Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ଶ୍ରମଦାନ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି। ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି।

ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପରମଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସଫା କରିଛନ୍ତି।

 ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କାଲିମେଳା ଗ୍ରାମରେ ସ୍ଥାନୀୟ ମହିଳାମାନେ ଗାଁ ହାଟକୁ ସଫା କରିବା ଲାଗି ଶ୍ରମଦାନ କରିଛନ୍ତି।

ଏହାଛଡ଼ା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛତା ଶପଥପାଠ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏବେ ସୁଦ୍ଧା (୨୪ ସେପ୍ଟେମ୍ବର ୨୦୨୩) ୭ ଲକ୍ଷ ୧୭ ହଜାର ୨୮୫ ଜଣ ଲୋକ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗ୍ରାମାଞ୍ଚଳର ୧୧ ଲକ୍ଷ ୫୬ ହଜାର ୧୯୦ ଜଣ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରି ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଅଧୀନରେ ନିର୍ମିତ ସମ୍ପତ୍ତିର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ କାମରେ ୭୨ ହଜାର ୬୯୩ ଲୋକ ଭାଗ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ। ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଏନଆଇଟି ରାଉରକେଲା ପକ୍ଷରୁ ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମସିନ୍‌ ଲର୍ଣ୍ଣିଂ, ବିଗଡେଟା ଆନାଲିଟିକ୍ସ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ମାଧ୍ୟମରେ ଜନଭାଗିଦାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଯୋଗ ଦେଇ ଭାରତର ଜି୨୦ ଲକ୍ଷ୍ୟ ଏବଂ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସେହିପରି ଏନଆଇଟିର ଏକ ଦଳ ବରଗଡ଼ସ୍ଥିତ ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ଅନ୍ୟପକ୍ଷରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଜି୨୦ ବିଷୟବସ୍ତୁକୁ ନେଇ ଅନୁଗୁଳ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ୧ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ଆଇଟିଆଇ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଅନୁରୂପ ଭାବେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସଚେତନତା ସୃଷ୍ଟି ଲାଗି ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଏଥିରେ ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଫସଲର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା।

ଭୁବନେଶ୍ୱର ସ୍ଥିତି ସିଟିଟିସି ଅନୁଷ୍ଠାନ ପକ୍ଷରୁ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ପୂର୍ବରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଯୋଗ ଶିବିର ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱର ପକ୍ଷରୁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ “ଆସନ୍ତାକାଲିର ସୁରକ୍ଷା ପାଇଁ ଶିକ୍ଷା” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ୱାକାଥନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଏପରି ମତ ରଖିଛନ୍ତି। ଏହି ପଦଯାତ୍ରାରେ ଡାକ୍ତର, ମେଡିକାଲ୍ ଏବଂ ନର୍ସିଂ ଛାତ୍ର ତଥା ଅନୁଷ୍ଠାନର ବହୁ ଏନଏସଏସ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ୍ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି। ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତି ତେବେ ସେମାନେ ଏମ୍ସ ଭୁବନେଶ୍ୱରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ୱାସ ସୂଚନା ଦେଇଛନ୍ତି। ଏହି ୱାକାଥନ ବିଜୁ ପଟ୍ଟନାୟକ ପୋଲିସ୍ ଟ୍ରେନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇ ଏମ୍ସ ପରିସରରେ ଶେଷ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ଡ. ବିଶ୍ୱାସ ମଧ୍ୟ ୱାକାଥନରେ ଯୋଗ ଦେଇଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡ. କିଶୋର କୁମାର ବେହେରା ଲୋକଙ୍କୁ ମଧୁମେହ ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଇଥିଲେ। ଏହି ବିଭାଗ ପ୍ରତି ସପ୍ତାହରେ ପ୍ରାୟ ୨୦୦-୨୫୦ ମଧୁମେହ ରୋଗୀଙ୍କୁ ସେବା ଯୋଗାଇବାରେ ନିୟୋଜିତ ଅଛି ବୋଲି ଡକ୍ଟର ବେହେରା ସୂଚନା ଦେଇଛନ୍ତି।

ଏହି ପଦଯାତ୍ରାରେ ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି, ଡ. ମନୋଜ ମହାନ୍ତି, ଡ. ବିନୋଦ ପାତ୍ର, ଡ. ଦେବାଶିଷ ହୋତା, ଡ. ଏମ ସି ସାହୁ, ଡ. ପ୍ରଭାସ ରଂଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ପକ୍ଷରୁ ବିଗତ ବର୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହା ମଧୁମେହ ପରିଚାଳନା ଏବଂ ପ୍ରତିରୋଧ ପାଇଁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା ବକ୍ତୃତା ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲା।