
ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ରେଳ ମାର୍ଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ଏହି ସମୟରେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଛନ୍ତି।
ଶ୍ରୀ ସୁନକର ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଶ୍ରୀ ସୁନକର ରେଳବାଇର ବିଭିନ୍ନ ଷ୍ଟେକ ହୋଲ୍ଡର (ସହଭାଗୀ) ମାନଙ୍କର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ। ପରିବହନ ଏବଂ ଟ୍ରାଫିକ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ସହଭାଗୀ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରାଇବା ଓ ପରିବହନ ସୁବିଧା କରାଇ ଏହାର ବୃଦ୍ଧି ଘଟାଇବା ସହ ରାଜସ୍ୱ ବୃଦ୍ଧି ପାଇଁ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।