Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ବିଜେଡି କଂଗ୍ରେସ ଡିଲ, ନିଜ ଦୋଷ ଲୁଚାଇବା ପାଇଁ ବିଜେପିର ଏକ ଚାଲ୍

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଶେଷ ହେଲାଣି, ହେଲେ ବିବାଦର ଶେଷ ହୋଇପାରୁ ନାହିଁ। ଏହି ଉପନିର୍ବାଚନର ବହୁ ପୂର୍ବରୁ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା। ଏବେ ଗଣତି ସରି ବର୍ଷା ବରିହା ବିଧାୟିକା ଭାବେ ଶପଥ ନେଇ ସାରିଲେଣି। ତଥାପି ପଦମପୁର ଗରମ ଶେଷ ହୋଇ ନାହିଁ। ବିଜେପି ହାରିବା ପରେ ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଦମପୁରରେ କଂଗ୍ରେସ ଭୋଟ ନେବା ପାଇଁ ବିଜେଡି ଡିଲ କରିଛି। ତେବେ ଏହି ଡିଲ କେବଳ କଥାବାର୍ତ୍ତାରେ ନୁହେଁ ଭୋଟ ପାଇଁ ନୋଟ କାରବାର ହୋଇଥିବାର ସେ ସଙ୍କେତ ଦେଇଛନ୍ତି। ଏହି ଡିଲ ଭୁବନେଶ୍ବରରେ ହେବା ପରେ କୁଆଡେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇ ଥିଲେ। ଏହା ପଛରେ ସତ୍ବତା କଣ ତାହାର ପ୍ରମାଣ ଅବଶ୍ୟ ଜୟନାରାୟଣ ମିଶ୍ର ଦେଇପାରି ନାହାଁନ୍ତି। ଏପରି କଥାରେ ସେ ପ୍ରମାଣ ମଧ୍ୟ  ଦେଇପାରିବେ ନାହିଁ।

ହେଲେ ଜୟନାରାୟଣ ମିଶ୍ର ଏପରି କାହିଁକି କହିଲେ। ଯଦି କଂଗ୍ରେସ ଭୋଟ ତାଙ୍କ ଦଳ ବିଜେପିକୁ ଯାଇ ଥାଆନ୍ତା ତେବେ ସେ ଏପରି କଥା କହିଥାଆନ୍ତେ କି ? ଅନ୍ୟପକ୍ଷରେ ଯଦି ନିର୍ବାଚନ ପରିଚାଳନାରେ ମାହିର ଥିବା ବିଜେଡି ଜିତିବା ପାଇଁ କଂଗ୍ରେସ ଭୋଟ ହାତେଇ ପାରିଲା ତେବେ ସେଥିରେ ଭୁଲ ରହିଲା କେଉଁଠି। କାରଣ ପଦମପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ଯେପରି କଳବଳ କୌଶଳ ପ୍ରୟୋଗ କରିଛି ବିଜେପି ମଧ୍ୟ କିଛି କମ କରି ନାହିଁ।

ତେବେ ଜୟନାରାୟଣଙ୍କ ମନ୍ତବ୍ୟ ପରେ ପଦମପୁର ଏବଂ ବରଗଡର ବିଭିନ୍ନ ସଚେତନ ଲୋକଙ୍କର ମତକୁ ବିଚାରକୁ ନିଆଯାଉ। ସେମାନେ ମଧ୍ୟ ଜୟନାରାୟଣଙ୍କ ମନ୍ତବ୍ୟ ସତ ବୋଲି ସ୍ବୀକାର କରିଛନ୍ତି। ସେମାନଙ୍କ ହିସାବରେ ପ୍ରକୃତରେ କଂଗ୍ରେସ ଭୋଟ ବିଜେଡି ଖାତାକୁ ଯାଇଛି। ତେବେ ଏଥିରେ କେହି ବଳ ପ୍ରୟୋଗ ବା ଅର୍ଥ ପ୍ରୟୋଗ ହୋଇନାହିଁ। କାରଣ ଏପରି କରିବାର କୌଣସି ଆବଶ୍ୟକ ମଧ୍ୟ ପଡି ନାହିଁ।

ସେମାନେ ଆହୁରି କହିଛନ୍ତି ଯେ, ପ୍ରଚାରର ଶେଷ ପର୍ଯ୍ୟାୟରେ ତାଙ୍କ ପ୍ରାର୍ଥୀ ଜିତିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ ହୃଦୟଙ୍ଗମ କଲେ। ହେଲେ ବିଜେଡି ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଚାଲିଥିଲା ସେଥିରେ କିଏ ଜିତିବ ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନ ଥିଲା। କାଳେ ବିଜେପି ଜିତିଯିବ ସେଥିପାଇଁ ଅନେକ କଂଗ୍ରେସ ନେତା ସେମାନଙ୍କ ଭୋଟ ବିଜେଡିକୁ ଦାନ ସୁତ୍ରରେ ପ୍ରଦାନ କରିଛନ୍ତି।

କେବଳ ଦାନ ନୁହେଁ ସେହି ଭୋଟକୁ ହାତେଇବା ପାଇଁ ବିଜେଡି ମଧ୍ୟ ନିଜର ରଣ କୌଶଳ ବିନିଯୋଗ କରି ନାହିଁ ତାହା ଭୁଲ। ହେଲେ ବିଜେପି ସେ ଗଣିତକୁ ଜାଣିପାରିଲା ନାହିଁ। ଉପରେ ଉପରେ ଉଡୁଥିବା ବିଜେପି ନେତା ଏ କଥାକୁ ହୃଦୟଙ୍ଗମ କରିପାରିଲେ ନାହିଁ। ଭୋଟ ଗଣତି ହେବା ପରେ ସେମାନେ ଜାଣିଲେ ଯେ କଂଗ୍ରେସ ଭୋଟ ବିଜେଡି ହାତେଇ ନେଇଛି। ସେତେବେଳକୁ କଥା ସରିଗଲାଣି। ଫଳରେ ଜୟନାରାୟଣ ମିଶ୍ର ଔଷଧ ବିକଳରେ ତାଟିଆ କାମପୁଡିବା ପରି ଏପରି ବିଳିବିଳେଇ ହେଉଛନ୍ତି।

