Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ବିଜେଡି କଂଗ୍ରେସ ଡିଲ, ନିଜ ଦୋଷ ଲୁଚାଇବା ପାଇଁ ବିଜେପିର ଏକ ଚାଲ୍

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଶେଷ ହେଲାଣି, ହେଲେ ବିବାଦର ଶେଷ ହୋଇପାରୁ ନାହିଁ। ଏହି ଉପନିର୍ବାଚନର ବହୁ ପୂର୍ବରୁ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା। ଏବେ ଗଣତି ସରି ବର୍ଷା ବରିହା ବିଧାୟିକା ଭାବେ ଶପଥ ନେଇ ସାରିଲେଣି। ତଥାପି ପଦମପୁର ଗରମ ଶେଷ ହୋଇ ନାହିଁ। ବିଜେପି ହାରିବା ପରେ ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଦମପୁରରେ କଂଗ୍ରେସ ଭୋଟ ନେବା ପାଇଁ ବିଜେଡି ଡିଲ କରିଛି। ତେବେ ଏହି ଡିଲ କେବଳ କଥାବାର୍ତ୍ତାରେ ନୁହେଁ ଭୋଟ ପାଇଁ ନୋଟ କାରବାର ହୋଇଥିବାର ସେ ସଙ୍କେତ ଦେଇଛନ୍ତି। ଏହି ଡିଲ ଭୁବନେଶ୍ବରରେ ହେବା ପରେ କୁଆଡେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇ ଥିଲେ। ଏହା ପଛରେ ସତ୍ବତା କଣ ତାହାର ପ୍ରମାଣ ଅବଶ୍ୟ ଜୟନାରାୟଣ ମିଶ୍ର ଦେଇପାରି ନାହାଁନ୍ତି। ଏପରି କଥାରେ ସେ ପ୍ରମାଣ ମଧ୍ୟ  ଦେଇପାରିବେ ନାହିଁ।

ହେଲେ ଜୟନାରାୟଣ ମିଶ୍ର ଏପରି କାହିଁକି କହିଲେ। ଯଦି କଂଗ୍ରେସ ଭୋଟ ତାଙ୍କ ଦଳ ବିଜେପିକୁ ଯାଇ ଥାଆନ୍ତା ତେବେ ସେ ଏପରି କଥା କହିଥାଆନ୍ତେ କି ? ଅନ୍ୟପକ୍ଷରେ ଯଦି ନିର୍ବାଚନ ପରିଚାଳନାରେ ମାହିର ଥିବା ବିଜେଡି ଜିତିବା ପାଇଁ କଂଗ୍ରେସ ଭୋଟ ହାତେଇ ପାରିଲା ତେବେ ସେଥିରେ ଭୁଲ ରହିଲା କେଉଁଠି। କାରଣ ପଦମପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ଯେପରି କଳବଳ କୌଶଳ ପ୍ରୟୋଗ କରିଛି ବିଜେପି ମଧ୍ୟ କିଛି କମ କରି ନାହିଁ।

ତେବେ ଜୟନାରାୟଣଙ୍କ ମନ୍ତବ୍ୟ ପରେ ପଦମପୁର ଏବଂ ବରଗଡର ବିଭିନ୍ନ ସଚେତନ ଲୋକଙ୍କର ମତକୁ ବିଚାରକୁ ନିଆଯାଉ। ସେମାନେ ମଧ୍ୟ ଜୟନାରାୟଣଙ୍କ ମନ୍ତବ୍ୟ ସତ ବୋଲି ସ୍ବୀକାର କରିଛନ୍ତି। ସେମାନଙ୍କ ହିସାବରେ ପ୍ରକୃତରେ କଂଗ୍ରେସ ଭୋଟ ବିଜେଡି ଖାତାକୁ ଯାଇଛି। ତେବେ ଏଥିରେ କେହି ବଳ ପ୍ରୟୋଗ ବା ଅର୍ଥ ପ୍ରୟୋଗ ହୋଇନାହିଁ। କାରଣ ଏପରି କରିବାର କୌଣସି ଆବଶ୍ୟକ ମଧ୍ୟ ପଡି ନାହିଁ।

