ପଦ୍ମପୁରରେ ହାତ ହଲେଇ ହଲେଇ ପଦ୍ମତୋଳା ମନ୍ତ୍ର ଫୁଙ୍କି ଦେଲେ ନବୀନ, ଭୋଟର ଖୁସ୍

Published: Dec 2, 2022, 6:36 pm IST

ବରଗଡ: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ମାରଥନ ପ୍ରଚାର କରି ଫେରିଆସିଛନ୍ତି। ବହୁଦିନ ଧରି ବରଗଡ ବିଜେଡି ନବୀନଙ୍କ ଉପସ୍ଥିତିକୁ ଅପେକ୍ଷା କରିଥିଲେ। ସେ ଆଜି ତିନୋଟି ବ୍ଲକରେ ସଭା କରି ଲୋକଙ୍କୁ ହାତ ହଲାଇ ହଲାଇ ଯେଉଁ ଦୁଇପଦ କହିଛନ୍ତି ସେଥିରେ ଭୋଟର ବେଶ ଖୁସ।

Odisha CM in Padampur Election

ପୂର୍ବରୁ ନବୀନ ଯେତେ ପ୍ରଚାରରେ ଯାଇଛନ୍ତି ସେଠାରେ ସେ କେବଳ ହାତ ହଲାଇ ଦେଲେ ଭଟୋର ଖୁସି ହୋଇ ଭୋଟ ଦେଉଛନ୍ତି। ପଦ୍ମପୁରରେ ମଧ୍ୟ ସେହି କଥା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ପଦ୍ମତୋଳା ପରି ବଶିଭୂତ ମନ୍ତ୍ର ଫୁଙ୍କି ଦେଇଛନ୍ତି। ଫଳରେ ସେହି ଉପନିର୍ବାଚନରେ ବିଜେଡି ବାଜିମାତ ନିଶ୍ଚିତ କରିବ ବୋଲି ଦଳ ଆଶା ରଖିଛି।

ଆଜି ପୂର୍ବହ୍ନରେ ନବୀନ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟରରେ ଓହ୍ଲାଇ ଝାରବନ୍ଧରେ ଆୟୋଜିତ ବିରାଟ ସମାବେଶରେ ଯୋଗ ଦେଇଥିଲେ। ସେ ହେଲିପ୍ୟାଡରେ ଓହ୍ଲାଇଲାବେଳେ ସେଠାରେ ଉପସ୍ଥିତ ଲୋକେ ହୁଳହୁଳି ଦେଇ ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ସେଠାରେ ହୋଇଥିବା ପ୍ରଚାର ସଭାରେ ଯୋଗଦେଇଥିଲେ। ସେଥିରେ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ସହିତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଉପସ୍ଥିତ ଥିଲେ।

ଏହାପରେ ସେ ପାଇକମାଳ ଏବଂ ପଦମପୁର ସଭାକୁ ଯାଇଥିଲେ। ସେଠାରେ ମଧ୍ୟ ସେ ଉପସ୍ଥିତ ଜନତାକୁ ସମ୍ବୋଧିତ କରିଥିଲେ। ସେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଉଦଗାର କରିବା ସହିତ ଆମେମାନେ ବହୁ ବର୍ଷ ଧରି ଆପଣଙ୍କ ସହିତ ରହିଛୁ ବୋଲି କହିଥିଲେ। ଆପଣମାନେ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକାଡି କରାଯାଇଥିଲା। ତିନୋଟି ସଭାରେ କିପରି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଯୋଗଦେବେ ସେ ନେଇ ବିସ୍ତୁତ ବ୍ୟବସ୍ଥା କରାଯାଇଥିଲା ସେହିପରି ଦଳ ତରଫରୁ ସାଂଗଠିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରାଜେନ୍ଦ୍ର ଢୋଲକିଆ, ନିରଂଜନ ପୂଜାରୀ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Related posts