ପଦ୍ମପୁର ଉପନିର୍ବାଚରେ ମନ୍ତ୍ରୀ ପଦର ଅପବ୍ୟବହାରକୁ ନେଇ ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିଦଳ

Published: Nov 21, 2022, 8:03 am IST

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ। ସେମାନଙ୍କର ଅଭିଯୋଗ ହେଲା ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ପଦ୍ମପୁର ପବ୍ଲିକ ସ୍କୁଲ ଏବଂ ଜୟଦେବ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୁଜାରୀ ଯୋଗ ଦେଇଥିଲେ।

ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ ଶ୍ରୀମତୀ କିରଣ ପଣ୍ଡାଙ୍କ ସ୍ୱାମୀ ତଥା ବରଗଡସ୍ଥିତ ଅଂଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣମୋହନ ପଣ୍ଡାଙ୍କ ଦ୍ୱାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।

ଜଣେ ସରକାରୀ ବେତନପ୍ରାପ୍ତ ଅଧ୍ୟାପକ ଭାବେ ଶ୍ରୀ ପଣ୍ଡାଙ୍କ ଦଳୀୟ ସଭା ଆୟୋଜନ କରାଇବା ଦଣ୍ଡନୀୟ ଅପରାଧ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଟେ । ତେଣୁ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ଗିରଫ କରାଯିବାକୁ ଡ.ଲେଖାଶ୍ରୀ ସିଇଓଙ୍କ ନିକଟରେ ଦାବୀ କରିଛନ୍ତି।

ସେଥିପାଇଁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବୀ କରିଛି। ଲୋକ ପ୍ରତିନିଧି ଆଇନର ଧାରା ୧୨୩ ଓ ୧୭୧ ଅନୁଯାୟୀ ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ। ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କୁ ସମସ୍ତ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ରଖାଯିବା ସହିତ ନିର୍ବାଚନମଣ୍ଡଳୀ ସୀମା ବାହାରକୁ ତଡିପାର କରାଯାଉ ବୋଲି ଡ.ଲେଖାଶ୍ରୀ ସିଇଓଙ୍କ ନିକଟରେ ଦାବୀ କରିଛନ୍ତି।

ଏହି ପ୍ରତିନିଧିଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related posts