ଜୟନାରାୟଣ ପଦମପୁର ପ୍ରଚାରର ପ୍ରମୁଖ ଥିଲେ। ନିଜ ଉପରୁ ଦୋଷ ତୁଟାଇବା ପାଇଁ ଏବେ ଏପରି ‘ଡିଲ’ ଶଦ୍ଦ ବ୍ୟବହାର କରି ସେ କେନ୍ଦ୍ରୀୟ ନେତାଙ୍କ ପାଖରେ ନିଜକୁ ସଫା ରଖିବାକୁ ଚେଷ୍ଠା କରୁଛନ୍ତି। ହେଲେ ଏଥିରେ ସେ କେବେ ମଧ୍ୟ ସଫଳ ହୋଇପାରିବେ ନାହିଁ କି ନିଜ ମୁଣ୍ଡରୁ ଅଠା ଛଡାଇପାରିବେ ନାହିଁ। କାରଣ ପଦମପୁରର ସମସ୍ତ ତଥ୍ୟ କେନ୍ଦ୍ରୀୟ ନେତୃତ୍ବ ପାଖରେ ରହିଛି। ବିଜେପି ହାରିବାରେ କାହାର ଭୁଲ ତାହା ସେମାନଙ୍କର ଗୁଇନ୍ଦା ସଂସ୍ଥା ଅବଗତ କରାଇସାରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଫଇସଲା: ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀ କାହାକୁ କରିବେ ଆର୍ଶିବାଦ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶେଷ ଗୁରୁବାର। ଆସନ୍ତାକାଲି ମଧ୍ୟ ହେଉଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଫଳାଫଳ ଜଣାପଡିଯିବ। ତେବେ ଏହିପରି ଏକ ପବିତ୍ର ଦିନରେ ମା ଲକ୍ଷ୍ମୀ କାହାକୁ ଆର୍ଶିବାଦ କରିବେ ସେ ନେଇ ସମସ୍ତଙ୍କର ରହିଛି ନଜର। ବର୍ଷା, ପ୍ରଦୀପ ନା ସତ୍ୟଭୂଷଣ କାହା ପ୍ରତି ମା’ଙ୍କ ଶୁଭ ଦୃଷ୍ଟି ରହିବ !

କାରଣ ଏଥର ପଦ୍ମପୁର ଉପନିର୍ବାଚନ ଯେଉଁ ଭଳି ହେଲା, ତାହା ବିଗତ ଉପନିର୍ବାଚନରେ କେବେ ବି ଦେଖିବାକୁ ମିଳି ନ ଥିଲା। ବିଜେଡି ଓ ବିଜେପି ମଧ୍ୟରେ ଭୋଟ ପାଇଁ ସତସତିକା ଯୁଦ୍ଧ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଡପିଟଠାରୁ ଆରମ୍ଭ କରି ଗାଳିଗୁଲଜ ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଏହି ନିର୍ବାଚନର ଫଳାଫଳକୁ ନେଇ ସାରା ଓଡିଶାବାସୀ ଅନେଇ ରହିଛନ୍ତି।

ତେବେ ଗଣନା ପୂର୍ବରୁ ବିଭିନ୍ନ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କଂଗ୍ରେସ ଦଳର ବିଧାୟକ ସୁର ରାଉତରାୟ କହୁ କହୁ ସତ କହିଦେଇଛନ୍ତି। ସେ ଖୋଲାଖୋଲି କହିଲେ ଯେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ। ସେ ଆଉ ଜିତିବା କଥା କହିଲେ ନାହିଁ। ସେ କହିଲେ ପଦମପୁରରେ ବିଜେଡି ଏକ ନମ୍ବର ଏବଂ ବିଜେପି ଦୁଇ ନମ୍ବରରେ ରହିବ।

ସେହିପରି ବିଜେପି ତରଫରୁ ମଧ୍ୟ ପଦ୍ମପୁର ଫଳାଫଳକୁ ନେଇ ଆକଳନ କରାଯାଇଛି। ଦଳର ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ପଦ୍ମପୁରରେ ବିଜେପି ଜିତିବ। ତେବେ ଭୋଟ ବ୍ୟବଧାନ ଦଶ ହଜାର ଭିତରେ ରହିବ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହିସାବ ଅଲଗା। ସେ କହିଲେ ଯେ ପଦ୍ମପୁରରେ ବିଜେପି ଆଠ ହଜାର ଭୋଟରେ ଜିତିବ।

କିନ୍ତୁ ବିଜେଡି ବେଧଡକରେ ବସି ରହିଛି। ଧାମନଗରରେ ହିସାବ କିତାବ ଭୁଲ ହୋଇଯାଇ ଥିବାରୁ, ପଦ୍ମପୁରରେ ତାହାକୁ ସୁଧରା ଯାଇଛି। ତେଣୁ ପଦ୍ମପୁରରେ ବିଜେଡି ବହୁ ଭୋଟରେ ଜିତିବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି। ଗତ ନିର୍ବାଚନରେ ବିଜୟ ରଂଜନ ସିଂ ବରିହା ପାଞ୍ଚ ହଜାର ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏଥର ବର୍ଷା ସିଂ ବରିହା ବହୁଗୁଣ ଅଧିକ ଭୋଟରେ ଜିତିବେ ବୋଲି ଦେବୀ ମିଶ୍ର କହିଛନ୍ତି।

ତେବେ ରାଜନୈତିକ ସମୀକ୍ଷକଙ୍କର ମତ ଯେ, ପଦ୍ମପୁରରେ ଦ୍ବମୁଖୀ ପ୍ରତିଦ୍ବନ୍ଦିତା ହୋଇଛି। ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହୋଇଛି। ହେଲେ ଲୋକଙ୍କ ମୁଡକୁ ଯଦି ଆକଳନ କରାଯିବ ତେବେ ସେଠାରେ ବିଜେଡି ଜିତିବାର ସମ୍ଭାବନା ଅଧିକ ରହିଛି। କାରଣ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିବାରୁ ବିଜେଡି ଅଧିକ ଭୋଟ ନେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପଦମପୁର ହେବ ଜିଲ୍ଲା, ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶୃତି

ବରଗଡ: ପଦ୍ମପୁର ଆସନ୍ତା ବର୍ଷରେ ଜିଲ୍ଲା ହେବ। ଏ ନେଇ ବଡ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ପଦମପୁର ଉପନିର୍ବାଚନରେ ମାରଥନ ପ୍ରଚାର କରି ଏହି ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା 2023 ମସିହାରେ ପଦ୍ମପୁର ଜିଲ୍ଲାର ମାନ୍ୟତା ପାଇବ।

ସେହିପରି ମୁଖ୍ୟମନ୍ତ୍ରୀ ତିନୋଟି ସ୍ଥାନରେ ଜନସଭାକୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ ଆସି ଆପଣଙ୍କୁ ମିଛ କହିବାରେ ଲାଗିଛନ୍ତି। ସେମାନେ ଏପର୍ଯ୍ୟନ୍ତ ରେଳ ଲାଇନ କଲେ ନାହିଁ କି ଫସଲ ବୀମା ଦେଲେ ନାହିଁ। କେବଳ ବାହଦୂରୁ ମାରିବାରେ ବ୍ୟସ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରଚାରରେ ଜିଲ୍ଲା ବିଜେଡି ବେଶ ଚଳଚଞ୍ଚଳ ହୋଇପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁରରେ ହାତ ହଲେଇ ହଲେଇ ପଦ୍ମତୋଳା ମନ୍ତ୍ର ଫୁଙ୍କି ଦେଲେ ନବୀନ, ଭୋଟର ଖୁସ୍

