କନ୍ଦର୍ପ ବେହେରା
ରେଢ଼ାଖୋଲ: କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣକ ହେଲେ କେଲୋ ଗ୍ରାମର ଚନ୍ଦ୍ରମଣି ପ୍ରଧାନ (୬୫)ବର୍ଷ।
ସୂଚନା ଅନୁସାରେ ଚନ୍ଦ୍ରମଣି ତାଙ୍କ ନିଜ ପୋଖରୀରେ ମାଛ ଚାଷ କରି ଥିବାରୁ ରାତିରେ ପୋଖରୀ ହୁଡାରେ ଜଗୁଥିଲେ। ତେବେ ସେ ଦୁର୍ଭାଗ୍ୟବଶତଃ ରାତିରେ ପୋଖରୀରେ ବୁଡ଼ିଯାଇଥିଲେ। ତେବେ ସେ ସକାଳୁ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ପୋଖରୀରେ ତାଙ୍କ ଶବ ଭାସୁଥିବାର ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ।
ଦମକଳ ବାହିନୀ ଘଟଣା ସ୍ଥଳକୁ ଆସି ଶବକୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ଖବର ପାଇ କିସିଣ୍ଡା ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ରେଢ଼ାଖୋଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।