ସେମାନେ ଆହୁରି କହିଛନ୍ତି ଯେ, ପ୍ରଚାରର ଶେଷ ପର୍ଯ୍ୟାୟରେ ତାଙ୍କ ପ୍ରାର୍ଥୀ ଜିତିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ ହୃଦୟଙ୍ଗମ କଲେ। ହେଲେ ବିଜେଡି ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଚାଲିଥିଲା ସେଥିରେ କିଏ ଜିତିବ ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନ ଥିଲା। କାଳେ ବିଜେପି ଜିତିଯିବ ସେଥିପାଇଁ ଅନେକ କଂଗ୍ରେସ ନେତା ସେମାନଙ୍କ ଭୋଟ ବିଜେଡିକୁ ଦାନ ସୁତ୍ରରେ ପ୍ରଦାନ କରିଛନ୍ତି।

କେବଳ ଦାନ ନୁହେଁ ସେହି ଭୋଟକୁ ହାତେଇବା ପାଇଁ ବିଜେଡି ମଧ୍ୟ ନିଜର ରଣ କୌଶଳ ବିନିଯୋଗ କରି ନାହିଁ ତାହା ଭୁଲ। ହେଲେ ବିଜେପି ସେ ଗଣିତକୁ ଜାଣିପାରିଲା ନାହିଁ। ଉପରେ ଉପରେ ଉଡୁଥିବା ବିଜେପି ନେତା ଏ କଥାକୁ ହୃଦୟଙ୍ଗମ କରିପାରିଲେ ନାହିଁ। ଭୋଟ ଗଣତି ହେବା ପରେ ସେମାନେ ଜାଣିଲେ ଯେ କଂଗ୍ରେସ ଭୋଟ ବିଜେଡି ହାତେଇ ନେଇଛି। ସେତେବେଳକୁ କଥା ସରିଗଲାଣି। ଫଳରେ ଜୟନାରାୟଣ ମିଶ୍ର ଔଷଧ ବିକଳରେ ତାଟିଆ କାମପୁଡିବା ପରି ଏପରି ବିଳିବିଳେଇ ହେଉଛନ୍ତି।

ଜୟନାରାୟଣ ପଦମପୁର ପ୍ରଚାରର ପ୍ରମୁଖ ଥିଲେ। ନିଜ ଉପରୁ ଦୋଷ ତୁଟାଇବା ପାଇଁ ଏବେ ଏପରି ‘ଡିଲ’ ଶଦ୍ଦ ବ୍ୟବହାର କରି ସେ କେନ୍ଦ୍ରୀୟ ନେତାଙ୍କ ପାଖରେ ନିଜକୁ ସଫା ରଖିବାକୁ ଚେଷ୍ଠା କରୁଛନ୍ତି। ହେଲେ ଏଥିରେ ସେ କେବେ ମଧ୍ୟ ସଫଳ ହୋଇପାରିବେ ନାହିଁ କି ନିଜ ମୁଣ୍ଡରୁ ଅଠା ଛଡାଇପାରିବେ ନାହିଁ। କାରଣ ପଦମପୁରର ସମସ୍ତ ତଥ୍ୟ କେନ୍ଦ୍ରୀୟ ନେତୃତ୍ବ ପାଖରେ ରହିଛି। ବିଜେପି ହାରିବାରେ କାହାର ଭୁଲ ତାହା ସେମାନଙ୍କର ଗୁଇନ୍ଦା ସଂସ୍ଥା ଅବଗତ କରାଇସାରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁର ପ୍ରଚାରରେ କାହିଁକି ଗଲେ, ମଂଜ କଥାଟି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେତିକି ନୁହେଁ ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ପଦମପୁରବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ,

ପଦମପୁରର ପ୍ରିୟ ଭାଇ ଓ ଭଉଣୀମାନେ,

ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦମପୁରବାସୀଙ୍କ ବିଜୟ। ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ ଧର୍ଯ୍ୟ ଓ ନିଷ୍ଠାର ସହ କାମ କରିଛନ୍ତି। ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି।

କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍‌ସନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍‌ସନରେ ବି ଯାଇ ନ ଥିଲେ, ଏ ପଦମପୁର ଇଲେକ୍‌ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା।

ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ। ଓଡିଶାର ସବୁ ମହିଳା ମାନଙ୍କ ପାଇଁ ଦୁଃଖର କଥା। ରାଜନୀତିରେ ହାରିବା ଓ ଜିତିବା, ଇଲେକସ୍‌ନ ଲଢିବା ଅଲଗା କଥା। କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି। ବାପା ହରାଇଥିବା ବର୍ଷା ସାଙ୍କରେ ଠିଆ ହେବି।