ବରଗଡ: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ମାରଥନ ପ୍ରଚାର କରି ଫେରିଆସିଛନ୍ତି। ବହୁଦିନ ଧରି ବରଗଡ ବିଜେଡି ନବୀନଙ୍କ ଉପସ୍ଥିତିକୁ ଅପେକ୍ଷା କରିଥିଲେ। ସେ ଆଜି ତିନୋଟି ବ୍ଲକରେ ସଭା କରି ଲୋକଙ୍କୁ ହାତ ହଲାଇ ହଲାଇ ଯେଉଁ ଦୁଇପଦ କହିଛନ୍ତି ସେଥିରେ ଭୋଟର ବେଶ ଖୁସ।

Odisha CM in Padampur Election

ପୂର୍ବରୁ ନବୀନ ଯେତେ ପ୍ରଚାରରେ ଯାଇଛନ୍ତି ସେଠାରେ ସେ କେବଳ ହାତ ହଲାଇ ଦେଲେ ଭଟୋର ଖୁସି ହୋଇ ଭୋଟ ଦେଉଛନ୍ତି। ପଦ୍ମପୁରରେ ମଧ୍ୟ ସେହି କଥା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ପଦ୍ମତୋଳା ପରି ବଶିଭୂତ ମନ୍ତ୍ର ଫୁଙ୍କି ଦେଇଛନ୍ତି। ଫଳରେ ସେହି ଉପନିର୍ବାଚନରେ ବିଜେଡି ବାଜିମାତ ନିଶ୍ଚିତ କରିବ ବୋଲି ଦଳ ଆଶା ରଖିଛି।

ଆଜି ପୂର୍ବହ୍ନରେ ନବୀନ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟରରେ ଓହ୍ଲାଇ ଝାରବନ୍ଧରେ ଆୟୋଜିତ ବିରାଟ ସମାବେଶରେ ଯୋଗ ଦେଇଥିଲେ। ସେ ହେଲିପ୍ୟାଡରେ ଓହ୍ଲାଇଲାବେଳେ ସେଠାରେ ଉପସ୍ଥିତ ଲୋକେ ହୁଳହୁଳି ଦେଇ ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ସେଠାରେ ହୋଇଥିବା ପ୍ରଚାର ସଭାରେ ଯୋଗଦେଇଥିଲେ। ସେଥିରେ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ସହିତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଉପସ୍ଥିତ ଥିଲେ।

ଏହାପରେ ସେ ପାଇକମାଳ ଏବଂ ପଦମପୁର ସଭାକୁ ଯାଇଥିଲେ। ସେଠାରେ ମଧ୍ୟ ସେ ଉପସ୍ଥିତ ଜନତାକୁ ସମ୍ବୋଧିତ କରିଥିଲେ। ସେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଉଦଗାର କରିବା ସହିତ ଆମେମାନେ ବହୁ ବର୍ଷ ଧରି ଆପଣଙ୍କ ସହିତ ରହିଛୁ ବୋଲି କହିଥିଲେ। ଆପଣମାନେ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକାଡି କରାଯାଇଥିଲା। ତିନୋଟି ସଭାରେ କିପରି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଯୋଗଦେବେ ସେ ନେଇ ବିସ୍ତୁତ ବ୍ୟବସ୍ଥା କରାଯାଇଥିଲା ସେହିପରି ଦଳ ତରଫରୁ ସାଂଗଠିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରାଜେନ୍ଦ୍ର ଢୋଲକିଆ, ନିରଂଜନ ପୂଜାରୀ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପଦ୍ମପୁର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ। ସେଗୁଡିକ ହେଲା ପଦ୍ମପୁରର ତିନୋଟି ବ୍ଲକ ପାଇକମାଳ, ଝାରବନ୍ଧ ଓ ପଦ୍ମପୁର। ଝାରବନ୍ଧ ବ୍ଲକ ଶକ୍ତି ଛକ ପଡିଆ ଠାରେ ପୂର୍ବାହ୍ନରେ ଏକ ବିଶାଳ ଜସମାଗମକୁ ଉଦବୋଧନ ଦେବେ।

ନବୀନ ପଟ୍ଟନାୟକ ପ୍ରଚାରକୁ ଯାଉଥିବାରୁ ପଦ୍ମପୁର ବିଜେଡିରେ ବେଶ ଉତ୍ସାହ ଖେଳି ଯାଇଛି। ବିଶେଷ କରି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବେଶୀ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତାକାଲି ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ। ସେଗୁଡିକ ହେଲା ପଦ୍ମପୁରର ତିନୋଟି ବ୍ଲକ ପାଇକମାଳ, ଝାରବନ୍ଧ ଓ ପଦ୍ମପୁର। ଝାରବନ୍ଧ ବ୍ଲକ ଶକ୍ତି ଛକ ପଡିଆ ଠାରେ ପୂର୍ବାହ୍ନରେ ଏକ ବିଶାଳ ଜସମାଗମକୁ ଉଦବୋଧନ ଦେବେ।

ନବୀନ ପଟ୍ଟନାୟକ ପ୍ରଚାରକୁ ଯାଉଥିବାରୁ ପଦ୍ମପୁର ବିଜେଡିରେ ବେଶ ଉତ୍ସାହ ଖେଳି ଯାଇଛି। ବିଶେଷ କରି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବେଶୀ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁରରେ ସାମ୍ବାଦିକଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ପଦ୍ମପୁର: ଗତକାଲି ରାତିରେ କେତେକ ବିଜେପି କର୍ମୀ ନନ୍ଦିଘୋଷ ରିପୋର୍ଟରଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏ ନେଇ ପଦ୍ମପୁରରେ ସାମ୍ବାଦିକମାନେ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ଉପନିର୍ବାଚନ ଖବର ସଂଗ୍ରହ ବେଳେ ବିଜେପି କର୍ମିମାନେ ସାମ୍ବାଦିକଙ୍କୁ ଟର୍ଗେଟ କରୁଛନ୍ତି। ଏ ନେଇ ଉପଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ପାଇକମାଳ ଥାନାରେ ପୋଲିସଙ୍କ ଉପସ୍ଥିତିରେ ବିଜେପି କର୍ମିମାନେ ନନ୍ଦିଘୋଷ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହାପରେ ସେମାନଙ୍କ ବିରୋଧରେ ଏକ ଏଫଆଇଆର ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାର ଜଣାପଡିଛି।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ପାଇଁ ସିଇଓଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ, ନିଆଗଲା ଏହି କଡା ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାର ବରଗଡ଼ ଜିଲ୍ଲା୧-ପଦମ୍‌ପୁର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପଦମ୍‌ପୁର ଗସ୍ତରେ ଯାଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ।

