ପଦମ୍‌ପୁର ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସରିଲା, ମଇଦାନରେ କେତେ ଜଣ ରହିଲେ

Published: Nov 22, 2022, 8:15 am IST

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦମ୍‌ପୁର ବିଧାନସଭା ଉପନିର୍ବାଚନରେ ମୋଟରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୋମବାର ଅର୍ଥାତ ୨୧ ନଭେମ୍ବର ୨୦୨୨ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ।

ପଦମ୍‌ପୁର ବିଧାନସଭା ଉପନର୍ବାଚନ ପାଇଁ ସର୍ବମୋଟ ୧୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ନାମାଙ୍କନ ପତ୍ର ଯାଞ୍ଚବେଳେ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଅବଶିଷ୍ଟ ୧୦ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ିବେ ।

ଏଥର ପଦମ୍‌ପୁର ଉପନିର୍ବାଚନରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ମଧ୍ୟ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟଗ୍ରହଣର ସୁବିଧା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୭୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‌ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଭୋଟର, ୧୨୭୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‌ ଭୋଟର ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୩୧୯ ଗୋଟି ବୁଥ୍‌ରେ ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‌କୁ ଆଜି ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିବାବେଳେ ୦୯ କମ୍ପାନୀ (ସିପିଏଫ୍‌) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‌ ରାଜ୍ୟ ପୋଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଏଥିରୁ ୧୬୦ ଗୋଟି ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମାନବେନ୍ଦ୍ର ପ୍ରତାପ ସିଂହ (୯୦୪୦୨୮୩୯୪୯) ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଡି.ଏମ୍‌. ରାମପ୍ରସାଦ ଗୁପ୍ତା (୬୩୭୨୪୪୧୨୧୦) ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ଶ୍ରୀ ହେମନ୍ତ ଚୌହାନ (୯୦୪୦୨୮୩୯୩୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related posts