ମୁଁ ବିରୋଧୀ ଦଳକୁ – ରାଜ୍ୟର ବିଜେପି ନେତୃମଣ୍ଡଳୀ ଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ। ଆଜି ନୁହେଁ……ସଦା ବେଳେ

ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା – କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ, ଓଡିଶାବାସୀଙ୍କୁ, ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, ଏହା ଅତି ର୍ଦୁଭାଗ୍ୟଜନକ ବିଷୟ, ଏହା ଠିକ୍‌ ନୁହେଁ। ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ। ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଓଡିଶାର ଉନ୍ନତି ପାଇଁ କାମ କରିବା।

ଆଜି ମୁଁ ପଦମପୁରବାସୀଙ୍କ ପାଖରେ ଋଣୀ। ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ। ଆଉ ଥରେ ସମସ୍ତଙ୍କୁ ଜୁହାର। ମୁଁ ବହୁତ ଶୀଘ୍ର ପଦମପୁରକୁ ଆସିବି। ଆପଣମାନଙ୍କର ଆଶୀର୍ବାଦ ନେବି।

Categories
ଆଜିର ଖବର ରାଜ୍ୟ ଖବର

Padampur Result: ଆଉ ନୁହେଁ ବହୁ ଆଗରେ ରହିଲେ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଫଳାଫଳରେ ବିଜେଡି ଧିରେ ଧିରେ ବହୁ ଆଗରେ ରହିଛି। ବର୍ତ୍ତମାନ ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫୯୨୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ଫଳରେ ବର୍ଷା ମୋଟ ଭୋଟ ସଂଖ୍ୟା ହେଲା ୨୧୮୩୭

ବିଜେଡି- ବର୍ଷା ସିଂ ବରିହା -୨୧୮୩୭
ବିଜେପି- ପ୍ରଦୀପ ପୁରୋହିତ -୧୩୬୫୯
କଂଗ୍ରେସ -ସତ୍ୟଭୂଷଣ ସାହୁ -୬୧୬

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଏ ଜିତିବ ପଦ୍ମପୁର ଉପନିର୍ବାଚନ, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି

ପଦମପୁର : କିଛି ସମୟ ପରେ ଆରମ୍ଭ ହେବ ପଦମପୁର ଉପନିର୍ବାଚନ ଭୋଟ ଗଣତି। ପ୍ରଥମେ ସକାଳ ୮ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି। ୭ଟା ୫୯ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ଗଣାଣିବ। ୨୯୬ ପୋଷ୍ଟାଲ ବାଲଟ ଏବେ ସୁଦ୍ଧା ଆସିଥିବାରୁ ତାକୁ ଆଗ ଗଣତି ହେବ। ଏହାପରେ ସାଢେ ୮ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ।

ମୋଟ୍ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ। ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ। ୫ଟି ବୁଥର ହେବ ଭିଭିପାଟ୍ ଗଣତି। ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି। ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ।

ସେହିପରି ଦୁଇଜଣ ଟେକନିକାଲ ଅବଜରଭର ଅଛନ୍ତି। ଇଭିଏମରେ କୌଣସି ତ୍ରୁଟି ହେଲେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ। ସେହିପରି ପ୍ରତି ପ୍ରାର୍ଥୀଙ୍କର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଇସିଆଇ ପ୍ରଦତ୍ତ ନିଯୁକ୍ତି ପତ୍ର ଧରି ଉପସ୍ଥିତ ରହିବେ। ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଆରପିଏଫ୍, ଷ୍ଟେଟ ଆର୍ମ ଫୋର୍ସ ଓ ରାଜ୍ୟ ପୋଲିସ ନିଯୁକ୍ତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଫଇସଲା: ମାଣବସା ଗୁରୁବାର ଦିନ ମା ଲକ୍ଷ୍ମୀ କାହାକୁ କରିବେ ଆର୍ଶିବାଦ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶେଷ ଗୁରୁବାର। ଆସନ୍ତାକାଲି ମଧ୍ୟ ହେଉଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଫଳାଫଳ ଜଣାପଡିଯିବ। ତେବେ ଏହିପରି ଏକ ପବିତ୍ର ଦିନରେ ମା ଲକ୍ଷ୍ମୀ କାହାକୁ ଆର୍ଶିବାଦ କରିବେ ସେ ନେଇ ସମସ୍ତଙ୍କର ରହିଛି ନଜର। ବର୍ଷା, ପ୍ରଦୀପ ନା ସତ୍ୟଭୂଷଣ କାହା ପ୍ରତି ମା’ଙ୍କ ଶୁଭ ଦୃଷ୍ଟି ରହିବ !

