ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ?: ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

Published: Jan 27, 2023, 7:10 am IST

ଉପେନ୍ଦ୍ର ବଳିୟାରସିଂହ

ବିଦର୍ଭ ଦେଶରେ ସତ୍ୟ ଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ବିଶ୍ଵାସ ଥିଲା, ଦେବତାମାନଙ୍କ ପାଇଁ ପଶୁ ବଳି ଦେବା ଉଚିତ, ପରନ୍ତୁ ଦରିଦ୍ରତା କାରଣରୁ ସେ ବଳି ଦାନ ପାଇଁ ପଶୁ ପାଳନ କରିପାରୁନଥିଲେ କି ପଶୁମାନଙ୍କୁ କ୍ରୟ କରିପାରୁନଥିଲେ। ଏଥିପାଇଁ କୁଷ୍ମାଣ୍ଡ ଫଳକୁ ହିଁ ପଶୁ ରୂପେ କଳ୍ପିତ କରି ବଳି ଦାନ ଦେଇ ହିଂସା ପ୍ରଦାନ ପୂଜନ କରୁଥିଲେ। ଏକେ ତ ସେ ବ୍ରାହ୍ମଣ ତପସ୍ଵୀ, ତ୍ୟାଗୀ ଓ ଧର୍ମାତ୍ମା ଥିଲେ ଏବଂ ତାଙ୍କର ପତ୍ନୀ ମଧ୍ୟ ସୁଶିଳା ପତିବ୍ରତା ଓ ତପସ୍ଵିନୀ ଥିଲେ। ତାଙ୍କ ପତିଦେବଙ୍କର ହିଂସା ପ୍ରଧାନ ପୂଜନ ତାଙ୍କୁ ଅରୁଚିକର ଲାଗୁଥିଲା। କିନ୍ତୁ ପତିଦେବଙ୍କର ପ୍ରସନ୍ନତା ପାଇଁ ଅନିଚ୍ଛା ପୂର୍ବକ ସେ ସହଯୋଗ କରୁଥିଲେ।

କୌଣସି ଧର୍ମାଚରଣକାରୀର ଇଚ୍ଛା ଯଦି ସଚ୍ଚା ହୋଇଥାଏ ଏବଂ ଅଜ୍ଞାନ ବଶତଃ ଭୁଲ କରୁଥାଏ, ସେହି ଭୁଲକୁ ସୁଧାରିବା ପାଇଁ ଦେବତାମାନେ ସ୍ଵୟଂ ଚେଷ୍ଟା କରିଥାନ୍ତି। ଅତଃ ସେହି ବ୍ରାହ୍ମଣର ଭୁଲକୁ ସୁଧାରିବା ପାଇଁ ମୃଗ ରୂପ ଧାରଣ କରି ତା’ପାଖକୁ ଯାଇ କହିଲେ, “ବ୍ରହ୍ମନ୍! ତୁମେ ଅଙ୍ଗହାନି ଯଜ୍ଞ କରୁଅଛ। ପଶୁ ବଳିର ସଂକଳ୍ପ କରି କେବଳ ମାତ୍ର ଫଳରେ ପଶୁର କଳ୍ପନା କରିଦେଲେ, ଯଜ୍ଞ ସଫଳ ହୁଏ ନାହିଁ। ଏଥିପାଇଁ ତୁମେ ମୋତେ ବଳି ରୂପରେ ଅର୍ପଣ କର।

ବ୍ରାହ୍ମଣ ହିଂସା ପ୍ରଧାନ ପୂଜା ତ କରୁଥିଲେ, ବଳି ପାଇଁ ସଂକଳ୍ପ ବି କରୁଥିଲେ, କିନ୍ତୁ ସେ କେବେ ହେଲେ ପଶୁ ବଳି ଦେଇନଥିଲେ। ଅତଃ ତାଙ୍କର କୋମଳ ହୃଦୟ ମୃଗକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଲା ନାହିଁ।

ବ୍ରାହ୍ମଣ ମୃଗକୁ ହୃଦୟରେ ଲଗାଇ ଆଲିଙ୍ଗନ କରି କହିଲେ, ତୁମର ମଙ୍ଗଳ ହେଉ। ତୁମେ ଏଠାରୁ ଶୀଘ୍ର ଚାଲିଯାଅ।

