କେନ୍ଦୁଝର: ସାମାନ୍ୟ ପାରିବାରିକ ବିବାଦରୁ ଘଟିଲା ରକ୍ତାକ୍ତ କାଣ୍ଡ। ଘରୋଇ କଳିର ଉଗ୍ର ରୂପ ନେଲା ହତ୍ୟାକାଣ୍ଡ। ଉତ୍ତ୍ୟକ୍ତ ହୋଇ କଟୁରୀରେ ଆକ୍ରମଣ କରିବାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବେଲଦା ଉପରସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ସୁରଜ ମୁଣ୍ଡା। ଏହି ଘଟଣାରେ ଅଭିଯୁକ୍ତ ମୋଟୁ ମୁଣ୍ଡାଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, କୌଣସି ପାରିବାରିକ ପ୍ରସଙ୍ଗକୁ ନେଇ ମୋଟୁ ମୁଣ୍ଡା ଓ ସୁରଜ ମୁଣ୍ଡାଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଗାଳିଗୁଲଜ ହୋଇଥିଲା। ତେବେ ଏହି ବିବାଦ ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଏହି ସମୟରେ ମୋଟୁ ଉତ୍କ୍ଷିପ୍ତ ହୋଇ ଏକ କଟୁରୀରେ ସୁରଜଙ୍କୁ ଆକ୍ରମଣ କରିଥିଲା। କଟୁରୀର ଆଘାତ ଏତେ ଗୁରୁତର ଥିଲା ଯେ, ଘଟଣାସ୍ଥଳରେ ହିଁ ସୁରଜଙ୍କ ମୃତ୍ୟୁ ହୋଇଥିଲା।
ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ବାମେବାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଅଭିଯୁକ୍ତ ମୋଟୁ ମୁଣ୍ଡାଙ୍କୁ ଗିରଫ କରିବା ସହ ମୃତ ସୁରଜଙ୍କ ଶବ ଜବତ କରିଥିଲା। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ବେଲଦା ଉପରସାହିରେ ଚାଞ୍ଚଲ୍ୟ ଖେଳିଯାଇଛି।


