ଡି.ଏସ.ପି ପଦୋନ୍ନତି ମାମଲା: ଓଡିଶା ଲୋକସେବା ଆୟୋଗର ଅବଧି ହ୍ରାସ ଉପରେ ହାଇକୋର୍ଟର ରହିତାଦେଶ

Published: Nov 18, 2022, 8:18 pm IST

ଭୁବନେଶ୍ବର: ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ ଆବେଦନର ଶୁଣାଣି କରି ଓଡିଶା ଲୋକସେବା ଆୟୋଗ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଣନିଧି ମଲ୍ଲିକଙ୍କ ରିଟ ପିଟିସନ ୩୦୮୮୪/୨୦୨୨ ର ଶୁଣାଣି କରି ନୀତିଗତ ନିଷ୍ପତ୍ତିରୁ ଦୁରେଇ ମନମୁତାବକ କୌଣସି ବିଷୟକୁ ଗ୍ରହଣ ନ କରିବା ପାଇଁ ଗୃହ ବିଭାଗ ଏବଂ ଓ. ପି. ଏସ. ସିକୁ ଆଦେଶ ଦେଇଛନ୍ତି।  ତତସହିତ ଡି.ଏସ.ପିରୁ ଅତିରିକ୍ତ ଏସ.ପିକୁ ପଦୋନ୍ନତି ପାଇଁ ତିନି ବର୍ଷ ଅବଧିରୁ ଛଅ ମାସ କମାଇବା ଵିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଓଡିଶା ଲୋକସେବା ଆୟୋଗର ବିଜ୍ଞପ୍ତି ସଂଖ୍ୟା ୪୯୬୨/ପିଏସସି, ତା ୨୬.୦୬.୨୦୧୮ ରିଖ ଅନୁଯାୟୀ ପଦୋନ୍ନତି ସକାଶେ ଆବଶ୍ୟକ ଅବଧିକୁ କେବଳ ପଚାଶ ପ୍ରତିଶତ କୋହଳ କରାଯାଇପାରିବ। କିନ୍ତୁ ଏ କ୍ଷେତ୍ରରେ ଓଡିଶା ଲୋକସେବା ଆୟୋଗ କିଛି ନିର୍ଦିଷ୍ଟ ଗୋଷ୍ଠୀକୁ ଫାଇଦା ଦେବାକୁ ଯାଇ ସବୁ ନିୟମକୁ ଫୁ କରିଦେଇଛି ଓ ସିଧାସଳଖ ତିନିବର୍ଷରୁ ଛଅ ମାସ କରିଦେଇଛି, ଯାହା ନିୟମ ବହିର୍ଭୁକ୍ତ। ଏ ପ୍ରକାର ପକ୍ଷପାତି ମନୋଭାବ ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି।

ଅନ୍ୟପକ୍ଷେ ଗୃହ ବିଭାଗର ଅଧିକାରୀଙ୍କ କାର୍ଯ୍ୟ ମଧ୍ୟ ସନ୍ଦେହ ଘେରରେ ରହିଛି। ୨୦୧୬ ରେ ଡି. ଏସ. ପି ଭାବରେ ଯୋଗଦେଇଥିବା ସିଧା ସଳଖ ନିଯୁକ୍ତ ଅଧିକାରୀ ପଦୋନ୍ନତି ପାଇଁ ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ବିଚାରକୁ ନ ନେଇ ଗୃହ ବିଭାଗ କେହି ଯୋଗ୍ୟ ନାହାନ୍ତି ବୋଲି ଓଡିଶା ଲୋକସେବା ଆୟୋଗକୁ ଜଣାଇଛି, ଯାହା ସମ୍ପୂର୍ଣ ତ୍ରୁଟି ଓ ପ୍ରମାଦପୂର୍ଣ୍ଣ ତଥ୍ୟ।

ଅନ୍ୟତଃ ସବୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମ ଦେଇ ଓଡିଶା ଲୋକସେବା ଆୟୋଗକୁ ପ୍ରେରିତ ହେବା କଥା କିନ୍ତୁ ଅତି ତରବରିଆ ଭାବରେ ପାଞ୍ଚବର୍ଷପରେ ନିଯୁକ୍ତ ଡି.ଏସ.ପିଙ୍କୁ ଉପରେ ରଖି ପଦୋନ୍ନତି ଦେବା ଚକ୍ରାନ୍ତ କରି ଗୃହ ବିଭାଗ ଓଡିଶା ଲୋକସେବା ଆୟୋଗକୁ ସିଧା ଏ ପ୍ରସ୍ତାବ ପ୍ରେରିତ କରିଛି, ଯାହା ଆଇନ ଦୃଷ୍ଟିରୁ ଅବୈଧ।

ଆଜିର ଏ ରାୟ ପ୍ରକାଶ ପରେ ଓଡିଶା ଲୋକସେବା ଆୟୋଗକୁ ନିଜର ତ୍ରୁଟି ସଂଶୋଧନ କରି ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର କହିଛନ୍ତି। ଏମିତି ଅନୈତିକ ଓ ଆଇନ ବିରୁଦ୍ଧରେ ସେ ଲଢେଇ ଜାରିରଖିବେ ବୋଲି ମତ ଦେଇଛନ୍ତି। କୋର୍ଟର ଆଜିର ଆଦେଶ ସତ୍ୟ, ନ୍ୟାୟ ଓ ନୀତିର ବିଜୟ ବୋଲି ସେ କହିଛନ୍ତି।

Related posts