ସୀତାରାମ ଅଗ୍ରୱାଲ
ବାଣପୁର: ମା’ ଭଗବତୀ ମନ୍ଦିରର ହେବ ନବ କଳେବର। ୫-ଟି ସଚିବ ଭି କେ ପାଣ୍ଡିଆନ ନଭେମ୍ବର ମାସରେ ମନ୍ଦିର ଦର୍ଶନ କରି ଏ ନେଇ ଅନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ତେବେ ଇତି ମଧ୍ୟରେ ଦେଢ଼ ମାସ ବିତିଯାଇଥିବା ବେଳେ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବାଣପୁର ଗସ୍ତ ଜାରି ରହିଛି।
ଏହି ପରିପ୍ରେକ୍ଷୀରେ ଆଜି ପୂର୍ତ୍ତ ସଚିବ ଆଇଏଏସ୍ ବୀର ବିକ୍ରମ ଯାଦବ ମନ୍ଦିର ପହଞ୍ଚି ସ୍ଥିତି ପରଖିଛନ୍ତି। ଶ୍ରୀ ଯାଦବ ମନ୍ଦିର ଭିତର ଏବଂ ବାହାର ପାର୍ଶ୍ୱ ପରିଦର୍ଶନ କରି ପୁର୍ବରୁ ଦିଆଯାଇଥିବା ବ୍ଲୁ ପ୍ରିଣ୍ଟ କୁ ପରଖିଛନ୍ତି। ତତସହିତ ବସ ଷ୍ଟାଣ୍ଡ, ପାର୍କିଂ ସ୍ଥଳ ଏବଂ ନୂତନ ପ୍ରସ୍ତାବିତ ରିଙ୍ଗ ରୋଡ ପାଇଁ ବିଭିନ୍ନ ଅଞ୍ଚଳ ବୁଲି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସମସ୍ତ ପ୍ରକଳ୍ପ ନକ୍ସା ଚୁଡାନ୍ତ ହେବାପରେ ତାହା ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ଏବଂ ଏହାପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।
ପୂର୍ତ୍ତ ସଚିବଙ୍କ ଗସ୍ତ ସମୟରେ ଓବିସିସି, ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଏସଡ଼ିଓ, ସ୍ଥାନୀୟ ତହସିଲଦାର, ଏନଏସି ନଗରପାଳ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ଉପସ୍ଥିତ ଥିଲେ।