ବିଜେପି, କାହିଁକି ପଦ୍ମପୁର ଉପନିର୍ବାଚନରେ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଏବଂ ତୋମାରଙ୍କୁ ଡାକିଛି ?

Published: Nov 27, 2022, 9:39 am IST

ଭୁବନେଶ୍ବର: ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଶ ଜମିଯିବ। କାରଣ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ସେମାନେ ହେଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଦିନ ୧୧ ଟାରେ ପାଇକମାଲରେ ଓ ଦିନ ୧୨ ଟା ସମୟରେ ପଦ୍ମପୁରର ଅଶୋକ ଫିଲ୍ଡରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେଥିପାଇଁ ଉଭୟଙ୍କ ନିମନ୍ତେ ପଦ୍ମପୁରରେ ବିଶେଷ ବ୍ୟବସ୍ଥା କରାଯାଇଛି। ସେହିପରି ଗତକାଲି ଦଳର ଦୁଇ ପ୍ରମୁଖ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ସେମାନେ ହେଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର।

ତେବେ ଏହି ଦୁଇ ଭିନ୍ନ କେନ୍ଦ୍ରମନ୍ତ୍ରୀ ଉପନିର୍ବାଚନ ପ୍ରଚାରରେ ଆସିବା କାରଣ ମଧ୍ୟ ଭିନ୍ନ ରହିଛି।  ପୂର୍ବରୁ ଓଡିଶାରେ ଯେତେ ଉପନିର୍ବାଚନ ହୋଇଛି ସେତେବେଳେ ବିଜେପି ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବାର ଧାରା ରହିଥିଲା। ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ। ନଚେତ ତା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।

ହେଲେ ଏଥର ପ୍ରଚାରରେ କିନ୍ତୁ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ବିନା ଧର୍ମେନ୍ଦ୍ରରେ ପ୍ରଚାର କରିବେ। ତେବେ ଏହାର ଏକ ବଡ କାରଣ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ତାହା ଏହି ନିର୍ବାଚନ ସହିତ ଜଡିତ ନାହିଁ। ତେବେ ଉପ ନିର୍ବାଚନ ହିସାବରେ ଦେଖିବାକୁ ଗଲେ ଉଭୟ ମନ୍ତ୍ରୀଙ୍କର ବିଭାଗ ବର୍ତ୍ତମାନ ହଟ ଟପିକ୍ ଭାବେ ଅଛି।

ରେଳମନ୍ତ୍ରୀ ତାଙ୍କ ବିଭାଗର ପଦ୍ମପୁର ରେଳ ଲାଇନ ନେଇ ପ୍ରକୃତରେ କାମ କିଏ ଅଟକାଇଛି, କାହା ଯୋଗୁ ଅଟିକିଛି ତାହାର ସଫେଇ ଦେବେ। ସେହିପରି କୃଷିମନ୍ତ୍ରୀ ମଧ୍ୟ ସଫେଇ ଦେବେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କଣ ପାଇଁ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ବର୍ତ୍ତମାନ ବେଶ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ହୋଇଛି। ତେବେ ଉଭୟଙ୍କ ଭାଷଣ ଦେବା ପରେ ଜଣାପଡିବ କଣ ରହିଛି ରାଜନୀତି।

Related posts