
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାର ରାଜ୍ୟ ସରକାରଙ୍କ ନିରବତାକୁ ପ୍ରଶ୍ନ ଉଠାଇଛନ୍ତି।
ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ଅର୍ଚ୍ଚନା ନାଗ ଗିରଫ ହେବାର ଦୀର୍ଘଦିନ ପରେ ମଧ୍ୟ ଏହି ଘଟଣାରେ ଯେଉଁ ସବୁ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଓଡ଼ିଶାର ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ତଥା ଭୁବନେଶ୍ୱର ପୋଲିସ କମିଶନର ଏବଂ ଡିସିପି ଏଭଳି ଏକ ଘୃଣ୍ୟ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ଘଟଣାକୁ କାହିଁକି ନିଷ୍ଠା ଓ ନିରପେକ୍ଷ ଭାବେ ତଦନ୍ତ କରି ନାହାନ୍ତି?
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଘଟଣାର ହାଇକୋର୍ଟଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ଦାବି କରିଛନ୍ତି। ଯଦି ଏ ସ୍ପର୍ଷକାତର ଘଟଣାକୁ ସରକାର ଚପାଇ ଦିଅନ୍ତି ତାହେଲେ ଆସନ୍ତା ଦିନରେ କଂଗ୍ରେସ ଏହା ବିରୁଦ୍ଧରେ ଉପଯୁକ୍ତ ଲଢ଼େଇ ଲଢ଼ିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।