ଉପନିର୍ବାଚନ ନିମନ୍ତେ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କର ପ୍ରଶିକ୍ଷଣ ମଡେଲ ଓ ପିଙ୍କ୍‌ ବୁଥ୍‌ ସ୍ଥାପନ, ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ଭୋଟରମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ ଗ୍ରହଣ ପାଇଁ କି ପ୍ରକାରର ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଶ୍ରୀ ଲୋହାନୀ ସମୀକ୍ଷା କରିଥିଲେ।

ଉପନିର୍ବାଚନ ପାଇଁ ବଳବତ୍ତର ଥିବା ଆଦର୍ଶ ଆଚରଣ ବିଧିକୁ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ, ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଯେପରି କଡ଼ାକଡ଼ି ଭାବେ ଅନୁପାଳନ କରିବେ, ସେ ସଂପର୍କରେ ସମୀକ୍ଷା କରିବା ସହ ଏହାର ଉଲ୍ଲଂଘନ ହେଲେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି ।

ଏଥି ନିମନ୍ତେ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଓ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ମାଧ୍ୟମରେ ଜୋରଦାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଫ୍ଲାଇଙ୍ଗ୍‌ ଏବଂ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ମାଧ୍ୟମରେ ବ୍ୟାନର, ପୋଷ୍ଟର, ହୋର୍ଡିଙ୍ଗ ଉଚ୍ଛେଦ ଓ ଯାନବାହନ ତନଖି କରାଯିବା ସହ ଜିଲ୍ଲାରେ ଅବକାରୀ ଚଢ଼ାଉ ଜୋରଦାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ସଂଖ୍ୟାରେ ମତଦାନ ନିମନ୍ତେ ଭୋଟର ସଚେତନତା କାର୍ଯ୍ୟକ୍ରମ କରିବାକୁ ଶ୍ରୀ ଲୋହାନୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମତଗଣନା କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି, ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତି, ସେକଫର ଅଧିକାରୀଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଡି.ଏମ୍‌. ରାମପ୍ରସାଦ ଗୁପ୍ତା (ଭାପ୍ରସେ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମଥ ପୁରୁଷୋତ୍ତମ ଦାସ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ନୋ ଓ କୃତିବାସ ରାଉତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଆଦିତ୍ୟ ଗୋୟେଲ ଏବଂ ରିଟର୍ଣ୍ଣିଂ ଅଧିକାରୀ ତଥା ପଦମ୍‌ପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସମେତ ଜିଲ୍ଲାର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ: ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଆଜି ବିଜେଡି ପଦ୍ମପୁର ଉପନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ କରିଛି। ବିଜେଡି ନେତା ଲେନୀନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପଦ୍ମପୁରରେ ଜିଏସଟି ଚଢାଉ ବେଳେ ସରକାରୀ ଅଧିକାରୀଙ୍କୁ ବିଜେପି ନେତାମାନେ ଦୁଃବ୍ୟବହାର ପ୍ରଦର୍ଶନ କରିଥିଲେ।

ଏଥିରେ କୁହାଯାଇଛି ଯେ, ବିଜେପି ବିଧାୟିକା କୁସୁମ ଟେଟେ ଜିଏସଟି ଚଢାଉ ବେଳେ ସେଠାରେ ଅଧିକାରୀଙ୍କୁ ବିରୋଧ କରିଥିଲେ। ସେହିପରି ସେଠାରେ ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରାଧାନ, କାଳନ୍ଦୀ ସାମଲ ମଧ୍ୟ ବାଧା ସୃଷ୍ଟି କରିଥିଲେ। ଏ ନେଇ ଜିଏସଟି ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ଏହିମାନଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ବହିସ୍କାର କରାଯାଉ ବୋଲି ବିଜେଡି ଅଭିଯୋଗ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ: କେନ୍ଦ୍ରର ଆୟକର ଚଢାଉ ବନାମ ରାଜ୍ୟର ଜିଏସଟି ଚଢାଉ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏହି ଉପନିର୍ବାଚନ ଆରମ୍ଭ ହେବା ଦିନରୁ ଉଭୟ ବିଜେଡି ଓ ବିଜେପି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବାରେ ଲାଗିଛନ୍ତି। ଯାହା ପ୍ରଚାର ଶେଷ ନ ହେବା ପର୍ଯ୍ୟନ୍ତ ଏହି ଅଭିଯୋଗର ଅନ୍ତ ହେବ ନାହିଁ।

ତେବେ ବର୍ତ୍ତମାନ ଯେଉଁ ସରଗରମ ପ୍ରସଂଗ ରହିଛି ତାହା ହେଉଛି କେନ୍ଦ୍ର ସରକାରଙ୍କ ଆୟକର ଚଢାଉ ବନାମ ରାଜ୍ୟ ସରକାରଙ୍କ ଜିଏସଟି ଚଢାଉ। ଆଜି ଏହି ଦୁଇ ପ୍ରସଂଗ ରାଜ୍ୟ ରାଜନୀତିକୁ ବେଶ ଚଳଚଞ୍ଚଳ କରିଦେଇଛି। ଆଜି ସକାଳେ ହଠାତ ପଦ୍ମପୁର ଉପନିର୍ବାଚନ ପ୍ରଚାର ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ସଜାଗ ହୋଇଉଠିଥିଲା।

ସକାଳୁ ସକାଳୁ ଆୟକର ବିଭାଗ ତିନି ଜଣ ବିଜେଡି ନେତାଙ୍କ ଘରେ ଚଢାଉ କରିଥିଲା। ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏଥିରେ ସଶସ୍ତ୍ର ବଳ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା। ପଦ୍ମପୁରରେ ରାଜନୈତିକ ସରଗରମ ବେଳେ ଆୟକର ବିଭାଗର ଏପରି ଚଢାଉକୁ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ବିଜେଡି ଅଭିଯୋଗ କରିଥିଲା ଯେ, ବିଜେପି ହାରିଯିବା ଭୟରେ କେନ୍ଦ୍ରୀୟ ସଂସ୍ଥାକୁ ଲଗାଇ ଏପରି କରିଛି।

ଏହାକୁ କାଉଣ୍ଟର ଦେବା ପାଇଁ ସଂଧ୍ୟାରେ ରାଜ୍ୟ ସରକାରଙ୍କ ଜିଏସଟି ଚଢାଉ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଜିଏସଟି ଟିମ ପଦ୍ମପୁରର ବିଜେପି ସହିତ ଜଡିତ କେତେକ ବ୍ୟବସାୟୀଙ୍କ ଘରେ ଚଢାଉ କରିଥିଲା। ସେମାନେ ହେଲେ ପଦ୍ମପୁରସ୍ଥିତ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଜୁଏଲେରୀ, ପାଇକମାଲ ନୃସିଂହ ପେଟ୍ରୋଲ ପମ୍ପ, ପାଇକମାଲ ନୃସିଂହନାଥ ମେଡିକାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ ହୋଇଥିଲା।

