କ୍ୟାପିଟାଲ ଓ ବି.ଏମ୍.ସି. ହସ୍ପିଟାଲରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ ଫଣ୍ଡ

Published: Nov 10, 2022, 3:22 pm IST

ଭୁବନେଶ୍ୱର: ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟଏକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍ରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ୍ ପାଣ୍ଠି ବ୍ୟବସ୍ଥାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଖ୍ୟାତନାମା ଅଭିଜ୍ଞ ସୁପର ସ୍ପେସିଆଲିଷ୍ଟ୍ମାନଙ୍କୁ ଆପୋଷ ଦରମା ଚୁକ୍ତିଭିତ୍ତିରେ ଭୁବନେଶ୍ୱର ଆଡକୁ ଆକର୍ଷିତ କରାଯାଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ଯେ କର୍ପସ୍ ପାଣ୍ଠିକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବିନିଯୋଗ କରାଯିବ। ଅଭିଜ୍ଞ ଓ ଖ୍ୟାତନାମା ସ୍ପେସିଆଲିଷ୍ଟ୍ମାନଙ୍କୁ ଚୟନ କରିବା ନିମନ୍ତେ ବି.ଏମ୍.ସି. କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରାଯାଇଛି।

ଏଥିରେ ଭୁବନେଶ୍ୱର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି। ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଖ୍ୟାତନାମା ବିଶେଷଜ୍ଞମାନଙ୍କର ଚୟନ ଓ ଦରମା ଚୁକ୍ତି ଆଦି ବିଷୟ ନିର୍ଦ୍ଧାରଣ କରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାପିଟାଲ୍ ହସ୍ପିଟାଲ୍କୁ ଏକ ଉନ୍ନତ୍ତମାନର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଭାବେ ବିକଶିତ କରାଯାଉଛି। ଏହାର ସଂପ୍ରସାରଣ କାର‌୍ୟ୍ୟ ଚାଲୁରହିଛି। ସରକାରଙ୍କ ଏପରି ନିଷ୍ପତ୍ତିରେ ବୁଦ୍ଧିଜିବୀମାନେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏହାଦ୍ୱାରା ସାଧାରଣ ଲୋକ ସୁପର ସ୍ପେସିଆଲିଷ୍ଟ୍ ଚିକିତ୍ସା ନିମନ୍ତେ ଘରୋଇ ଡ଼ାକ୍ତରଖାନାରେ ହେଉଥିବା ମୋଟାଅଙ୍କର ଖର୍ଚ୍ଚରୁ ରକ୍ଷାପାଇବେ।

Related posts