ମୃଗ ରୂପୀ ଧର୍ମଦେବ ବ୍ରାହ୍ମଣଙ୍କୁ କହିଲେ, “ତୁମେ ମୋତେ ବଳି ଦିଅ, ଏହା ଦ୍ଵାରା ମୋର ସଦଗତି ହେବ ଏବଂ ତୁମକୁ ସ୍ଵର୍ଗ ମଧ୍ୟ ପ୍ରାପ୍ତି ହେବ। ଆପଣ ଏହି ମର୍ତ୍ତ୍ୟରେ ଥାଇ ମଧ୍ୟ ସ୍ଵର୍ଗର ଅପସରା ମାନଙ୍କୁ ଦର୍ଶନ କରିପାରିବେ ଏବଂ ତାହା ସହ  ଗନ୍ଧର୍ବମାନଙ୍କ ବିମାନଗୁଡିକୁ ମଧ୍ୟ ଦର୍ଶନ କରିପାରିବେ।

ମାୟା ମୃଗର ଏହି ଛଳ କପଟ ପୂର୍ଣ୍ଣ ତର୍କରେ ପ୍ରଭାବିତ ହୋଇ, ବ୍ରାହ୍ମଣ ସବୁ କିଛି ଭୁଲି ଗଲେ। ତାଙ୍କ ମନରେ ସ୍ଵର୍ଗ ପ୍ରାପ୍ତିର ଲାଳସା ଜାଗ୍ରତ ହେଲା। ସେ ବଳି ଦାନ ପାଇଁ ପ୍ରସ୍ତୁତ ହୋଇଗଲେ।

ସେତେବେଳେ ମୃଗ କହିଲେ, “ବ୍ରହ୍ମନ! ପ୍ରକୃତରେ କ’ଣ ଅନ୍ୟ ପ୍ରାଣୀଙ୍କୁ ହିଂସା କରିବାରେ ଅନ୍ୟର କଲ୍ୟାଣ ହୋଇଥାଏ?

ବ୍ରାହ୍ମଣ କହିଲେ, “ଅନ୍ୟମାନଙ୍କର ଅନିଷ୍ଠ କରି ଜଣେ ନିଜର ହିତ କିପରି କରିପାରିବ?

ମୃଗ ନିଜର ବାସ୍ତବ ଶରୀରରେ ପ୍ରକଟ ହେଲେ। ସାକ୍ଷାତ ଧର୍ମଦେବଙ୍କୁ ନିଜ ସମ୍ମୁଖରେ ଦେଖି ବ୍ରାହ୍ମଣ ତାଙ୍କ ଚରଣ ତଳେ ଲୋଟିଗଲେ।

ଧର୍ମଦେବ କହିଲେ, ବ୍ରହ୍ମନ! ଆପଣ ଯଜ୍ଞରେ ବଳିର ସଂକଳ୍ପ ମାତ୍ର କରିଥିଲେ। ବଳି ନଦେଇ ମଧ୍ୟ ଏହା ଦ୍ଵାରା ଆପଣଙ୍କ ତପସ୍ୟାର ବହୁତ ବଡ ଭାଗ ନଷ୍ଟ ହୋଇଗଲା।

ବ୍ରାହ୍ମଣ ଯଜ୍ଞ ବଳିର ସଂକଳ୍ପକୁ ତ୍ୟାଗ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ।

ଆଜିକାଲି ଧର୍ମକୁ ଦ୍ଵାହି ଦେଇ ଅନେକ ସମୟରେ ଅଧର୍ମ, କୁଧର୍ମ ଓ ପରଧର୍ମ କରାଯାଉଛି। ଯଜ୍ଞର ପଶୁ ବଳିକୁ ହିଁ ଅଧର୍ମ କୁହାଯାଏ। ମନରେ କପଟତା ରଖି ପ୍ରିୟପୂର୍ଣ୍ଣ କଥା କହି ଅନ୍ୟର ଅନିଷ୍ଠ କରିବାକୁ କୁଧର୍ମ କୁହାଯାଏ ଏବଂ ନିଜର ମାତା ପିତା ଅନୁସରଣ କରୁଥିବା ଧର୍ମକୁ ତ୍ୟାଗ କରି ଅନ୍ୟ ଧର୍ମରେ ଆଶ୍ରୟ ନେବା ହେଉଛି ପରଧର୍ମ।

“ସ୍ଵଧର୍ମେ ନିଧନ ଶ୍ରେୟଃ ପରଧର୍ମୋ ଭୟାବହଃ।”

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଯୋଗାଯୋଗ ସଂଖ୍ୟା: ୯୩୩ ୭୨ ୫୮ ୩୯୮

Related posts