କାରଣ ଏଥର ପଦ୍ମପୁର ଉପନିର୍ବାଚନ ଯେଉଁ ଭଳି ହେଲା, ତାହା ବିଗତ ଉପନିର୍ବାଚନରେ କେବେ ବି ଦେଖିବାକୁ ମିଳି ନ ଥିଲା। ବିଜେଡି ଓ ବିଜେପି ମଧ୍ୟରେ ଭୋଟ ପାଇଁ ସତସତିକା ଯୁଦ୍ଧ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଡପିଟଠାରୁ ଆରମ୍ଭ କରି ଗାଳିଗୁଲଜ ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଏହି ନିର୍ବାଚନର ଫଳାଫଳକୁ ନେଇ ସାରା ଓଡିଶାବାସୀ ଅନେଇ ରହିଛନ୍ତି।

ତେବେ ଗଣନା ପୂର୍ବରୁ ବିଭିନ୍ନ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କଂଗ୍ରେସ ଦଳର ବିଧାୟକ ସୁର ରାଉତରାୟ କହୁ କହୁ ସତ କହିଦେଇଛନ୍ତି। ସେ ଖୋଲାଖୋଲି କହିଲେ ଯେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ। ସେ ଆଉ ଜିତିବା କଥା କହିଲେ ନାହିଁ। ସେ କହିଲେ ପଦମପୁରରେ ବିଜେଡି ଏକ ନମ୍ବର ଏବଂ ବିଜେପି ଦୁଇ ନମ୍ବରରେ ରହିବ।

ସେହିପରି ବିଜେପି ତରଫରୁ ମଧ୍ୟ ପଦ୍ମପୁର ଫଳାଫଳକୁ ନେଇ ଆକଳନ କରାଯାଇଛି। ଦଳର ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ପଦ୍ମପୁରରେ ବିଜେପି ଜିତିବ। ତେବେ ଭୋଟ ବ୍ୟବଧାନ ଦଶ ହଜାର ଭିତରେ ରହିବ ବୋଲି ସେ କହିଛନ୍ତି। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହିସାବ ଅଲଗା। ସେ କହିଲେ ଯେ ପଦ୍ମପୁରରେ ବିଜେପି ଆଠ ହଜାର ଭୋଟରେ ଜିତିବ।

କିନ୍ତୁ ବିଜେଡି ବେଧଡକରେ ବସି ରହିଛି। ଧାମନଗରରେ ହିସାବ କିତାବ ଭୁଲ ହୋଇଯାଇ ଥିବାରୁ, ପଦ୍ମପୁରରେ ତାହାକୁ ସୁଧରା ଯାଇଛି। ତେଣୁ ପଦ୍ମପୁରରେ ବିଜେଡି ବହୁ ଭୋଟରେ ଜିତିବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି। ଗତ ନିର୍ବାଚନରେ ବିଜୟ ରଂଜନ ସିଂ ବରିହା ପାଞ୍ଚ ହଜାର ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏଥର ବର୍ଷା ସିଂ ବରିହା ବହୁଗୁଣ ଅଧିକ ଭୋଟରେ ଜିତିବେ ବୋଲି ଦେବୀ ମିଶ୍ର କହିଛନ୍ତି।

ତେବେ ରାଜନୈତିକ ସମୀକ୍ଷକଙ୍କର ମତ ଯେ, ପଦ୍ମପୁରରେ ଦ୍ବମୁଖୀ ପ୍ରତିଦ୍ବନ୍ଦିତା ହୋଇଛି। ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହୋଇଛି। ହେଲେ ଲୋକଙ୍କ ମୁଡକୁ ଯଦି ଆକଳନ କରାଯିବ ତେବେ ସେଠାରେ ବିଜେଡି ଜିତିବାର ସମ୍ଭାବନା ଅଧିକ ରହିଛି। କାରଣ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିବାରୁ ବିଜେଡି ଅଧିକ ଭୋଟ ନେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପଦମପୁର ଉପନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ହୋଇଛି ୪୬.୯୬ ପ୍ରତିଶତ ମତଦାନ