ପ୍ରଥମେ କେନ୍ଦ୍ରର ବିଜେପି ସରକାରଙ୍କ ତରଫରୁ ଚଢାଉ ପରେ ଏହାକୁ କାଉଣ୍ଟର ପାଇଁ ବିଜେଡି ଅଣ୍ଟା ଭିଡି ପଦକ୍ଷେପ ନେଇଥିଲା। ହେଲେ ଏଥିରେ ଉଭୟ ଦଳର ବ୍ୟବସାୟୀମାନେ ବଳି ପଡିଥିଲେ। ଯାହାକୁ ନେଇ ପଦ୍ମପୁର ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି। ତେବେ ପଦ୍ମପୁର ଉପନିର୍ବାଚନରେ ଯେପରି ପରିସ୍ଥିତି ଉପୁଜିଛି ତାହା ବର୍ତ୍ତମାନ ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି। ରାଜନୀତିର ସ୍ତର କେଉଁଠି ପହଞ୍ଚିଲାଣି ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଶସସ୍ତ୍ର ବାହିନୀ ସହ ପଦ୍ମପୁରରେ ତିନି ବ୍ୟବସାୟୀଙ୍କ ଘରେ ଆୟକର ଚଢାଉ

ଭୁବନେଶ୍ବର: ଆଜି ପଦ୍ମପୁରରେ ତିନିଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ
ଏବଂ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏଥିରେ ସଶସ୍ତ୍ର CRPF ଉପସ୍ଥିତିରେ ଚଢ଼ାଉ ଚାଲିଥିବାର ଜଣାପଡିଛି। ଏମାନେ ସମସ୍ତେ ବିଜେଡି କର୍ମି ବୋଲି କୁହାଯାଉଛି।

ତେବେ ପଦ୍ମପୁରରେ ଉପନିର୍ବାଚନ ଚାଲିଥିବାରୁ ଏପରି ଚଢାଉକୁ ସାଧାରଣରେ ନିନ୍ଦା କରାଯାଇଛି। ଏହା ଉପରେ ବିଜେଡି ତାହାର ପ୍ରତିକ୍ରିୟା ରଖିଛି। ବିଜେଡି ନେତା ସୁଶାନ୍ତ ସିଂ କହିଛନ୍ତି ଯେ, ବିଜେପି ହାରିଯିବା ଭୟରେ ଏପରି କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବିଜେଡିରୁ ବହିସ୍କୃତ ଏହି ନେତା ଏକ କର୍ମି ସମ୍ମିଳନୀରେ ଯାହା କହିଛନ୍ତି ତାହା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସୂଚାଇ ଦେଉଛି। ସେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି କରିଛି।

ପ୍ରଦୀପ ପାଣିଗ୍ରାହୀ ଏହି କର୍ମି ସମ୍ମିଳନୀରେ ସିଧାସିଧା କହିଛନ୍ତି ଯେ ପଦ୍ମପୁରରେ ପଦ୍ମ ଫୁଟିବ। ପଦ୍ମପୁର ବାସୀ ଜାଣିବା ଦରକାର ଯେ, ସେହି ନାଁଟି ଯାହା ହୋଇଛି ତାହାର ସାର୍ଥକତା ରଖନ୍ତୁ। ପଦ୍ମ ଫୁଲରେ ଭୋଟ ଦେଇ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାନ୍ତୁ। ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡକୁ ଢଳିବାରେ ଲାଗିଛନ୍ତି ବୋଲି ଜଣାପଡିଛି। ନଚେତ ପଦ୍ମକୁ ଭୋଟ ଦେବା ପାଇଁ ସେ କେବେ ବି ନିବେଦନ କରିବା କଥା ନୁହେଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି, କାହିଁକି ପଦ୍ମପୁର ଉପନିର୍ବାଚନରେ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଏବଂ ତୋମାରଙ୍କୁ ଡାକିଛି ?

ଭୁବନେଶ୍ବର: ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଶ ଜମିଯିବ। କାରଣ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ସେମାନେ ହେଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଦିନ ୧୧ ଟାରେ ପାଇକମାଲରେ ଓ ଦିନ ୧୨ ଟା ସମୟରେ ପଦ୍ମପୁରର ଅଶୋକ ଫିଲ୍ଡରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେଥିପାଇଁ ଉଭୟଙ୍କ ନିମନ୍ତେ ପଦ୍ମପୁରରେ ବିଶେଷ ବ୍ୟବସ୍ଥା କରାଯାଇଛି। ସେହିପରି ଗତକାଲି ଦଳର ଦୁଇ ପ୍ରମୁଖ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ସେମାନେ ହେଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର।

ତେବେ ଏହି ଦୁଇ ଭିନ୍ନ କେନ୍ଦ୍ରମନ୍ତ୍ରୀ ଉପନିର୍ବାଚନ ପ୍ରଚାରରେ ଆସିବା କାରଣ ମଧ୍ୟ ଭିନ୍ନ ରହିଛି।  ପୂର୍ବରୁ ଓଡିଶାରେ ଯେତେ ଉପନିର୍ବାଚନ ହୋଇଛି ସେତେବେଳେ ବିଜେପି ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବାର ଧାରା ରହିଥିଲା। ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ। ନଚେତ ତା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।

ହେଲେ ଏଥର ପ୍ରଚାରରେ କିନ୍ତୁ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ବିନା ଧର୍ମେନ୍ଦ୍ରରେ ପ୍ରଚାର କରିବେ। ତେବେ ଏହାର ଏକ ବଡ କାରଣ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ତାହା ଏହି ନିର୍ବାଚନ ସହିତ ଜଡିତ ନାହିଁ। ତେବେ ଉପ ନିର୍ବାଚନ ହିସାବରେ ଦେଖିବାକୁ ଗଲେ ଉଭୟ ମନ୍ତ୍ରୀଙ୍କର ବିଭାଗ ବର୍ତ୍ତମାନ ହଟ ଟପିକ୍ ଭାବେ ଅଛି।

