍ଣସିପ କରିବାର ପ୍ରସ୍ତାବ ରହିଛି। ଏହି ପାଠ୍ୟକ୍ରମରେ ସର୍ବ ମୋଟ ୯ଟି ସେମିଷ୍ଟର ରହିଥିବା ବେଳେ କ୍ୟାମ୍ପସରେ ଏକ କମ୍ପ୍ରେନ୍‌ହିସିଭ୍ କ୍ଲିନିକ ମଧ୍ୟ ରହିବ। ଏହି କ୍ଲିନିକ୍‌ରେ ଇନ୍‌ଟର୍ଣ୍ଣସିପ କରୁଥିବା ଛାତ୍ରଛାତ୍ରୀମାନେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ। ଆଗାମୀ ବର୍ଷରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି।

ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଅଧିନରେ ୩୧୬ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୬୦୦ଟି ବ୍ରାଂଚ ରହିଛି ଏବଂ ପ୍ରତ୍ୟେକ ବର୍ଷ ୨୬୦୦୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି ବୋଲି ସେ କହିଛନ୍ତି। ତେବେ ସବୁ କ୍ଷେତ୍ରରେ ଗବେଷଣା ଭିତିକ ପ୍ରମାଣର ଆବଶ୍ୟକତା ରହିଛି ଯାହାକି କକ୍ରେନ୍ କରୁଛି ବୋଲି ସେ କହିଛନ୍ତି। ସୋଆ ପରିଚାଳିତ ଆଇଡିଏସ୍‌କୁ ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ୨୦୦୬ରେ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ବର୍ତମାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ୧୦ମ ସ୍ଥାନ ହାସଲ କରିଛି। ଏଥି ସହିତ କକ୍ରେନ୍ ଇଣ୍ଡିଆ ନେଟୱାର୍କରେ ଯୋଡି ହୋଇଥିବା ୧୦ଟି ଅନୁଷ୍ଠାନ ମଧ୍ୟରୁ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ଆଇଡିଏସ୍ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ୍ ଡଃ ଅଶୋକ ଢ଼ୋବଲେ ଯୋଗ ଦେଇ ଆଇଡିଏସ୍ ସହିତ ୭୫୦୦୦ ସଦସ୍ୟ ଯୋଡି ହୋଇଥିବା ସୂଚନା ଦେଇଥିଲେ। ଦନ୍ତ ଚିକିତ୍ସା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ତଥ୍ୟ ସମ୍ବଳିତ ଗବେଷଣା ଓ ପ୍ରମାଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର କୋ-ଚେୟାର ଡଃ ଅଞ୍ଜୁ ପ୍ରଧାନ କକ୍ରେନ୍ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡାକ୍ତରୀ ଗବେଷଣା କ୍ଷେତ୍ରରେ ପ୍ରମାଣ ଭିତିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ହେଉଛି ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ତେଣୁ କକ୍ରେନ୍ ଇଣ୍ଡିଆ ନେଟୱାର୍କ ନୀତି ଆୟୋଗ ସହିତ ଜଡ଼ିତ ହୋଇ ଏ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ସେହିପରି କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର ଅନ୍ୟ କୋ-ଚେୟାର ଡଃ ମିନୁ ସିଂହ ଛାତ୍ରଛାତ୍ରୀମାନେ କିଭଳି ପ୍ରମାଣ ଭିତିକ ଗବେଷଣା କରିବେ ସେ ବିଷୟରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତଥ୍ୟ, ସମୟ, ଲକ୍ଷ୍ୟ ଏବଂ ଉନ୍ନତିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଆମ ଦେଶରେ ପ୍ରାୟ ୧୮ ଲକ୍ଷ ଡାକ୍ତର ରହିଥିବା ବେଳେ ଅଧିକ ଡାକ୍ତରଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କୋଭିଡ ମହାମାରୀରେ ଭାରତରେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଥିଲା। କିନ୍ତୁ ଆମ ଦେଶର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଆପ୍ରାଣ ଉଦ୍ୟମ, ଚିକିତ୍ସା ଓ ନିଷ୍ଠା ଯୋଗୁଁ ଏହି ବଡ଼ ଧରଣର ମୃତ୍ୟୁ ସଂଖ୍ୟାକୁ ରୋକା ଯାଇପାରିଲା ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଅବସରରେ ଦନ୍ତ ଚିକିତ୍ସକଙ୍କ କ୍ଷେତ୍ରରେ ପ୍ରମାଣ ଭିତିକ ଗବେଷଣା ଓ ଜ୍ଞାନ ଆହରଣ ନିମନ୍ତେ ଆଇଡିଏସ୍ ଏବଂ ଆଇଡିଏ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡିନ୍ ତଥା କକ୍ରେନ୍ ଆଫିଲିଏଟ୍ ସେଂଟରର ନିର୍ଦ୍ଦେଶିକା ପ୍ରଫେସର ନୀତା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କକ୍ରେନ୍ ଇଣ୍ଡିଆ ନେଟୱାର୍କିଂ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଭାରତରେ ଏମ୍‌ସ, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ଭେଲୋର, ଆଇସିଏମ୍‌ଆର୍‌, ନୂଆଦିଲ୍ଲୀ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ହାଇଦ୍ରାବାଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସୋଆ, ଭୁବନେଶ୍ୱର, କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭର୍ସିଟି, ଲକ୍ଷେ୍ନା, ମନିପାଲ୍ ଏକାଡେମୀ ଅଫ୍ ହାୟର୍ ଏଜୁକେସନ୍‌, ମନିପାଲ, ପିଜିଆଇ, ଚଣ୍ଡିଗଡ ଏବଂ ଟାଟା ମେମୋରିଆଲ୍ ସେଂଟର୍‌, ମୁମ୍ବାଇ ଯୋଡି ହୋଇଥିବା ବେଳେ ଚଳିତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ଆଇଡିଏସ୍ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନ ପାଇଥିବା ସୂଚନା ଦେଇଛନ୍ତି ପ୍ରଫେସର ମହାନ୍ତି। କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡାକ୍ତର ସୌରଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

କରୋନା ମହାମାରୀ ନୀତି ଆୟୋଗ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025

ଘଡଘଡି ସହ ବର୍ଷାର ସମ୍ଭାବନା: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 16, 2025

ନକ୍ସଲ ବିରୋଧୀ ଅଭିଯାନ: ସିଆରପିଏଫ କୋବ୍ରା ବାଟାଲିୟନ ଓ ଝାଡ଼ଖଣ୍ଡ ପୋଲିସକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

September 16, 2025
Latest News

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025

ଘଡଘଡି ସହ ବର୍ଷାର ସମ୍ଭାବନା: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 16, 2025

ନକ୍ସଲ ବିରୋଧୀ ଅଭିଯାନ: ସିଆରପିଏଫ କୋବ୍ରା ବାଟାଲିୟନ ଓ ଝାଡ଼ଖଣ୍ଡ ପୋଲିସକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

September 16, 2025

‘ଜାତୀୟ କୃଷି ସମ୍ମିଳନୀ-ରବି ଅଭିଯାନ ୨୦୨୫’ ଉଦଘାଟିତ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.