ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଭୁବନେଶ୍ୱର–ଦଶପଲ୍ଲା ରେଳପଥ ସେକ୍ସନରେ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିଥିଲେ। ଏହାପରେ ସେ ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୋଟର ଟ୍ରଲି ଯୋଗେ ଦଶପଲ୍ଲା–ବୁଗୁଡ଼ା ରେଳପଥ ସେକ୍ସନର ବିସ୍ତୃତ ନିରୀକ୍ଷଣ କରିଥିଲେ।
ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ବୃହତ୍ ସେତୁ, ସୁଡ଼ଙ୍ଗ, ଟ୍ରାକ୍ ନିର୍ମାଣ, ବାଲାଷ୍ଟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ରେଳ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ଏହି ନିରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନୂତନ ରେଳପଥ ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ସମୀକ୍ଷା କରିବା ଏବଂ କାର୍ଯ୍ୟଗୁଡ଼ିକର ସମୟୋଚିତ ସମ୍ପାଦନ ସୁନିଶ୍ଚିତ କରିବା। ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ନିର୍ମାଣର ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ ପାଳନ କରିବା ଉପରେ ଶ୍ରୀ ଫୁଙ୍କୱାଲ ଗୁରୁତ୍ୱାରୋପ କରିଥିଲେ।
ଏହି ନିରୀକ୍ଷଣ ସମୟରେ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ), ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ମହାପ୍ରବନ୍ଧକଙ୍କ ସହିତ ଉପସ୍ଥିତ ଥିଲେ।