ରେଳମନ୍ତ୍ରୀ ତାଙ୍କ ବିଭାଗର ପଦ୍ମପୁର ରେଳ ଲାଇନ ନେଇ ପ୍ରକୃତରେ କାମ କିଏ ଅଟକାଇଛି, କାହା ଯୋଗୁ ଅଟିକିଛି ତାହାର ସଫେଇ ଦେବେ। ସେହିପରି କୃଷିମନ୍ତ୍ରୀ ମଧ୍ୟ ସଫେଇ ଦେବେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କଣ ପାଇଁ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ବର୍ତ୍ତମାନ ବେଶ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ହୋଇଛି। ତେବେ ଉଭୟଙ୍କ ଭାଷଣ ଦେବା ପରେ ଜଣାପଡିବ କଣ ରହିଛି ରାଜନୀତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମ୍‌ପୁର ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସରିଲା, ମଇଦାନରେ କେତେ ଜଣ ରହିଲେ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦମ୍‌ପୁର ବିଧାନସଭା ଉପନିର୍ବାଚନରେ ମୋଟରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୋମବାର ଅର୍ଥାତ ୨୧ ନଭେମ୍ବର ୨୦୨୨ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ।

ପଦମ୍‌ପୁର ବିଧାନସଭା ଉପନର୍ବାଚନ ପାଇଁ ସର୍ବମୋଟ ୧୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ନାମାଙ୍କନ ପତ୍ର ଯାଞ୍ଚବେଳେ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଅବଶିଷ୍ଟ ୧୦ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ିବେ ।

ଏଥର ପଦମ୍‌ପୁର ଉପନିର୍ବାଚନରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ମଧ୍ୟ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟଗ୍ରହଣର ସୁବିଧା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୭୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‌ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଭୋଟର, ୧୨୭୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‌ ଭୋଟର ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୩୧୯ ଗୋଟି ବୁଥ୍‌ରେ ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‌କୁ ଆଜି ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିବାବେଳେ ୦୯ କମ୍ପାନୀ (ସିପିଏଫ୍‌) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‌ ରାଜ୍ୟ ପୋଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଏଥିରୁ ୧୬୦ ଗୋଟି ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମାନବେନ୍ଦ୍ର ପ୍ରତାପ ସିଂହ (୯୦୪୦୨୮୩୯୪୯) ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଡି.ଏମ୍‌. ରାମପ୍ରସାଦ ଗୁପ୍ତା (୬୩୭୨୪୪୧୨୧୦) ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ଶ୍ରୀ ହେମନ୍ତ ଚୌହାନ (୯୦୪୦୨୮୩୯୩୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚରେ ମନ୍ତ୍ରୀ ପଦର ଅପବ୍ୟବହାରକୁ ନେଇ ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିଦଳ

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ। ସେମାନଙ୍କର ଅଭିଯୋଗ ହେଲା ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ପଦ୍ମପୁର ପବ୍ଲିକ ସ୍କୁଲ ଏବଂ ଜୟଦେବ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୁଜାରୀ ଯୋଗ ଦେଇଥିଲେ।

ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ ଶ୍ରୀମତୀ କିରଣ ପଣ୍ଡାଙ୍କ ସ୍ୱାମୀ ତଥା ବରଗଡସ୍ଥିତ ଅଂଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣମୋହନ ପଣ୍ଡାଙ୍କ ଦ୍ୱାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।

ଜଣେ ସରକାରୀ ବେତନପ୍ରାପ୍ତ ଅଧ୍ୟାପକ ଭାବେ ଶ୍ରୀ ପଣ୍ଡାଙ୍କ ଦଳୀୟ ସଭା ଆୟୋଜନ କରାଇବା ଦଣ୍ଡନୀୟ ଅପରାଧ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଟେ । ତେଣୁ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ଗିରଫ କରାଯିବାକୁ ଡ.ଲେଖାଶ୍ରୀ ସିଇଓଙ୍କ ନିକଟରେ ଦାବୀ କରିଛନ୍ତି।

ସେଥିପାଇଁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବୀ କରିଛି। ଲୋକ ପ୍ରତିନିଧି ଆଇନର ଧାରା ୧୨୩ ଓ ୧୭୧ ଅନୁଯାୟୀ ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ। ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କୁ ସମସ୍ତ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ରଖାଯିବା ସହିତ ନିର୍ବାଚନମଣ୍ଡଳୀ ସୀମା ବାହାରକୁ ତଡିପାର କରାଯାଉ ବୋଲି ଡ.ଲେଖାଶ୍ରୀ ସିଇଓଙ୍କ ନିକଟରେ ଦାବୀ କରିଛନ୍ତି।

ଏହି ପ୍ରତିନିଧିଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାରି ବର୍ଷ ହେଲା ପଦମପୁର ରେଳଲାଇନ୍ କଥା କହି ଭୁଆଁ ବୁଲାଉଛି କେନ୍ଦ୍ର, ବିଜେଡିର ଅଭିଯୋଗ

ଭୁବନେଶ୍ୱର: ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ଏ ନେଇ ସେ ବିଧିବଦ୍ଧ ଭାବେ ଟୁଇଟ୍ କରି ସୂଚନା ମଧ୍ୟ ଦେଇଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ଚାରି ବର୍ଷ ପୂରିବାକୁ ଯାଉଛି।

ମାତ୍ର ଏ ନେଇ ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଜଣାଇ ଆସୁଥିଲେ ହେଁ ଏଯାଏ ଏହି ରେଳଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦମପୁରବାସୀଙ୍କୁ ଭୁଆଁ ବୋଲି ଆସୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରେଳ ମନ୍ତ୍ରଣାଳୟ ନିଜ ପ୍ରତିଶ୍ରୁତି ରକ୍ଷା କରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ତୁରନ୍ତ ଏହି ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ କରିବାକୁ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର‌୍ୟ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁର କରିଥିଲେ। ଆଜିକୁ ଚାରି ବର୍ଷ ହେଲା ଏହି ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ରେଳଲାଇନ୍ ତ ଦୂରର କଥା, ଏଥିପାଇଁ ସର୍ଭେ ମଧ୍ୟ ହୋଇନାହିଁ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ୧୧ ଜାନୁୟାରୀ, ୨୦୧୯ରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା ଏବଂ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ୧୭.୩୧ % ହାରରେ ଅର୍ଥ ଫେରସ୍ତ ମିଳିବ ବୋଲି କୁହାଯାଇଥିଲା। ୧୦ ଅକ୍ଟୋବର, ୨୦୧୯ରେ ରେଲୱେ ବୋଡ୍ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମାଗଣାରେ ଜମି ଏବଂ ବିସ୍ଥାପିତଙ୍କ ପୁନର୍ବାସ ପାଇଁ ହେବାକୁ ଥିବା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲା।

ମୁଖ୍ୟମନ୍ତ୍ରୀ ଏଥିପାଇଁ କେବଳ ଯେ ମାଗଣାରେ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ତାହା ନୁହେଁ, ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ରେଳ ମନ୍ତ୍ରଣାଳୟକୁ ଜଣାଇ ଦେଇଥିଲେ। ମାତ୍ର ଏହା ସତ୍ତ୍ୱେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଇଟା ଖଣ୍ଡେ ମଧ୍ୟ ପକାଇ ନାହାନ୍ତି। ତେଣୁ ପଶ୍ଚିମ ଓଡ଼ିଶାବାସୀ ବିଶେଷ କରି ବରଗଡ଼, ନୂଆପଡ଼ା ଏବଂ ପଦମପୁର ଅଞ୍ଚଳର ଅଧିବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ରେଳଲାଇନ ପ୍ରକଳ୍ପ ମଞ୍ଜୁର କରିବା ସହ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି ରେଳଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି।

