Padampur Byelection: ବିଜେପିର ଭୋଟ କିଣା ମନ୍ତବ୍ୟକୁ ବିଜେଡିର ତୀବ୍ର ବିରୋଧ

Published: Nov 12, 2022, 9:12 pm IST

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା ।

ଶ୍ରୀ ଘିବେଲା କହିଛନ୍ତି ଯେ ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍ କିଣାଯାଇଥିବା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ତାହା ପ୍ରଦାନ କରନ୍ତୁ ।

ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡୁଛି ।

ଶ୍ରୀ ପୁରୋହିତଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାରତୀୟ ଜନତା ପାର୍ଟି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଏକ କେନ୍ଦ୍ରୀୟ ଦଳ । ସେହି ଦଳର ପୂର୍ବତନ ବିଧାୟକ ଏଭଳି ମନ୍ତବ୍ୟ ଦେବା ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ।

ତାଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ତାଙ୍କୁ ହାରିବାର ଭୟ ଘାରିଛି । ଏହା ଏକ ବିବୃତ୍ତି ନୁହେଁ କି ତାଙ୍କର କଥା ନୁହେଁ, ଏହା ଏକ ପାଗଳର ପ୍ରଳାପ ଭଳି ମନେ ହେଉଛି । ତେଣୁ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ ଦେବେ ବୋଲି ଶ୍ରୀ ଘିବେଲା କହିଛନ୍ତି ।

Related posts