ମାଣବସା ଦିନ ଟାଙ୍ଗୀରେ ଅଘଟଣ, ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଚାଳ ଘର

Published: Dec 8, 2022, 1:58 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମାଣ ବସା ଦିନ ଅଘଟଣ ଘଟିଛି। ସଳିତାରୁ ନିଆଁ ଲାଗି ୩ ବଖରା ଚାଳ ଘର ଜଳିଯାଇଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ବଡ ପୋଖରିଆ ପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ବଡ ପୋଖରିଆ ପାଟଣା ଗ୍ରାମରେ ମାଣ ବସା ପାଇଁ ଘରେ ଘରେ ପୂଜାର୍ଚ୍ଚନା ଚାଲିଥିଲା। ମା’ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ମହିଳା ମାନେ ଘରେ ଘରେ ପୀଠା ପଣା ସହ ଦୀପ ଆଳତି କରୁଥିଲେ। କିନ୍ତୁ ଏହି ସମୟରେ ଗାଁର କୌଣସି ଘର ଦୁଆରେ ଲାଗିଥିବା ଜଳନ୍ତା ଦୀପ ସଳିତାକୁ କାଉ ଆଣି ଚାଳରେ ପକାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ରବିନ୍ଦ୍ର କୁମାର ସାହୁଙ୍କର ୧ ବଖରା ଓ ଦିଲିପ କୁମାର ସାହୁଙ୍କର ୨ ବଖରା ଚାଳ ଘରେ ନିଆଁ ଲାଗିଯାଇଥିଲା।

ଏହି ଅଗ୍ନିକାଣ୍ଡ ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ ୩ ବଖରା ଘର  ପୋଡି ପାଉଁଶ ହୋଇ ଯାଇଥିଲା। ଏହାଫଳରେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।

Related posts