ଏମ୍ସ ଭୁବନେଶ୍ୱର ପକ୍ଷରୁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା କାର୍ଯ୍ୟକ୍ରମ

Published: Nov 17, 2022, 5:14 pm IST

ଭୁବନେଶ୍ୱର: ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ “ଆସନ୍ତାକାଲିର ସୁରକ୍ଷା ପାଇଁ ଶିକ୍ଷା” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ୱାକାଥନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଏପରି ମତ ରଖିଛନ୍ତି। ଏହି ପଦଯାତ୍ରାରେ ଡାକ୍ତର, ମେଡିକାଲ୍ ଏବଂ ନର୍ସିଂ ଛାତ୍ର ତଥା ଅନୁଷ୍ଠାନର ବହୁ ଏନଏସଏସ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ୍ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି। ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତି ତେବେ ସେମାନେ ଏମ୍ସ ଭୁବନେଶ୍ୱରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ୱାସ ସୂଚନା ଦେଇଛନ୍ତି। ଏହି ୱାକାଥନ ବିଜୁ ପଟ୍ଟନାୟକ ପୋଲିସ୍ ଟ୍ରେନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇ ଏମ୍ସ ପରିସରରେ ଶେଷ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ଡ. ବିଶ୍ୱାସ ମଧ୍ୟ ୱାକାଥନରେ ଯୋଗ ଦେଇଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡ. କିଶୋର କୁମାର ବେହେରା ଲୋକଙ୍କୁ ମଧୁମେହ ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଇଥିଲେ। ଏହି ବିଭାଗ ପ୍ରତି ସପ୍ତାହରେ ପ୍ରାୟ ୨୦୦-୨୫୦ ମଧୁମେହ ରୋଗୀଙ୍କୁ ସେବା ଯୋଗାଇବାରେ ନିୟୋଜିତ ଅଛି ବୋଲି ଡକ୍ଟର ବେହେରା ସୂଚନା ଦେଇଛନ୍ତି।

ଏହି ପଦଯାତ୍ରାରେ ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି, ଡ. ମନୋଜ ମହାନ୍ତି, ଡ. ବିନୋଦ ପାତ୍ର, ଡ. ଦେବାଶିଷ ହୋତା, ଡ. ଏମ ସି ସାହୁ, ଡ. ପ୍ରଭାସ ରଂଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ପକ୍ଷରୁ ବିଗତ ବର୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହା ମଧୁମେହ ପରିଚାଳନା ଏବଂ ପ୍ରତିରୋଧ ପାଇଁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା ବକ୍ତୃତା ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲା।

Related posts