ବାଣପୁର: ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା

Published: Dec 28, 2022, 6:23 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଓଡିଶାଗସ୍ତରେ ଆସିଛନ୍ତି। ଜେପି ନଡ୍ଡାଙ୍କ ଏହି ଗସ୍ତରେ ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ନଡ୍ଡା ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଶ୍ରୀ ନଡ୍ଡା ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଲୋକଙ୍କୁ ଘର ମିଳୁଥିବା ବେଳେ ରାଜ୍ୟ ସରକାର ତାହାର ନାମକୁ ବଦଳାଇ ବିଜୁ ପକ୍କା ଘର କରିଦେଉଛନ୍ତି।

ସେହିଭଳି କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଜେପି ନଡ୍ଡା ସମାଲୋଚନା କରିଛନ୍ତି। ରାଜ୍ୟରେ ଦାଦନ ଖଟିବାକୁ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଯାଉଥିବା ବେଳେ ସେଠାରେ ଯଦି କୌଣସି ଲୋକ ରୋଗାକ୍ରାନ୍ତ ହୋଇଯାଏ, ତେବେ ସେହି ଲୋକ କେମିତି ଚିକିତ୍ସିତ ହୋଇପାରିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ ନକରିବାର କାରଣ କ’ଣ ବୋଲି ସେ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାର ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚାହୁଁଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଯୋଜନା ଲାଗୁ କରୁନାହାନ୍ତି। ରାଜ୍ୟ ସରକାର କାହିଁକି ୬୦ ଲକ୍ଷ ଲୋକଙ୍କୁ ଏଥିରୁ ବଞ୍ଚିତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ରତ୍ନ ଭଣ୍ଡାରର ଚାବି ମିଳୁନଥିବାରୁ ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ କିଏ ଚଲାଉଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି। ତେଣୁ ଏହି ଅବସରରେ ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିଜେପିକୁ ଭୋଟ ଦେଇ ସମ୍ବିତ ପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ନିବେଦନ କରିଛନ୍ତି।

Related posts