ଡ.ପାତ୍ର ଆହୁରି କହିଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣ କେନ୍ଦ୍ରୀୟ ପାଣ୍ଠିରୁ ଓଡ଼ିଶାରେ ଗୋଟିଏ ବି ନୂତନ ରେଳଲାଇନ ପ୍ରକଳ୍ପ ମଞ୍ଜୁର କରି ନାହାନ୍ତି। ଯେଉଁ ପ୍ରକଳ୍ପରେ ରାଜ୍ୟ ସରକାର ପାଣ୍ଠି ଯୋଗାଇଛନ୍ତି, କେବଳ ସେହିସବୁ ରେଳପ୍ରକଳ୍ପ ଅନୁମୋଦନ ପାଇଛି। ରେଳଲାଇନ ଘନତ୍ତ୍ୱ ଦୃଷ୍ଟିରୁ ପଛରେ ଥିବା ଓଡ଼ିଶା ଭଳି ରାଜ୍ୟ ପାଇଁ ଏଭଳି ବୈମାତୃକ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ।

ତେଣୁ କେନ୍ଦ୍ର ସରକାର ଆଉ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭୁଆଁ ନ ବୁଲାଇ ତୁରନ୍ତ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ନୂଆପଡ଼ା ରୋଡ଼ ଷ୍ଟେସନ୍ ରେଳଲାଇନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ମୁଁ ଦୃଢ଼ ଦାବି କରୁଛି ବୋଲି ଡ.ପାତ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର: ଚଳିତ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ କଂଗ୍ରେସ କମିଟିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, ପିିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବ ବିଶ୍ୱାଳ, ଭକ୍ତଚରଣ ଦାସ, ଶରତ ରାଉତ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ଅଛନ୍ତି।

ସେହିପରି ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ, ସିଏସ ରାଜନ ଏକ୍କା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଗଣେଶ୍ୱର ବେହେରା, ରାମଚନ୍ଦ୍ର ଖୁଂଟିଆ, ସୁଶିଳା ତିରିଆ, ​ ଅନନ୍ତ ପ୍ରସାଦ ସେଠୀ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, କିଶୋର ଚନ୍ଦ୍ର ପଟେଲ,ସୁରେନ୍ଦ୍ର ସିଂ ଭୋଇ,ଦେବାଶିଷ ପଟ୍ଟନାୟକ, ସଞ୍ଜୟ ଭୋଇ,ଜଙ୍ଗେଶ୍ୱର ବାବୁ,ପ୍ରକାଶ ଚନ୍ଦ୍ର ଦେବତା,ଅମୀୟ ପଟ୍ଟନାୟକ,ଭୁଜବଳ ମାଝୀ,ବାଙ୍କନିଧି ବେହେରା,ହମିଦ ହୁସେନ, ସ୍ମୃତି ରଞ୍ଜନ ଲେଙ୍କା ଓ ୟାସିର ନୱାଜ ପ୍ରମୁଖ ରହିଛନ୍ତି ବୋଲି ଶ୍ରୀ ବେହେରା ଜଣାଇଛନ୍ତି । ​

Categories
ଆଜିର ଖବର ରାଜ୍ୟ ଖବର

Video News: ପ୍ରଚାର ବେଳେ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର: ଆଜି ପ୍ରଚାର ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସେ ମହିଳାମାନଙ୍କୁ ଉଦବୋଧନ ଦେଉଥିବା ବେଳେ ବାପାଙ୍କ କଥା ମନେ ପକାଇ କାନ୍ଦିବାକୁ ଲାଗିଲେ। ଏହା ଦେଖିବା ପରେ ସେଠାରେ ଥିବା ମହିଳାମାନେ ମଧ୍ୟ କାନ୍ଦ କାନ୍ଦ ହୋଇଯାଇଥିଲେ।

 

ଏହାପରେ ସମସ୍ତେ ହୁଳହୁଳି ଦେଇ ବର୍ଷାଙ୍କୁ ସ୍ବାଗତ କରିଥିଲେ। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ ବର୍ଷା ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତାଙ୍କ ସହିତ ବିଜେଡିର ମଙ୍ଗୁଆଳମାନେ ମଧ୍ୟ ସେଠାରେ ଡେରା ପକାଇ ବର୍ଷାଙ୍କୁ ସହଯୋଗ ଦେବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଲେଖିଥିବା ଚିଠିକୁ ନେଇ ଆରମ୍ଭ ହେଲା ଝଡ

ଭୁବନେଶ୍ୱର : ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ନେଇଥିବା ଭୁଲ ପଦକ୍ଷେପ ସଂକ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଣିଥିଲା ତାହା ଆଜି ଧରାପଡିଛି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଗତକାଲି ବିଜେଡି ତିନୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲା । ପ୍ରଥମେ, ଏଚ୍‌ଡିଏଫ୍‌ସି ପରି ବୀମା କମ୍ପାନୀକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରନ୍ତି କି ନାହିଁ । ଉତ୍ତର ହେଉଛି କେନ୍ଦ୍ର ଏହା କରେ ବୋଲି ସ୍ବୀକାର କରିଛନ୍ତି। ଦ୍ୱିତୀୟରେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଏହି ତଥାକଥିତ ଅନିୟମିତ ବୀମା କମ୍ପାନୀ ଏଚ୍‌ଡିଏଫ୍‍ସିକୁ ସେମାନଙ୍କ ରାଜ୍ୟରେ ବ୍ୟବହାର କରୁଛନ୍ତି କି ନାହିଁ । ଉତ୍ତର ହେଉଛି ଏହି ବିଜେପି ଶାସିତ ରାଜ୍ୟମାନେ ଏହାକୁ ବ୍ୟବହାର କରୁଛନ୍ତି ।

ତୃତୀୟରେ ଗତକାଲିର ଚିଠି ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ବୈଠକ ଅନୁଯାୟୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ସ୍ୱଚ୍ଛ କାର୍ଯ୍ୟକ୍ରମ ନୁହେଁ ଏବଂ ଏଥିରେ ଅନିୟମିତତା ରହିଛି କି ? ଉତ୍ତର- ଏହା ଉପରେ କେନ୍ଦ୍ରର ଏକ ଭୁଲ ପଦକ୍ଷେପ ନେଇଛନ୍ତି । ସେମାନେ ସ୍ୱୀକାର କରିବେ ନାହିଁ ଯେ ସେମାନଙ୍କର ପିଏମ୍‌ଏଫ୍‍ବିୱାଇ ସେମାନଙ୍କ ଦ୍ୱାରା ତାଲିକାଭୁକ୍ତ ଏକ ବୀମା କମ୍ପାନୀ ଦ୍ୱାରା ଦୁର୍ନୀତି ଉପାୟରେ ଚାଲିଛି।

ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ପ୍ରକୃତରେ ଉପରୋକ୍ତ ପ୍ରଶ୍ନଗୁଡ଼ିକରୁ ଧ୍ୟାନ ବଦଳାଇବା ପାଇଁ ଏକ ସୁଚିନ୍ତିତ କୌଶଳ, ଯାହାର ଉତ୍ତର ହେଉଛି କେନ୍ଦ୍ର ପଦମପୁର ଏବଂ ଓଡିଶାର ଚାଷୀଙ୍କ ଠାରୁ ଏହାକୁ ଲୁଚାଇବାକୁ ଚାହୁଁଛି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିଟି ତ୍ରୁଟିପୂର୍ଣ୍ଣ, ଭୁଲ୍‍ ଏବଂ ବିକୃତ ତଥ୍ୟ ଏବଂ ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ବୋଲି ଡକ୍ଟର ପାତ୍ର କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ୨୯ ଅଗଷ୍ଟ ୨୦୨୨ରେ ଚିଠି ଲେଖି ଦାବି କରିଥିଲେ ଯେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି ଲୁଚା ଯାଉଛି ଏବଂ ଏହାକୁ ଦର୍ଶାଯାଉ ନାହିଁ ।

ଏହାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଫସଲ୍ ବୀମା ପାଇଁ କେନ୍ଦ୍ର ଉପରେ ନିୟମିତ ଚାପ ପକାଉଥିବାରୁ କେନ୍ଦ୍ର ଲୁଚାଇବାକୁ ଚାହୁଁଛି କି? ଦ୍ୱିତୀୟରେ ଓଡ଼ିଶାର ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ୯ ନଭେମ୍ବର, ୨୦୨୨ରେ ସାକ୍ଷାତ କରି ଓଡିଶାର କୃଷକମାନଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ବିଷୟରେ କହିଥିଲେ ମଧ୍ୟ ତାହାକୁ ଲୁଚା ଯାଇଛି କାହିଁକି?

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ଅନୁଯାୟୀ ଯଦି ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଦ୍ୱାରା ୭ ନଭେମ୍ବର, ୨୦୨୨ରେ ଫସଲ ବୀମା ଅର୍ଥ ଅନୁମୋଦନ କରାଯାଇଛି, ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ୧୫ ନଭେମ୍ବର, ୨୦୨୨ରେ ଟୁଇଟ୍ କରି କାହିଁକି ଦାବି କରିଛନ୍ତି ଯେ ବର୍ତ୍ତମାନ ପଦମପୁର ଏବଂ ବରଗଡର ଚାଷୀଙ୍କୁ ଦେୟ ଦେବାକୁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି? ଏହା କ’ଣ କେବଳ ନିର୍ବାଚନୀ ଲାଭ ପାଇଁ ଉପନିର୍ବାଚନ ହେଉଥିବା ପଦମପୁରର ଧ୍ୟାନ ଆକର୍ଷଣ କରିବା ପାଇଁ କି?

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଫସଲ ବୀମା ଉପରେ କେନ୍ଦ୍ରର ମିଥ୍ୟାକୁ ପଦମପୁର ଏବଂ ଓଡିଶାର କୃଷକମାନେ ଧରିଛନ୍ତି। ବର୍ତ୍ତମାନ ପଦମପୁର ଏବଂ ଓଡିଶାର କୃଷକମାନେ ଜାଣନ୍ତି ଯେ ପିଏମ୍‍ଏଫ୍‍ବିୱାଇ ନାମଟି ସ୍ୱାଭାବିକ ଭାବରେ କେନ୍ଦ୍ରର ଅଟେ ଏବଂ ଆଜି କେନ୍ଦ୍ରର ଚିଠି ଅନୁଯାୟୀ ଗ୍ରହଣ କରାଯାଉଥିବା ଯେକୌଣସି ଦାବି ଉପରେ କେବଳ କେନ୍ଦ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ ଏବଂ ଫସଲ ବୀମା ଅର୍ଥ ଦେବାପାଇଁ ସେମାନେ କେବଳ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ। ଚୂଡ଼ାନ୍ତ ନିଷ୍ପତ୍ତି କ୍ଷେତ୍ରରେ ରାଜ୍ୟର କୌଣସି ଭୂମିକା ନାହିଁ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିୟମିତ ଯୋଗାଯୋଗ ଏବଂ ଚାଷୀଙ୍କ ଚାପ ଯୋଗୁଁ କେନ୍ଦ୍ର ଚାଷୀଙ୍କ ଫସଲ ବୀମା ଅର୍ଥ ମଞ୍ଜୁର କରିବାକୁ ବାଧ୍ୟ ହୋଇଛି । ଯଦି ଏହା ଏବେ କରିପାରିଲ, ତେବେ ମାସେ ପୂର୍ବରୁ କାହିଁକି ନୁହେଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ବିଜେପିର ଏହି ଦୋମୁହାଁ ଏବଂ ମିଛକୁ ନେଇ ଓଡିଶାର କୃଷକମାନେ ଅତ୍ୟଧିକ କ୍ରୋଧିତ ଅଛନ୍ତି ଏବଂ ମତଦାନ ଦ୍ୱାରା ଆଗାମୀ ପଦମପୁର ଉପନିର୍ବାଚନରେ ସେମାନେ ଏହାର ଉପଯୁକ୍ତ ଉତ୍ତର ଦେବାକୁ ଯାଉଥିବା ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ବିଜେପିରୁ ଶ୍ରୀ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥୀପତ୍ର ଦାଖଲ ସମୟରେ ଦଳର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୂଜାରୀ, କେଭି ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

ଚାଷୀ ଆନ୍ଦୋଳନ ଓ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଜଣାଇ ଗତ ୧୪ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ। ଯାହାକୁ ନେଇ ବିଜେଡି ଏହା ଏକ ନାଟକ ବୋଲି ସମାଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମର୍ଥକକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡିର ବର୍ଷା ସିଂ ବରିହା

ପଦ୍ମପୁର: ଆଜି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ବରଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେ ଆଜି ସକାଳୁ ପ୍ରଥମେ ତାଙ୍କ ପରଲୋକଗତ ବାପା ବିଜୟ ସିଂ ବରିହାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ।

ବର୍ଷାଙ୍କ ସହିତ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଚାଷୀ ସମସ୍ୟାକୁ ସମର୍ଥନ କରି ଆଜି ପର୍ଯ୍ୟନ୍ତ କେହି ହେଲେ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିଲେ।