Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି, କାହିଁକି ପଦ୍ମପୁର ଉପନିର୍ବାଚନରେ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଏବଂ ତୋମାରଙ୍କୁ ଡାକିଛି ?

ଭୁବନେଶ୍ବର: ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଶ ଜମିଯିବ। କାରଣ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ସେମାନେ ହେଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଦିନ ୧୧ ଟାରେ ପାଇକମାଲରେ ଓ ଦିନ ୧୨ ଟା ସମୟରେ ପଦ୍ମପୁରର ଅଶୋକ ଫିଲ୍ଡରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେଥିପାଇଁ ଉଭୟଙ୍କ ନିମନ୍ତେ ପଦ୍ମପୁରରେ ବିଶେଷ ବ୍ୟବସ୍ଥା କରାଯାଇଛି। ସେହିପରି ଗତକାଲି ଦଳର ଦୁଇ ପ୍ରମୁଖ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ସେମାନେ ହେଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର।

ତେବେ ଏହି ଦୁଇ ଭିନ୍ନ କେନ୍ଦ୍ରମନ୍ତ୍ରୀ ଉପନିର୍ବାଚନ ପ୍ରଚାରରେ ଆସିବା କାରଣ ମଧ୍ୟ ଭିନ୍ନ ରହିଛି।  ପୂର୍ବରୁ ଓଡିଶାରେ ଯେତେ ଉପନିର୍ବାଚନ ହୋଇଛି ସେତେବେଳେ ବିଜେପି ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବାର ଧାରା ରହିଥିଲା। ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ। ନଚେତ ତା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।

ହେଲେ ଏଥର ପ୍ରଚାରରେ କିନ୍ତୁ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ବିନା ଧର୍ମେନ୍ଦ୍ରରେ ପ୍ରଚାର କରିବେ। ତେବେ ଏହାର ଏକ ବଡ କାରଣ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ତାହା ଏହି ନିର୍ବାଚନ ସହିତ ଜଡିତ ନାହିଁ। ତେବେ ଉପ ନିର୍ବାଚନ ହିସାବରେ ଦେଖିବାକୁ ଗଲେ ଉଭୟ ମନ୍ତ୍ରୀଙ୍କର ବିଭାଗ ବର୍ତ୍ତମାନ ହଟ ଟପିକ୍ ଭାବେ ଅଛି।

ରେଳମନ୍ତ୍ରୀ ତାଙ୍କ ବିଭାଗର ପଦ୍ମପୁର ରେଳ ଲାଇନ ନେଇ ପ୍ରକୃତରେ କାମ କିଏ ଅଟକାଇଛି, କାହା ଯୋଗୁ ଅଟିକିଛି ତାହାର ସଫେଇ ଦେବେ। ସେହିପରି କୃଷିମନ୍ତ୍ରୀ ମଧ୍ୟ ସଫେଇ ଦେବେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କଣ ପାଇଁ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ବର୍ତ୍ତମାନ ବେଶ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ହୋଇଛି। ତେବେ ଉଭୟଙ୍କ ଭାଷଣ ଦେବା ପରେ ଜଣାପଡିବ କଣ ରହିଛି ରାଜନୀତି।

Categories
ଆଜିର ଖବର ରାଜ୍ୟ ଖବର

ଅର୍ଗସ ନ୍ୟୁଜର ପ୍ରଥମ ବାର୍ଷିକ ଉତ୍ସବରେ ‘ଏଗ୍ରି କନକ୍ଲେଭ ୨୦୨୨’; ଯୋଗଦେବେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡିଆ ନ୍ୟୁଜ ଚ୍ୟାନେଲ ଅର୍ଗସ ନ୍ୟୁଜର ପ୍ରଥମ ବାର୍ଷିକ ଉତ୍ସବ ଆସନ୍ତା ମେ ମାସ ୧୫ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଅର୍ଗସ ଏଗ୍ରି କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି କାର‌୍ୟ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଏନେଇ ସୂଚନା ଦେଇଛନ୍ତି ଅର୍ଗସର ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ଜେନା।

ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି ଯେ, ରବିବାର ଦିନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ କୃଷି ବୈଜ୍ଞାନିକ ମାନେ ଯୋଗଦାନ କରିବେ । ଦେଶରେ କୃଷିର ବିକାଶ ସହ କୃଷକ ମାନଙ୍କର ଆୟ କିପରି ବୃଦ୍ଧି ହେବ ଏନେଇ ଦିନ ତମାମ ଆଲୋଚନା ଓ ପ୍ରର୍ଯ୍ୟାଲୋଚନା ହେବ। ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କ ସହ ପୂର୍ବତନ ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ର , ଆଇସିଏଆରର ଡିଜି ଡ.ତ୍ରିଲୋଚନ ମହାପାତ୍ର , ପଦ୍ମଶ୍ରୀ ସୁଶ୍ରୀ ସାବରମତୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଉଦଯାପନ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ , ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଓ ଆଇସିଏଆରର ନିର୍ଦ୍ଦେଶକ ଅଜିତ ଶାସାନୀ ତଥା ନ୍ୟାସନାଲ କୋଅପରେଟିଭ୍ ଡେଭେଲମେଣ୍ଟ କର୍ପୋରେସନର ଏମଡି ସୁନଦୀପ କୁମାର ନାୟକ ଯୋଗଦାନ କରିବେ ବୋଲି କହିଛନ୍ତି ଶ୍ରୀ ଜେନା । ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମାଜର ବିଶିଷ୍ଠ ବ୍ୟକ୍ତି, ବୁଦ୍ଧିଜୀବି ଓ କୃଷି ବୈଜ୍ଞାନିକ ମାନେ ଯୋଗଦାନ କରିବେ ବୋଲି ମୁଖ୍ୟ ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସଂସଦରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଆଜି ଲୋକସଭାରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଜାରି ରହିଛି। ତଥାପି ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧ କୁ ଉପସ୍ଥାପନ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭା ଦ୍ୱାରା ପାରିତ ହୋଇଛି। ଏହା ପରେ ଲୋକସଭାର ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଏହି ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ବର୍ତ୍ତମାନ ଅପରାହ୍ନ ୨ ଟାରେ ରାଜ୍ୟସଭାରେ କୃଷି ଆଇନ ବିଲ୍ ଆଗତ ହୋଇପାରେ। ସରକାର ଆଜି ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରିବେ।