ରାସ୍ତା ପାର୍ଶ୍ଵରେ ଓଲଟିପଡି ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

Published: Feb 8, 2023, 6:47 pm IST

କନ୍ଦର୍ପ ବେହେରା

ରେଢାଖୋଲ: ଗତକାଲି ରାତିରେ ଏକ ଟ୍ରକ ରେଢାଖୋଲ ଥାନା ଡଇଁଚା ଗାମପଂଚାୟତର ତେରବେଡା ଗ୍ରାମ ନିକଟରେ ଦୁର୍ଘଟଣା ହେବା ଫଳରେ ଟ୍ରକଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣା ପଡିଛି। ମୃତକ ଡ୍ରାଇଭରର ଘର ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଘୋଷର ଗ୍ରାମର ବୋଲି ପୋଲିସ୍ କହିଛି।

ପ୍ରକାଶ ଯେ, ଅନୁଗୋଳର ଏହି ୧୨ ଚକିଆ ଟ୍ରକଟି (ଓଡି୧୯ଡି-୨୨୭୭) ନାକଟିଦେଉଳ ପଟୁ ରେଢାଖୋଲ ଆସୁଥିବା ବେଳେ ତେରବେଡା ଘାଟି ନିକଟରେ ମଧ୍ୟ ରାତ୍ରୀରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଶ୍ୱର୍ରେ ଓଲଟି ପଡି ନିଆଁ ଲାଗି ଯାଇଥିଲା। ଟ୍ରକର ଡ୍ରାଇଭର ଅନୁଗୋଳ ଜିଲ୍ଲା ଘୋଷର ଗ୍ରାମର ଅଲେଖ ବାଦି ଟ୍ରକ ଭିତରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା।

ମଧ୍ୟରାତ୍ରରେ ଏହି ଘଟଣାଟି ଘଟିଥିବାରୁ କେହି ବି ଜାଣି ପାରି ନ ଥିଲେ। ଡ୍ରାଇଭର ଜଣଙ୍କ ଟ୍ରକ ଭିତରୁ ବାହାରକୁ ବାହାରି ନ ପାରି ଚାପି ହୋଇ ଯାଇଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଅନୁମାନ କରାଯାଉଛି। ଅଧରାତିରେ ହୋଇଥିବାରୁ ପାଖ ତେରବେଡା ଗ୍ରାମର ଲୋକମାନେ ମଧ୍ୟ ଜାଣି ପାରି ନ ଥିଲେ।  କିପରି ଦୁର୍ଘଟଣା ହେଲା ସେ ସଂପର୍କରେ କିଛି ତଥ୍ୟ ମିଳି ପାରି ନାହିଁ।

ଆଜି ଭୋରରୁ ଦମକଳ ଗାଡି ଆସି ନିଆଁକୁ ଲିଭାଇଥିବା ବେଳେ ଟ୍ରକ୍ ଭିତରେ ଡ୍ରାଇଭରର କଙ୍କାଳ ଦେଖିଥିଲେ। ରେଢାଖୋଲ ପୋଲିସ୍ ଘଟଣା ସ୍ଥଳକୁ ଆସି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି।

ପୋଲିସ୍ ଏକ ମାମଲା ରୁଜୁ କରିଛି। ଟ୍ରକର ମାଲିକ ଅନୁଗୋଳର ହାକିମପଡାର ରାକେଶ ବେହେରାଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ କହିଲେ ଯେ, ଟ୍ରକ୍ ରେ ପାଖାପାଖି ୨୯ ଟନ୍ ଲୁହା ରଡ୍ ଅନୁଗୋଳରୁ ରାଉରକେଲା ଯାଉଥିଲା। ଯେଉଁଠାରେ ଲୁହାରଡ୍ ଖାଲି ହେବାର କଥା ସେଇ ସ୍ଥାନରେ ଖାଲି ହୋଇ ନ ଥିବା ପ୍ରକାଶ କରିଛନ୍ତି।

ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରେ ଲୁହାରଡ୍ ନ ଥିବା ଘଟଣା ଅଧିକ ରହସ୍ୟାବୃତ କରିପକାଇଛି। ଘଟଣା ସ୍ଥଳକୁ ରେଢାଖୋଲ ଏସ୍‌ଡିପିଓ, ଥାନାଧିକାରୀ  ଏବଂ ଅନ୍ୟାନ୍ୟ କର୍ମଚାରୀ ପହଂଚି ତଦନ୍ତ କରୁଛନ୍ତି।

Related posts