ଚିଲିକା ବ୍ଲକରେ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ନେଲା ଉଗ୍ରରୂପ

Published: Nov 25, 2022, 7:38 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କଳକଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଉଆସପଦର ଠାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଉଗ୍ର ରୂପ ନେଇଛି। ୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ବିବାଦ ଦେଖିବାକୁ ମିଳିଛି।

ସୂଚନା ମୁତାବକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପୃଷ୍ଟିଙ୍କ ନାମରେ ଉକ୍ତ ସିସି ରୋଡର କାର୍ଯ୍ୟାଦେଶ ଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୃଷ୍ଟି ନିଜେ କାର୍ଯ୍ୟ ନକରି ବର୍ତ୍ତମାନର ସରପଞ୍ଚ ଜ୍ୟୋଷ୍ଣା ରାଣୀ ଜେନାଙ୍କୁ କାର୍ଯ୍ୟ କରିବା ପାଇଁ ମୌଖିକ ଭାବେ କହିଥିଲେ। ହେଲେ ପୂର୍ବତନ ସରପଞ୍ଚ ଅସିତ କୁମାର ନାଥ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ଯାହାଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି।

ଏହି ଘଟଣାକୁ ନେଇ କଳକଳେଶ୍ୱର ସରପଞ୍ଚ ଶ୍ରୀମତୀ ଜେନା ଆଜି ହେବାକୁ ଥିବା ରାସ୍ତା ନିର୍ମାଣ ଉପରେ କିଛି ସମର୍ଥକଙ୍କୁ ଧରି ବସି ରହିଥିଲେ। ବିଶୃଙ୍ଖଳାକୁ ନଜରରେ ରଖି ଘଟଣାସ୍ଥଳରେ ଟାଙ୍ଗି ଆଇଆଇସି ଦିଗବିଜୟ ବିଶ୍ୱାଳ ପହଞ୍ଚି ଉଭୟ ଗୋଷ୍ଠୀକୁ ବୁଝାସୁଝା କରିବା ସହ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସମସ୍ୟାର ଆପୋଷ ସମାଧାନ ହୋଇଥିବା ଜଣାପଡ଼ିଛି।

Related posts