ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

Published: Nov 26, 2022, 6:59 am IST

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ  ସାଫଲ୍ୟ ମଣ୍ତିତ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସ୍ତରରୁ ତମାଖୁ ଓ ନିଶା ଦ୍ରବ୍ୟ ସେବନ ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଅନେକ ସମୟରେ ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ଓ ନୀତିଭ୍ରଷ୍ଟ ହେବା ସହ ପରିବାରରେ ବିଶୃଙ୍ଖଳା ହେଉଥିବା ଲକ୍ଷ କରାଯାଉଛି। ତମାଖୁ ବିକ୍ରି, ଶିକ୍ଷାନୁଷ୍ଠାନ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ତମାଖୁମୁକ୍ତ,କୋଟପା ଆଇନର କାର୍ଯ୍ୟକାରିତା, ବିଜ୍ଞାପନ ମାଧ୍ୟମରେ ସତର୍କ ସୂଚନା, ତମାଖୁ ସେବନରେ କ୍ୟାନସର,ହୃଦରୋଗ , ଯକୃତ ରୋଗ ହେଉଥିବା ଉପରେ ସେ ମତ ଦେଇଥିଲେ।

ଚଳିତ ବର୍ଷ ୧୦ଟି ସ୍ଥାନରେ ଚଢାଉ କରାଯାଇ ୧୬୧ ଜଣଙ୍କ ଠାରୁ ୨୧୭୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜିଲ୍ଲାର ୬୦ଟି ହାଇସ୍କୁଲ ଓ ୪ଟି ମହାବିଦ୍ୟାଳୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ.ମୁର୍ମୁ, ଡିପିଏଚଓ ଡଃ ପ୍ରଶାନ୍ତ ଦାଶ, ଏଡିଏମ୍ଓ ଡଃ ବିଶ୍ବମୋହନ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ ଅମ୍ରିତା ପ୍ରୀତିନନ୍ଦା, ଅବକାରୀ ଉପ ଆରକ୍ଷୀ ଅଧୀକ୍ଷକ ସୁମିତ୍ରା ଓରାମ, ଜିଲ୍ଲା ଶିଳ୍ପ କେନ୍ଦ୍ରର  ସୁଶାନ୍ତ କୁମାର ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Related posts