Padampur Byelection: ପଦମପୁର ଉପନିର୍ବାଚନ ବର୍ତ୍ତମାନ ପର୍ଯ୍ୟନ୍ତ ସୁରୁଖୁରରୁ ଚାଲିଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ସେଠାରେ ଆଜି ଦିନ ଗୋଟାଏ ସୁଦ୍ଧା ହୋଇଛି ୪୬.୯୬ ପ୍ରତିଶତ ମତଦାନ। ଫଳରେ ଏହି ମତଦାନ ହାର ବୃଦ୍ଧି ପାଉଛି ଏବଂ ଏହା ଭଲ ହାର ବୋଲି ଜଣାପଡିଛି।

ଆଜି ପଦ୍ମପୁର ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟାରେ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦମପୁର ଉପନିର୍ବାଚନରେ ଦିନ ୧୧ ଟା ସୁଦ୍ଧା ୨୯. ୭୩ ପ୍ରତିଶତ

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଆଜି ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏଥିପାଇଁ ଭୋଟରମାନେ ଧାଡି ବାନ୍ଧି ଅପେକ୍ଷା କରିଥିବାର ଦେଖାଯାଇଥିଲା।

ପଦ୍ମପୁର ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟାରେ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଦମପୁରରେ ହୋଇଛି ଆଦର୍ଶ ଓ ଗୋଲାପୀ ବୁଥ

ଭୁବନେଶ୍ବର: ପଦମପୁର ଉପନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କରାଯାଇଛି ୧୫ଟି ଆଦର୍ଶ ମତଦାନ କେନ୍ଦ୍ର। ଏହି ମତଦାନ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ, ଟେମ୍ପ ପରି ସୁବିଧା ଯୋଗାଇ ଦିଆଯାଉଛି। ସେହିପରି ବୁଥକୁ ବେଲୁନ ଏବଂ ଫୁଲରେ ମଧ୍ୟ ସଜାଯାଇଛି। ପାନୀ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେଠାରେ ସେଚ୍ଛାସେବୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ସେହିପରି ଏହି ଉପନିର୍ବାଚନରେ ମହିଳାମାନଙ୍କୁ ଭୋଟ ଦେବା ପାଇଁ ଆଗ୍ରମ ସୃଷ୍ଟି ନିମନ୍ତେ ୦୬ ଟି ଗୋଲାପୀ ବୁଥ କରାଯାଇଛି। ଏଥିରେ କେବଳ ମହିଳାମାନଙ୍କ ଦ୍ବାରା ମତଦାନ ପରିଚାଳନା କରାଯାଉଛି। ଏଥିସହିତ ମଡେଲ ବୁଥରେ ଯାହା ସୁବିଧା ଏଥିରେ ମଧ୍ୟ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେବା ପାଇଁ ଧାଡିରେ ଛିଡା ହେଲେ ବିଜେଡି ପ୍ରାର୍ଥୀ ବର୍ଷା

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ସକାଳ ସାତଟରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ଭୋଟରମାନେ ଧାଡି ବାନ୍ଧି ଭୋଟ ଦେବାକୁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି। ସେହିପରି ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ବୁଥରେ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ। ଏହାପରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଏହି ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ସରିଲା ଘୋ ଘା, ଏହି ଉପନିର୍ବାଚନ ରଚିଲା ଏକ ନୂଆ ଇତିହାସ, ନୂଆ ଦୃଷ୍ଟାନ୍ତ

ଭୁବନେଶ୍ବର: ସରିଲା ପଦମପୁର ଉପନିର୍ବାଚନର ପ୍ରଚାର। ହେଲେ ଏହି ନିର୍ବାଚନ ଓଡିଶା ରାଜନୈତିକ ଇତିହାସରେ ରଚନା କଲା ବହୁ ନୂଆ ଇତିହାସ, ନୂଆ ଦୃଷ୍ଟାନ୍ତ। ଯାହା କେବେ କୌଣସି ଉପନିର୍ବାଚନରେ ଏପରି ଘଟି ନ ଥିଲା। ଏହି ଉପନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଯେପରି ଟକ୍କରା ଟକ୍କରି ହେଲେ ତାହା କେବେ ଦେଖାଯାଇ ନ ଥିଲା।

ଗତ ବିଧାନସଭା ନିର୍ବାଚନ ପରେ ପ୍ରାୟ ଛଅଟି ଉପନିର୍ବାଚନ ହୋଇଯାଇଛି। ହେଲେ ସେଥିରେ ଏପରି କିଛି ନାଟକବାଜୀ ଦେଖିବାକୁ ମିଳି ନ ଥିଲା ଯାହା ପଦ୍ମପୁରରେ ଘଟିଲା। ମୁଖ୍ୟତଃ ନିକଟରେ ଧାମନଗର ଉପନିର୍ବାଚନରେ ବିଜେପି ଜିତିବା ପରେ ତାଙ୍କର ଆଶା ଆହୁରି ବଢିଗଲା। ଯାହାର ଘୋ ଘା ଏହି ପଦମପୁର ଉପନିର୍ବାଚନରେ ପ୍ରତିଫଳିତ ହେଲା।

ଏହି ଉପନିର୍ବାଚନ ପୂର୍ବରୁ ଦୁଇଟି ପ୍ରସଂଗ ନେଇ ସାରା ଓଡିଶା ପଡିଲା ଉଠିଲା। ତାହା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପଦମପୁରକୁ ରେଳ ସଂଯୋଗ। ଏହାକୁ ନେଇ ଉଭୟ ବିଜେଡି ବିଜେପି କାଦୁଅ ଫିଙ୍ଗାଫିଙ୍ଗି ହେଲେ। ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟନ୍ତ ଏହି ଦୁଇ ପ୍ରସଂଗ ତାଜା ହୋଇ ରହିଥିଲା। ସେହି ଚାଷୀ ପ୍ରସଂଗ ନେଇ ରାଜଧାନୀରେ ମଧ୍ୟ ବିଜେପି ଗର୍ଜନ କଲା। ଏହାଥିଲା ଏପରି ଏକ ଉପନିର୍ବାଚନ ଯାହା ରାଜ୍ୟ କାହିଁକି ଜାତୀୟ ରାଜନୀତିକୁ ମଧ୍ୟ ଚଳଚଞ୍ଚଳ କରିଦେଇ ଥିଲା।

ସେହିପରି ଏହି ପ୍ରସଂଗର ଉତ୍ତର ଦେବା ପାଇଁ ପ୍ରଥମ ଥର ବିଜେପି ଦୁଇ ଜଣ ଟାଣୁଆ କେନ୍ଦ୍ରମନ୍ତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡିଥିଲା। ସେମାନେ ହେଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅଶ୍ବନୀ ବୈଷ୍ଣବ। ପୂର୍ବରୁ ଉପନିର୍ବାଚରେ ବିଜେପି କେବେ ଏପରି କରି ନ ଥିଲା। ସେହିପରି ଧାମନଗରେ ନିରବ ଥିବା ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡଙ୍ଗୀ ଏହି ଉପ ନିର୍ବାଚନରେ ପ୍ରଚାର କରିବାକୁ ସୁଯୋଗ ପାଇଥିଲେ।

ଅନ୍ୟପକ୍ଷରେ ଧାମନଗରରେ ପ୍ରଥମ ଥର ପାଇଁ ପରାଜୟ ପରେ ବିଜେଡି ମଧ୍ୟ ତାହାର କଳବଳ କୌଶଳକୁ ପଦମପୁରରେ ଲଗାଇ ଦେଇଥିଲା। କୌଣସି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ସିଧା ପ୍ରଚାରରେ ସାମିଲ ହୋଇ ନ ଥିଲେ। ଭର୍ଚୁୟାଲି ଉପନିର୍ବାଚନ ପ୍ରଚାର କରିଥିଲେ। ହେଲେ ପଦମପୁରରେ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡିଥିଲା।

ତେବେ ବିଜେଡି ଏହି ଉପନିର୍ବାଚନରେ ନିଜର ପ୍ରସଂଗ ଉଠାଇବା ଅପେକ୍ଷା ବିଜେପିକୁ ପ୍ରତିରୋଧ କରିବାରେ ବେଶୀ ସମୟ ନେବାକୁ ବାଧ୍ୟ ହୋଇଥିଲା। କାରଣ ବିଜେପି ତରଫରୁ ଚାଷୀ ଓ ରେଳ ପ୍ରସଂଗରେ ଯେପରି ମନ୍ତବ୍ୟ ଦିଆଗଲା ତାହାକୁ ବିଜେଡି ସ୍ପଷ୍ଟ କରଣ ଦେଇ ମିଛ ବୋଲି ପ୍ରମାଣିତ କରିବାରେ ଅଧିକ ସମୟ ଦେବାକୁ ପଡିଥିଲା।

ସେହିପରି ବିଭିନ୍ନ ସମୟରେ ମୁହଁ ଘୋଡାଇ ଟଙ୍କା ବାଣ୍ଟିବା, ଅମିତା ଶାହାଙ୍କ ମିଛ ଭିଡିଓ ଭାଇରାଲ କରିବା, ବର୍ଷା ବରିହାଙ୍କ ନାମରେ ବିଭିନ୍ନ ଅପମାନ ସୂଚକ ମନ୍ତବ୍ୟ ଦେବା, ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜା ସ୍ବାଇଁଙ୍କୁ ବାଡାଇବା ପାଇଁ କହିବା, ସୁଶାନ୍ତ ସିଂଙ୍କୁ ସାମାଜିକ ଗଣମାଧ୍ୟମରେ ହତ୍ୟା କରିବା ପାଇଁ ଧମକ ଦେବା ପ୍ରଭୃତି ପ୍ରସଂଗ ବିଜେଡି ସଫଳତାର ସହ ମୁକାବିଲା କରିବାରେ ସଫଳ ହୋଇଛି।

ତେବେ ଏହି ନିର୍ବାଚନରେ ସବୁଠାରୁ ଯେଉଁ ରୋଚକ ସ୍ଥିତି ଦେଖାଦେଇଥିଲା ତାହା ହେଲା ସକାଳେ ଆଇଟି ରେଡ୍, ସଂଧ୍ୟାରେ ଜିଏସଟି ରେଡ୍। ନିର୍ବାଚନ ପକ୍ରିୟା ଚାଲିଥିବା ବେଳେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ପ୍ରଥମେ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ବିଜେଡି ଘରେ ରେଡ କଲା। ଏହାପରେ ପରେ ସଂଧ୍ୟାରେ ରାଜ୍ୟ ସରକାରଙ୍କ ଜିଏସଟି ବିଜେପି ନେତାଙ୍କ ଘରେ ରେଡ କଲା। ଯେସାକୁ ତେସା ନ୍ୟାୟରେ ବିଜେଡି ଏସବୁକୁ ବେଶ ସାବଧାନତାର ସହ ମୁକାବିଲା କରିଥିଲା।

ସେଥିପାଇଁ ପଦମପୁର ଉପନିର୍ବାଚନ ଏସବୁ ଘଟଣା ପାଇଁ ଓଡିଶା ରାଜନୈତିକ ଇତିହାସରେ ଏକ ଭିନ୍ନ ଦୃଷ୍ଟାନ୍ତ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମ୍‌ପୁର ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସରିଲା, ମଇଦାନରେ କେତେ ଜଣ ରହିଲେ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦମ୍‌ପୁର ବିଧାନସଭା ଉପନିର୍ବାଚନରେ ମୋଟରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୋମବାର ଅର୍ଥାତ ୨୧ ନଭେମ୍ବର ୨୦୨୨ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ।

ପଦମ୍‌ପୁର ବିଧାନସଭା ଉପନର୍ବାଚନ ପାଇଁ ସର୍ବମୋଟ ୧୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ନାମାଙ୍କନ ପତ୍ର ଯାଞ୍ଚବେଳେ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଅବଶିଷ୍ଟ ୧୦ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ିବେ ।

ଏଥର ପଦମ୍‌ପୁର ଉପନିର୍ବାଚନରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ମଧ୍ୟ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟଗ୍ରହଣର ସୁବିଧା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୭୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‌ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଭୋଟର, ୧୨୭୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‌ ଭୋଟର ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୩୧୯ ଗୋଟି ବୁଥ୍‌ରେ ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‌କୁ ଆଜି ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିବାବେଳେ ୦୯ କମ୍ପାନୀ (ସିପିଏଫ୍‌) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‌ ରାଜ୍ୟ ପୋଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଏଥିରୁ ୧୬୦ ଗୋଟି ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମାନବେନ୍ଦ୍ର ପ୍ରତାପ ସିଂହ (୯୦୪୦୨୮୩୯୪୯) ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଡି.ଏମ୍‌. ରାମପ୍ରସାଦ ଗୁପ୍ତା (୬୩୭୨୪୪୧୨୧୦) ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ଶ୍ରୀ ହେମନ୍ତ ଚୌହାନ (୯୦୪୦୨୮୩୯୩୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।